ନଭେମ୍ବରରେ ମହିଳା ଆଇପିଏଲ୍‌: ୩ ଟିମ୍‌ର କ୍ୟାପ୍‌ଟେନ୍‌ ଓ ଖେଳାଳିଙ୍କ ନାଁ ଘୋଷଣା କଲା ବିସିସିଆଇ

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧/୧୦: ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଆଇପିଏଲ୍‌ ଟି-୨୦ ଚ୍ୟାଲେଞ୍ଜ ପାଇଁ ଅଧିନାୟକଙ୍କ ନାଁ ଘୋଷଣା କଲା ଭାରତୀୟ କ୍ରିକେଟ ପରିଷଦ(ବିସିସିଆଇ)। ତିନୋଟି ସ୍କ୍ବାର୍ଡ ପାଇଁ ତିନି ଜଣ ଅଧିନାୟକ ହରମନପ୍ରୀତ କୌର, ସ୍ମୃତି ମନ୍ଧନା ଓ ମିତାଲି ରାଜଙ୍କ ନାଁ ଘୋଷଣା କରିଛି ବିସିସିଆଇ। ଏହି ୩ଟି ସ୍କ୍ବାର୍ଡ ହେଉଛି ଯଥାକ୍ରମେ ସୁପରନୋଭାସ୍‌, ଟ୍ରେଲ୍‌ବ୍ଲେଜର ଓ ଭେଲୋସିଟି।

ମହିଳା ଟି-୨୦ ଚ୍ୟାଲେଞ୍ଜର ତୃତୀୟ ସଂସ୍କରଣ ନଭେମ୍ବର ୩ରୁ ୯ ପର୍ଯ୍ୟନ୍ତ ଚାଲିବ। ଉଦଘାଟନୀ ମ୍ୟାଚ୍‌ରେ ସୁପରନୋଭାସ୍‌ ଓ ଭେଲୋସିଟି ମଧ୍ୟରେ ଖେଳାଯିବ। ତେବେ ସମସ୍ତ ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ପୂର୍ବ ସଂସ୍କରଣ ଭଳି ଏଥର ମଧ୍ୟ ସମାନ ଖେଳାଳି ଖେଳିବେ। ତେବେ ପ୍ରଥମଥର ପାଇଁ ଥାଇଲ୍ୟାଣ୍ଡ ଖେଳାଳି ଭାବେ ନାଥାକାନ ଚାନ୍ଥମ ଏହି ମିନିଲିଗ୍‌ରେ ଭାଗ ନେବେ। ଚାନ୍ଥମ ଚଳିତ ବର୍ଷ ପ୍ରଥମ ଥାଇ କ୍ରିକେଟର ଭାବେ ଟି-୨୦ ବିଶ୍ବକପ୍‌ରେ ଅର୍ଦ୍ଧଶତକ କରିଥିଲେ।

୪ ମ୍ୟାଚ୍‌ ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ଓ୍ବେଷ୍ଟଇଣ୍ଡିଜ୍‌ ଓ ନ୍ୟୁଜିଲାଣ୍ଡର ବହୁ ଆଗଧଡ଼ିର ଖେଳାଳିଙ୍କୁ ସାମିଲ କରାଯାଇଛି ବୋଲି ବିସିସିଆଇ ସଚିବ ପ୍ରକାଶ କରିଛନ୍ତି। ପ୍ରତି ଟିମ୍‌ରେ ବିଦେଶୀ ଖେଳାଳି ସ୍ଥାନ ପାଇଛନ୍ତି। ତେବେ ଏହି ଖେଳ କରୋନା ପାଇଁ ଆଶା ଆଶଙ୍କା ମଧ୍ୟରେ ଥିଲା। କିନ୍ତୁ ବିସିସିଆଇ ଅଧ୍ୟକ୍ଷ ଏହି ମ୍ୟାଚ୍‌ କରିବା ପାଇଁ କିନ୍ତୁ ଆଗ୍ରହୀ ଥିଲେ। ତେଣୁ ସୌରଭ ଗାଙ୍ଗୁଲୀ ଚୟନ ସମିତିରେ ନୀତୁ ଡେଭିଡ୍‌ଙ୍କୁ ପ୍ରମୁଖ ଭାବେ ନିଯୁକ୍ତ କରିଥିଲେ।

