ସେପ୍ଟେମ୍ବର ୨୬ରୁ ଆଇପିଏଲ ! ୟୁଏଇରେ ହୋଇପାରେ ଆୟୋଜନ

Published By : Prameya-News7 Bureau | July 18, 2020 IST

ନୂଆଦିଲ୍ଲୀ,୧୮|୦୭: କରୋନା ଭାଇରସ ପାଇଁ ସ୍ଥଗିତ ଥିବା ଆଇପିଏଲ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ । ସେପ୍ଟେମ୍ବର ୨୬ରୁ ଆଇପିଏଲ ଆରମ୍ଭ ହେବ ବୋଲି କିଛି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ମିଡିଆ ରିପୋର୍ଟସ୍ ଅନୁସାରେ, ବିସିସିଆଇ ଆଇପିଏଲ ଆୟୋଜନ ନେଇ ଖେଳସୂଚୀ ପ୍ରସ୍ତୁତ କରିଛି । ଏହାର ଆୟୋଜନ ଚଳିତ ଥର ଦେଶ ବାହାରେ ହେବ । ରିପୋର୍ଟ ଅନୁସାରେ ୟୁଏଇରେ ଏହା ଖେଳାଯାଇପାରେ । କାରଣ ଭାରତରେ ଲଗାତାର ଭାବେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବିସିସିଆଇ ଦେଶ ବାହାରେ ଏହାର ଆୟୋଜନ ନେଇ ନିଷ୍ପତ୍ତି ନେଇଛି ।  

ସୂତ୍ରାନୁସାରେ, ନଭେମ୍ବର ୨୬ରେ ଆଇପିଏଲର ଫାଇନାଲ୍ ମ୍ୟାଚ ଖେଳାଯାଇପାରେ । ଅଗଷ୍ଟ ପ୍ରଥମ ସପ୍ତାହରେ ସମସ୍ତ ଖେଳସୂଚୀ ଜାରି ହୋଇପାରେ । ଏହାସହ ଭାରତୀୟ କ୍ରିକେଟର ୫ ସପ୍ତାହର ଟ୍ରେନିଂ ପାଇଁ ୟୁଏଇ ଯାଇପାରନ୍ତି ।

ପୂର୍ବରୁ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ଲିଗ୍‌କୁ ଭାରତରେ ଆୟୋଜିତ କରିବା ନେଇ ଚିନ୍ତା କରାଯାଉଥିଲା । କିନ୍ତୁ କରୋନା ପାଇଁ ଏହାକୁ ଦେଶ ବାହାରେ ଅର୍ଥାତ ଶ୍ରୀଲଙ୍କା କିମ୍ବା ୟୁଏଇରେ ଆୟୋଜିତ କରାଯାଇପାରେ । କାରଣ ଆଉ କିଛି ରାସ୍ତା ନାହିଁ । ଦେଶରେ ଏବେ ଦର୍ଶକଙ୍କୁ ଷ୍ଟାଡିୟମ ମନା ହୋଇଛି । ବିସିସିଆଇ ବିନା ଦର୍ଶକରେ ମ୍ୟାଚ ଆୟୋଜନ ନେଇ ମଧ୍ୟ ବିଚାର କରୁଛି ।

ସେ ଆହୁରି କହିଥିଲେ ଯେ, ଶ୍ରୀଲଙ୍କା କିମ୍ବା ୟୁଏଇରେ ଆଇପିଏଲର ଆୟୋଜନ ନେଇ ଅଧିକ ସମ୍ଭାବନା ରହିଛି । ଏହାକୁ ନେଇ ନିଷ୍ପତ୍ତି ନିଆଯିବ । କରୋନା ସ୍ଥିତିକୁ ମଧ୍ୟ ବିଚାର କରାଯିବ । ଏନେଇ ଅତିଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ ।

ତେବେ ସେପ୍ଟେମ୍ବର ୨୬ରେ ଆଇପିଏଲର ଆୟୋଜନ ନେଇ ବିସିସଆଇ ପକ୍ଷରୁ ବିଦ୍ଧିବଦ୍ଧ ଘୋଷଣା କରାଯାଇ ନାହିଁ । ଏନେଇ ଅତିଶୀଘ୍ର ଘୋଷଣା କରାଯିବ ବୋଲି ସୂଚନା ମିଳିଛି  ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.