ନୂଆଦିଲ୍ଲୀ ୨୧/୦୫: ଚଳିତ ଆଇପିଏଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍ ଜରିଆରେ ପ୍ଲେ- ଅଫ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଯିବ । କ୍ୟାପିଟାଲ୍ସ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ପ୍ଲେ-ଅଫ୍ରେ ପହଞ୍ଚିବାକୁ ହେଲେ କ୍ୟାପିଟାଲ୍ସକୁ ଏହି ମ୍ୟାଚ୍ ଜିତିବାକୁ ପଡ଼ିବ । ପରାଜିତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୧୬ପଏଣ୍ଟ) ପ୍ଲେ- ଅଫ୍କୁ ଊନ୍ନୀତ ହେବ । ତେଣୁ ମ୍ୟାଚ୍ କଡ଼ା ସଂଘର୍ଷପୂର୍ଣ୍ଣ ହେବ ।
ଶନିବାର କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ନିଜ ନିଜର ଅନ୍ତିମ ଲିଗ୍ ଖେଳିବେ । କ୍ୟାପିଟାଲ୍ସ ୧୩ଟି ମ୍ୟାଚ୍ରୁ ୭ ବିଜୟ ସହ ମୋଟ ୧୪ପଏଣ୍ଟ ପାଇ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ମୁମ୍ବାଇକୁ ହରାଇଲେ ଦଳର ପଏଣ୍ଟ ସଂଖ୍ୟା ୧୬ରେ ପହଞ୍ଚିବ । ଚତୁର୍ଥ ସ୍ଥାନରେ ଥିବା ରୟାଲ୍ ଚ୍ୟାଲେଞ୍ଜର୍ସ (୧୬) ଦୁର୍ବଳ ରନ୍ ରେଟ୍ ଯୋଗୁ ପଞ୍ଚମ ସ୍ଥାନକୁ ଖସିବା ସହ ପ୍ଲେ-ଅଫ୍ରୁ ବାଦ ପଡ଼ିବ । ଯଦି ମୁମ୍ବାଇ ଶେଷ ଲିଗ୍ରେ ବିଜୟୀ ହୁଏ, ତା’ହେଲେ କ୍ୟାପିଟାଲ୍ସର ଅଭିଯାନ ଶେଷ ହୋଇଯିବ । ରୟାଲ୍ ଚ୍ୟାଲେଞ୍ଜର୍ସର ଭାଗ୍ୟ ମୁମ୍ବାଇ ଇଣ୍ଡିଆନ୍ସ ହାତରେ ରହିଛି । ତେଣୁ ରୟାଲ୍ ଚ୍ୟାଲେଞ୍ଜର୍ସ ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସକୁ ସମର୍ଥନ କରିବେ ।
ରିଷଭ ପନ୍ତଙ୍କ ନେତୃତ୍ୱାଧିନ କ୍ୟାପିଟାଲ୍ସ ଦଳ ପୂର୍ବ ଦୁଇଟି ଲିଗ୍ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗ୍ସକୁ ହରାଇଥିଲା । ଏହା ଦଳୀୟ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ କରିଛି । ଅସୁସ୍ଥ ପୃଥ୍ୱୀ ଶ’ଙ୍କ ସ୍ଥାନରେ ପୂର୍ବ ମ୍ୟାଚ୍ରେ ଓପନ କରିଥିବା ସର୍ଫରାଜ ଖାନ ବିସ୍ଫୋରକ ବ୍ୟାଟିଂ କରି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ଅନ୍ୟ ପଟରେ ଡେଭିଡ୍ ୱାର୍ଣ୍ଣର ଓ ମିଚେଲ ମାର୍ଶ ଜବରଦସ୍ତ ଫର୍ମରେ ରହିଛନ୍ତି । କେବଳ ଅଧିନାୟକ ପନ୍ତଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି ।
ମୁମ୍ବାଇକୁ ହରାଇବାକୁ ହେଲେ ପନ୍ତଙ୍କୁ ବଡ଼ ଇନିଂସ୍ ଖେଳିବାକୁ ପଡ଼ିବ । ବୋଲିଂ ବିଭାଗ ଦୃଢ଼ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ସହ ସିଜନ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଅଧିନାୟକ ରୋହିତ ଶର୍ମା ଓ ଇଶାନ କିଷନ ଫର୍ମକୁ ଫେରିଲେ ଦଳ ବଡ଼ ସ୍କୋର କରିପାରିବ । ମଧ୍ୟକ୍ରମରେ ଟିମ୍ ଭେଡିଡ୍ ଓ ଯୁବ ବ୍ୟାଟର ତିଳକ ବର୍ମା ନିମୟିତ ଭଲ ପ୍ରଦର୍ଶନ କରୁଛନ୍ତି । ବୋଲିଂ ବିଭାଗ ଦିଲ୍ଲୀ ବ୍ୟାଟରଙ୍କୁ ରୋକି ପାରିଲେ ଦଳର ବିଜୟ ସହଜ ହୋଇପାରିବ ।