Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ୟୁଏଇରେ ଖେଳାଯିବ ଆଇପିଏଲର ବଳକା ମ୍ୟାଚ୍ ! କ୍ଷତି ସହିବାକୁ ଚାହୁଁନି ବିସିସିଆଇ

23/05/2021 at 11:46 AM

ନୂଆଦିଲ୍ଲୀ,୨୩/୦୫:  କରୋନା ଭାଇରସକୁ ନେଇ ସାରା ଦେଶରେ ଆତଙ୍କ ଲାଗି ରହିଛି । କରୋନା ଆତଙ୍କ ପାଇଁ ଆଇପିଏଲ ୨୦୨୧କୁ ମଧ୍ୟ ଅଧାରୁ ବନ୍ଦ କରିଛି ଆଇପିଏଲ । ଏହାର ବଳକା ମ୍ୟାଚ୍ କେବେ ଖେଳାଯିବ ସେନେଇ ତାରିଖ ଓ ସ୍ଥାନ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଭାରତରେ ମ୍ୟାଚ୍‌ର ଆୟୋଜନ ଚାହୁଁନି ବିସିସିଆଇ । ୟୁଏଇରେ ବିସିସିଆଇ ବଳକା ମ୍ୟାଚର ଆୟୋଜନ ନେଇ ବିଚାର କରୁଛି ।

ଆଇପିଏଲ-୨୦୨୧ରେ ବାକିଥିବା ୩୧ଟି ମ୍ୟାଚ୍ ଆୟୋଜନ ନେଇ ବିସିସିଆଇ ଅତିଶୀଘ୍ର ନିଷ୍ପତ୍ତି ନେଇପାରେ । ଏଥିପାଇଁ ମେ ୨୯ ତାରିଖରେ ବୈଠକ ଡାକିଛି ବୋର୍ଡ । ଏଥିରେ ଆଇପିଏଲକୁ ୟୁଏଇ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇପାରେ । ଏହାସହ ଇଂଲଣ୍ଡ ଓ ଶ୍ରୀଲଙ୍କାକୁ ମଧ୍ୟ ବିସିସିଆଇ ବିକଳ୍ପ ଭାବେ ଦେଖୁଛି ।

ସବୁଠାରୁ ବଡ କଥା ଏହାଯେ, ବର୍ତ୍ତମାନର ସ୍ଥିତିକୁ ଦେଖି ଚଳିତ ବର୍ଷ ହେବାକୁ ଥିବା ଟି୨୦ କ୍ରିକେଟ ବିଶ୍ୱକପର ଆୟୋଜନ ଭାରତରେ ହେବା କଠିନ ଲାଗୁଛି । ଆଇସିସି ଜୁନ ୧ ତାରିଖରେ ବିଶ୍ୱକପକୁ ଭାରତ ବଦଳରେ ୟୁଏଇକୁ ସ୍ଥାନାନ୍ତର କରିପାରେ । ଯଦି ବିଶ୍ୱକପ ୟୁଏଅରେ ହୁଏ ତେବେ ବିସିସିଆଇ ଆଇପିଏଲକୁ ମଧ୍ୟ ସେଠାକୁ ସ୍ଥାନାନ୍ତର କରିବ । ବିସିସିଆଇ ପାଖରେ ବିକଳ୍ପ କମ୍ ରହିଛି । ଅନେକ କମ୍ପାନୀ ଆଇପିଏଲର ପ୍ରୟୋଜକ ଅଛନ୍ତି । ଯଦି ଆଇପିଏଲ ଆୟୋଜନ ନହେବ ତେବେ ବିସିସିଆଇ ପ୍ରାୟ ୨୫୦୦ କୋଟି ଟଙ୍କା କ୍ଷତି ସହିବ । ଏହି କ୍ଷତିକୁ ଏଡାଇବା ପାଇଁ ଟୁର୍ଣ୍ଣାମେଣ୍ଟଟର ଆୟୋଜନ ଜରୁରୀ ଅଟେ ।

ସୂଚନାଯୋଗ୍ୟ, ଆଇପିଏଲ-୨୦୨୧ ଏପ୍ରିଲ ୯ ତାରିଖରେ ଆରମ୍ଭ ହୋଇଥିଲା । କିନ୍ତୁ ଅନେକ ଖେଳାଳି ଓ କର୍ମଚାରୀ ପଜିଟିଭ୍ ଚିହ୍ନଟ ହେବା ପରେ ଏହାକୁ ଅଧାରୁ ବନ୍ଦ କରାଯାଇଥିଲା । ମେ ପ୍ରଥମ ସପ୍ତାହରେ ହିଁ ଆଇପିଏଲକୁ ସ୍ଥଗିତ କରିଥିଲା ବିସିସିଆଇ । ମୋଟ୍ ୬୦ଟି ମ୍ୟାଚରୁ ୨୯ଟି ମ୍ୟାଚ୍ ଖେଳାଯାଇ ସାରିଛି । ୩୧ଟି ମ୍ୟାଚ୍ ବଳକା ରହିଛି । ଏହି ସବୁ ମ୍ୟାଚ୍ ଖେଳିବା ପାଇଁ ଅତିକମରେ ୨୦ ଦିନ ଦରକାର ।

   Related Posts