କରୋନା ପାଇଁ ଘୁଞ୍ଚିଲା ଆଇପିଏଲ, ଏପ୍ରିଲ ୧୫ ଯାଏଁ ସ୍ଥଗିତ
13/03/2020 at 6:49 PM

ନୂଆଦିଲ୍ଲୀ, ୧୩|୦୩: ଆଇପିଏଲ ଉପରେ କରୋନା ପ୍ରଭାବ । ଏପ୍ରିଲ ୧୫ ଯାଏ ସ୍ଥଗିତ ରହିଲା ଇଣ୍ଡିଆନ ପ୍ରିମିଅର ଲିଗ୍ । ଖେଳାଳି ଓ ଦର୍ଶକଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ବିସିସିଆଇର ଏଭଳି ନିଷ୍ପତ୍ତି ନେଇଛି । ତେବେ ଆସନ୍ତାକାଲି ଆଇପିଏଲ ପରିଚାଳନା କମିଟି ସହ ଆଇପିଏଲ ଫ୍ରାଞ୍ଚାଇଜର ବୈଠକ ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।

ଆଇପିଏଲ୍ ଘୁଞ୍ଚିଲା । ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲର ୧୩ତମ ସଂସ୍କରଣ ଏପ୍ରିଲ ୧୫ଯାଏ ସ୍ଥଗିତ ରଖିଲା ବିସିସିଆଇ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ଭାବେ ଘୋଷଣା କରିବା ପରେ ଖେଳାଳି ଓ ହଜାର ହଜାର ଦର୍ଶକଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ବିସିସିଆଇ ଏଭଳି ନିଷ୍ପତ୍ତି ନେଇଛି । ଚଳିତ ମାସ ୨୯ତାରିଖରୁ ଆଇପିଏଲ ଆରମ୍ଭ ହେବାର ଥିଲା । ସେପଟେ କରୋନା ସଂକ୍ରମଣକୁ ନଜରରେ ରଖି ଭାରତ ସରକାର ବର୍ତ୍ତମାନ ପାଇଁ ସମସ୍ତ ବିଦେଶୀ ନାଗରୀକଙ୍କୁ ଭାରତ ଆସିବାକୁ ଥିବା ଭିସା କ୍ୟାନସଲ କରିଦେଇଛନ୍ତି । ତେଣୁ ଆସନ୍ତାକାଲି ବିସିସିଆଇ ଡାକିଥିବା ଆଇପିଏଲ ପରିଚାଳନା କମିଟି ଓ ଆଇପିଏଲ ଫ୍ରାଞ୍ଚାଇଜର ବୈଠକ ପରେ ହିଁ ଆସନ୍ତା ଆଇପିଏଲ ସଂପର୍କରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ।

ସେପଟେ ବିସିସିଆଇ କେନ୍ଦ୍ର ସରକାର , କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଓ ଆଇପିଏଲ ଖେଳାଯିବାକୁ ଥିବା ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି । ମୁମ୍ବାଇ ବିସିସିଆଇ ମୁଖ୍ୟାଳୟରେ ସଭାପତି ସୌରଭ ଗାଙ୍ଗୁଲି ,ସମ୍ପାଦକ ଜୟ ସହା ଓ ବହୁ ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଆଇପିଏଲ୍ ସଂପର୍କିତ ନିଷ୍ପତ୍ତି ନିଆଯାଇଛି । ସେପେଟେ ଦିଲ୍ଲୀରେ ଆଗାମୀ ଆଇପିଏଲର ସମସ୍ତ ମ୍ୟାଚକୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଷ୍ଟାଡିଅମ୍ରେ ହଜାର ହଜାର ଲୋକଙ୍କ ସମାଗମ ସମ୍ଭାବନା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି।

ଏବେ ବିସିସିଆଇ ପାଖରେ ପାଖାପାଖି ଏକ ମାସ ସମୟ ଥିବାରୁ ବିଦେଶୀ ଖେଳାଳିଙ୍କୁ ଭିସା ପ୍ରଦାନ, ଆଇପିଏଲର ଉପଯୁକ୍ତ ଭେନ୍ୟୁ ଓ ମ୍ୟାଚର ଫର୍ମାଟ ନେଇ ଆଲୋଚନା ହୋଇପାରେ । ସେହିପରି ମ୍ୟାଚ ଗୁଡିକ ବିନା ଦର୍ଶକରେ ଷ୍ଟାଡିୟମ ଗୁଡିକରେ ଆୟୋଜନ ନେଇ ଆଲୋଚନା ହୋଇପାରେ । ଏହାସହ ବିଭିନ୍ନ ଫ୍ରାଞ୍ଚାଇଜ୍ଙ୍କ ପସନ୍ଦ ଷ୍ଟାଡିୟମ ଗୁଡିକରେ ଆଇପିଏଲ୍ ମ୍ୟାଚ ଆୟୋଜନ ନକରି ସାରା ଦେଶର ଗୋଟିଏ କିମ୍ବା ୨ଟି ଭେନ୍ୟୁରେ ସମସ୍ତ ମ୍ୟାଚ ଆୟୋଜନ ନେଇ ବିସିସିଆଇ ବିଚାର ବିମର୍ଷ କରୁଛି । ସେପଟେ କରୋନା ସଂକ୍ରମଣ ଭୟରେ ଇଂଲଣ୍ଡ, ଶ୍ରୀଲଙ୍କା ଟୁର୍ ବାତିଲ କରିଛି ।