IPL: ଟେବୁଲର ଶୀର୍ଷରେ ରହିଥିବା ଦଳ ସହିତ ଅଜବ ସଂଯୋଗ, ଜାଣନ୍ତୁ ଫାଇନାଲରେ ପହଞ୍ଚୁଥିବା ଟିମ୍‌ର କଣ ହେଉଛି ଅବସ୍ଥା ?

Published By : Prameya-News7 Bureau | November 06, 2020 IST

ନୂଆଦିଲ୍ଲୀ ୦୬।୧୧: ମୁମ୍ବଇ ଇଣ୍ଡିଆନ୍ସ ଆଇପିଏଲ-୧୩ର ଫାଇନାଲରେ ପ୍ରବେଶ କରି ସାରିଛି। ଚାରି ଥରର ଚମ୍ପିଆନ ମୁମ୍ବାଇ ଟିମ୍ ତାଲିକାର ଶୀର୍ଷରେ ରହି ଫାଇନାଲରେ ପ୍ରବେଶ କରିଛି। ଆଇପିଏଲର ୧୩ ବର୍ଷର ଇତିହାସରେ ତୃତୀୟ ଥର ଟିମ ତାଲିକାର ଶୀର୍ଷରେ ରହି ପ୍ରଥମ ପ୍ରୟାସରେ ହିଁ ଫାଇନାଲରେ ପ୍ରବେଶ କରିଛି। ପ୍ଲେଅଫର ପ୍ରଚଳନ ୨୦୧୧ରୁ ଆରମ୍ଭ ହୋଇଛି ଏବଂ ତେବେଠୁ ଆଜି ପର୍ଯ୍ୟନ୍ତ ଚେନ୍ନାଇ ସୁପରକିଙ୍ଗ୍ସ ୨୦୧୩ ଏବଂ ମୁମ୍ବଇ ଇଣ୍ଡିଆନ୍ସ ୨୦୧୯ରେ ପ୍ଲେଅଫ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ସିଧାସଳଖ ଫାଇନାଲରେ ପହଞ୍ଚିଛି।

ଏହା ପୂର୍ବରୁ ତାଲିକାର ଶୀର୍ଷରେ ରହିଥିବା ଦଳକୁ କ୍ଵାଲିଫାୟର ୨ ଖେଳିବାକୁ ପଡିଛି ଏବଂ ଦଳ ଫାଇନାଲରେ ମଧ୍ୟ ପହଞ୍ଚି ପାରି ନାହାନ୍ତି। ଆଉ କିଛି ଫାଇନାଲରେ ପହଞ୍ଚି ମଧ୍ୟ ପରାଜିତ ହୋଇଛନ୍ତି।

୨୦୧୧

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତାଲିକାର ଶୀର୍ଷରେ ଥିଲା, ମାତ୍ର କ୍ଵାଲିଫାୟର ୧ରେ ପରାସ୍ତ ହୋଇଥିଲା। ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ପୁଣି ଥରେ ଫାଇନାଲରେ ପରାଜିତ ହୋଇଥିଲା।

୨୦୧୨

ତତ୍କାଳୀନ ଦିଲ୍ଲୀ ଫ୍ରାଞ୍ଚାଇଜି- ଦିଲ୍ଲୀ ଡେୟାର ଡେଭିଲ୍ସ ତାଲିକାର ଶୀର୍ଷରେ ଥିଲା, ମାତ୍ର ଦଳ ଦୁଇଟି ପ୍ଲେଅଫ ଅର୍ଥାତ କ୍ଵାଲିଫାୟର-୧ ଏବଂ କ୍ଵାଲିଫାୟର-୨ରେ ପରାଜିତ ହୋଇଥିଲା।

