ଆଇପିଏଲ ୨୦୨୧ : ସାରଜାରେ ମୁହାଁମୁହିଁ ହେବେ ଚେନ୍ନାଇ ଓ ହାଇଦ୍ରାବାଦ, ଜିତିଲେ ପ୍ଲେଅଫ୍‌ରେ ଏଣ୍ଟ୍ରି କରିବ ଧୋନୀବାହିନୀ

Published By : Prameya-News7 Bureau | September 30, 2021 IST

ସାରଜା,୩୦/୦୯: ଚଳିତ ଆଇପିଏଲ୍‌ର ୪୪ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍‌ ଜରିଆରେ ସୁପର କିଙ୍ଗ୍‌ସ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ପ୍ଲେ-ଅଫ୍‌ରୁ ବାଦ ପଡ଼ି ସାରିଥିବା ସନ୍‌ରାଇଜର୍ସ ବିଜୟ ଜାରି ରଖି ପଏଣ୍ଟ ତାଲିକାରେ ଉନ୍ନତି ଆଣିବାକୁ ପ୍ରୟାସ କରିବ ।

ସୁପର କିଙ୍ଗ୍‌ସ ୧୦ଟି ମ୍ୟାଚ୍‌ରୁ ୮ ବିଜୟ ସହ ମୋଟ ୧୬ପଏଣ୍ଟ ପାଇ ଶୀର୍ଷ ସ୍ଥାନରେ ରହିଛି । ପ୍ଲେ-ଅଫ୍‌ ସ୍ଥାନ ପାଇଁ ଦଳକୁ ଆଉ ଗୋଟିଏ ବିଜୟ ଆବଶ୍ୟକ। ସନ୍‌ରାଇଜର୍ସ ୧୦ଟି ମ୍ୟାଚ୍‌ରୁ ୨ଟି ଜିତି ୪ପଏଣ୍ଟ ସହ ନିମ୍ନ ସ୍ଥାନରେ ରହିଛି । ପ୍ରଥମ ଭାଗରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସୁପର କିଙ୍ଗ୍‌ସ ୭ ୱିକେଟ୍‌ରେ ବିଜୟ ହାସଲ କରିଥିଲା । ସନ୍‌ରାଇଜର୍ସ ଦଳ ଗୁରୁବାର ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି ।

ଦ୍ୱିତୀୟ ଭାଗରେ ସୁପର କିଙ୍ଗ୍‌ସ କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ଜିତି ଦୃଢ଼ ମନୋବଳରେ ରହିଛି । କେବଳ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଫର୍ମକୁ ନେଇ ସଂଘର୍ଷ କରୁଥିବାବେଳେ ଅନ୍ୟ ସମସ୍ତେ ଭଲ ପ୍ରଦର୍ଶନ କରୁଛନ୍ତି । ସୁପର କିଙ୍ଗ୍‌ସ ବ୍ୟାଟିଂ ଓ ସନ୍‌ରାଇଜର୍ସ ବୋଲିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି । ସନ୍‌ରାଇଜର୍ସ ଦଳ ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟ୍‌ରେ ହରାଇ ୫ ମ୍ୟାଚ୍‌ ପରାଜୟଧାରାରେ ବ୍ରେକ୍‌ ଲଗାଇଥିଲା । ଏହି ବିଜୟ ପରେ ଦଳୀୟ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ ରହିଛି । ଆଜିର ମ୍ୟାଚ୍‌ରେ ସୁପର କିଙ୍ଗ୍‌ସକୁ ହରାଇବାକୁ ହେଲେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ । ଓପନର ଜାସନ୍‌ ରୟ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଥିଲେ । ଅଧିନାୟକ କେନ୍‌ ୱିଲିୟମସନ୍‌ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିଥିଲେ । ଉଭୟଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.