ଅନ୍ୟପଟେ ସମସ୍ତ ଟିମରେ ଭାଗ ନେବାକୁ ଥିବା ୩୦ ଭାରତୀୟ ଖେଳାଳିଙ୍କୁ ୧୩ ଅକ୍ଟୋବର ସୁଦ୍ଧା ମୁମ୍ବାଇରେ ପହଞ୍ଚିବାକୁ କୁହାଯାଇଛି। ସେଠାରେ ପହଞ୍ଚିବା ପରେ ପ୍ରଥମେ ସପ୍ତାହେ କ୍ବାରେଣ୍ଟାଇନ୍‌ ପରେ କରୋନା ଟେଷ୍ଟିଂ କରାଯିବ ବୋଲି ଜଣାପଡ଼ିଛି। ପରେ ଅକ୍ଟୋବର ୨୨ରେ ୟୁଏଇ ଗସ୍ତରେ ବାହାରିବ ମହିଳା ଦଳ। ସେଠାରେ ପହଞ୍ଚିବା ପରେ ୬ ଦିନ କ୍ବାରେଣ୍ଟାଇନ୍‌ରେ ରହିବେ ଖେଳାଳି।

ଉଦଘାଟନୀ ମ୍ୟାଚ୍‌ରେ ସୁପରନୋଭାସ୍‌ ଓ ଭେଲୋସିଟି ସାମ୍ନାସାମ୍ନି ହେବାକୁ ଥିବା ବେଳେ ନଭେମ୍ବର ୫ରେ ଭେଲୋସିଟି ଓ ଟ୍ରେଲ୍‌ବ୍ଲେଜର୍‌ ମଧ୍ୟରେ ମ୍ୟାଚ୍‌ ହେବ। ୭ରେ ଟ୍ରେଲ୍‌ବ୍ଲେଜର୍‌ ଓ ସୁପରନୋଭାସ୍‌ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଡିସେମ୍ବର ୯ରେ ଅନୁଷ୍ଠିତ ହେବ ନିର୍ଣ୍ଣାୟକ ମ୍ୟାଚ୍‌। ଏହାସହ ସମସ୍ତ ୩ ଦଳର ଖେଳାଳିଙ୍କ ନାଁ ସୂଚୀ ମଧ୍ୟ ବିସିସିଆଇ ପ୍ରକାଶ କରିସାରିଛି।

ସୁପରନୋଭାସ୍‌- ହରନପ୍ରୀତ କୌର, ଜେମିମାହ ରୋଡିଗ୍ଜ, ଚମାରି ଆଟାପାଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ, ରାଧା ଯାଦବ, ତାନିୟା ଭାଟିଆ(ଉ.କି), ଶଶିକଳା ଶିରିଓ୍ବାଡେନେ, ପୁନମ ଯାଦବ, ଶକିରା ସେଲମନ,ଅରୁନ୍ଧତୀ ରେଡ୍ଡୀ, ପୁଜା ବସ୍ତ୍ରକର, ଆୟୁସୀ ସୋନି, ଆୟାବୋଙ୍ଗା ଖାକା, ମୁସ୍କାନ ମଲିକ

ଟ୍ରେଲ୍‌ବ୍ଲେଜ୍‌ର- ସ୍ମୃତି ମନ୍ଧନା, ଦିପ୍ତି ଶର୍ମା, ପୁନମ ରାଉତ, ରିଚା ଘୋଷ, ହେମଲତା, ନୁଝତ ପରବୀନ, ରାଜେଶ୍ବରୀ, ହରଲୀନ ଦେଓ୍ବଲ, ଝୁଲନ, ସିମରନ୍‌, ସାଲମା ଖାତୁନ, ଶୋଫି ଏକ୍ଲେଷ୍ଟୋନ୍‌, ନାଥାକାମ ଚାନ୍ଥମ, ଦିଏନ୍ଦ୍ର ଦୁଟିନ୍‌, କାଶଭି ଗୌତମ

ଭେଲୋସିଟି- ମିତାଲି ରାଜ, ବେଦ କ୍ରିଷ୍ଣମୂର୍ତ୍ତୀ, ଶେଫାଳି ବର୍ମା, ଶୁଷମା ବର୍ମା, ଏକତା, ମାନସୀ ଯୋଷୀ, ଶୀଖା ପାଣ୍ଡେ, ଦେବିକା ବୈଦ୍ୟ, ଶୁଶ୍ରୀ ଦିବ୍ୟଦର୍ଶୀନି, ମନାଲି ଡାକସାଇନି, ଲେଗ୍‌ କାସପେରେକ୍‌, ଡାନିଏଲେ ଓ୍ବେଟ୍‌, ସନ୍‌ ଲୁସ୍‌, ଜାହାନାରା, ଏମ ଅନଙ୍ଗ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.