ନୂଆଦିଲ୍ଲୀ ୦୫/୦୫ : କରୋନା ଯୋଗୁଁ ଆଇପିଏଲ ୨୦୨୧ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବାରୁ ବିସିସିଆଇ, ବ୍ରଡକାଷ୍ଟ ସମେତ ସମସ୍ତଙ୍କର କ୍ଷତି ହେବାର ଆଶଙ୍କା ରହିଛି। କିନ୍ତୁ ଖେଳାଳିଙ୍କର କିଛି କ୍ଷତି ହେବନାହିଁ। ଏଥର ଖେଳାଳିଙ୍କୁ ଦରମା ଆକାରରେ ୪୮୩ କୋଟି ଟଙ୍କା ମିଳିବାର ଥିଲା। ଖେଳାଳିଙ୍କ ଏହି ଦରମା କଟାଯିବନାହିଁ। ଖେଳାଳିଙ୍କୁ ପୁରା ଦରମା ମିଳିବ।
ଇନସାଇଡ ସ୍ପୋର୍ଟ୍ସ ଖବର ଅନୁସାରେ, ଖେଳାଳିଙ୍କ ଦରମା ଫ୍ରାