IPL: ୬ ଓ୍ଵିକେଟ୍‌ରେ ଜିତିଲା ରାଜସ୍ଥାନ ରୟାଲ୍ସ, କେକେଆରର କ୍ରମାଗତ ଚତୁର୍ଥ ପରାଜୟ

Published By : Prameya-News7 Bureau | April 24, 2021 IST

ମୁମ୍ବାଇ ୨୪।୦୪: ଆଇପିଏଲ୍‌ର ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍‌ ରାଇଡର୍ସଙ୍କୁ ୬ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥିସହ ଚଳିତ ସିଜିନ୍‌ରେ ରାଜସ୍ଥାନ ରୟାଲ୍ସ ପଞ୍ଚମ ମ୍ୟାଚ୍‌ରୁ ଦ୍ଵିତୀୟ ବିଜୟ ହାସଲ କରିଛି। ଅନ୍ୟପଟେ କୋଲକାତା ନାଇଟ୍‌ ରାଇଡର୍ସ ଲଗାତାର ଚତୁର୍ଥ ପରାଜୟ ଭୋଗି ପଏଣ୍ଟ ଟେବୁଲ୍‌ର ନିମ୍ନକୁ ଖସି ଆସିଛି।

ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଥିଲା। ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ସର୍ବାଧିକ ୩୬ ରନ କରିଥିଲେ। ଜବାବରେ ରାଜସ୍ଥାନ ରୟାଲ୍ସ ୧୮.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଦଳ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୪୨ ରନ କରି ଅପରାଜିତ ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ଡେଭିଡ୍ ମିଲର ୨୪ ରନର ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ। ରାଜସ୍ଥାନ ପକ୍ଷରୁ କ୍ରିସ୍ ମୋରିସ୍ ୨୩ ରନରେ ସର୍ବାଧିକ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

୧୩୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସ ୨୧ ରନରେ ଜୋସ୍  ବଟଲର(୫ ରନ) ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଯଶସ୍ଵୀ ଜୟସଓ୍ଵାଲ ୧୭ ବଲ୍‌ରୁ ୫ ଚୌକା ସହ ୨୨ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ ସଞ୍ଜୁ ସାମସନ କ୍ରିଜ୍‌ରେ ଜମି ରହି  ଦଳର ଇନିଂସକୁ ସମ୍ଭାଳିଥିଲେ। ଶିବ ଦୁବେ ୨୨ ରନ କରି ପାଭିଲିୟନ ଫେରିଥିଲେ। ରାହୁଲ ତେଓ୍ଵତିଆ(୫ ରନ) ବିଫଳ ହୋଇଥିଲେ। ଏହା ପରେ ସାମସନ  ଓ ମିଲର ଅପରାଜିତ ରହି ଦଳକୁ ୧୮.୫ ଓଭରରେ ୪ ଓ୍ଵିକେଟ୍ ହରାଇ ବିଜୟୀ କରାଇଥିଲେ। ସାମସନ ୪୧ ବଲ୍‌ରୁ ୨ ଚୌକା ଓ ୧ ଛକା ସହ ୪୨ ରନ ଓ ମିଲର ୨୪ ରନ କରି ଅପରାଜିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.