୨୦୧୩

ସିଏସକେ ନେଟ୍ ରନ ରେଟ୍‌ ଆଧାରରେ ଶୀର୍ଷ ସ୍ଥାନ ହାସଲ କରିଥିଲା ଏବଂ କ୍ଵାଲିଫାୟର-୧ରେ ବିଜୟୀ ହୋଇ ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। କିନ୍ତୁ ଫାଇନାଲରେ ଦଳ ମୁମ୍ବାଇ ହାତରୁ ପରାଜିତ ହୋଇଥିଲା।

୨୦୧୪

କିଙ୍ଗ୍ସ ଏକାଦଶ ପଞ୍ଜାବ ପଏଣ୍ଟ ତାଲିକାରେ ଶୀର୍ଷ ରହିଥିଲା। ହେଲେ କ୍ଵାଲିଫାୟର-୧ରେ ପରାସ୍ତ  ହୋଇଥିଲା। ଦଳ ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଥିଲା। ତଥାପି ଦଳ ଫାଇନାଲରେ କେକେଆର ହାତରୁ ପରାଜିତ ହୋଇଥିଲା।

୨୦୧୫

ସିଏସକେ ପ୍ରଥମ ଏବଂ ମୁମ୍ବାଇ କ୍ରମଶଃ ପ୍ରଥମ ଏବଂ ଦ୍ଵିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ଚେନ୍ନାଇକୁ କ୍ଵାଲିଫାୟର-୨ ଖେଳିବାକୁ ପଡିଥିଲା। ଫାଇନାଲରେ ପ୍ରବେଶ କରିଥିଲେ ହେଁ ମୁମ୍ବାଇ ନିକଟରୁ ପରାସ୍ତ ହୋଇଥିଲା।

୨୦୧୬

ଗୁଜରାଟ ଲାୟନ୍ସ ତାଲିକାର ଶୀର୍ଷରେ ରହିଥିଲା। କିନ୍ତୁ ଦଳ କ୍ଵାଲିଫାୟର-୧ ଏବଂ କ୍ଵାଲିଫାୟର-୨ରେ ପରାସ୍ତ ହୋଇଥିଲା।

୨୦୧୭

ମୁମ୍ବାଇ ଇଣ୍ଡିଆନ୍ସ ଶୀର୍ଷରେ ରହିଥିଲା। ମାତ୍ର କ୍ଵାଲିଫାୟର-୧ରେ ଦଳ ପରାଜିତ ହୋଇଥିଲା। ହେଲେ ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍‌ ଜିତି ଫାଇନାଲରେ ପ୍ରବେଶ କରିଥିଲା। ଶେଷ ଦଳ ଚମ୍ପିଆନ ହୋଇଥିଲା।

୨୦୧୮

ଏସଆରଏଚ ନେଟ ରନ ରେଟ୍ କାରଣରୁ ଅଙ୍କ ତାଲିକାର ଶୀର୍ଷରେ ରହିଥିଲା, କିନ୍ତୁ କ୍ଵାଲିଫାୟର-୧ରେ ପରାଜିତ ହୋଇଥିଲା। ପୁଣି କ୍ଵାଲିଫାୟର-୨ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା ଏବଂ ଚେନ୍ନାଇ ହାତରୁ ପରାଜିତ ହୋଇଥିଲା।

୨୦୧୯

ମୁମ୍ବାଇ ଇଣ୍ଡିଆନ୍ସ ଶୀର୍ଷ ସ୍ଥାନ ହାସଲ କରିଥିଲା। କ୍ଵାଲିଫାୟର ୧ ଜିତିବା ସହ ଫାଇନାଲ ମଧ୍ୟ ଜିତିଥିଲା।

୨୦୨୦

ମୁମ୍ଵାଇ ଇଣ୍ଡିଆନ୍ସ ଅଙ୍କ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଥିଲା ଏବଂ କ୍ଵାଲିଫାୟର-୧ରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରି ସାରିଛି। କଣ ଟିମ୍ ନଭେମ୍ଵର ୧୦ରେ ନିଜର ୨୦୧୯ର ସଫଳତା ଦୋହରାଇ ପାରିବ। ଏହା ଦେଖିବା ବାକି ରହିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.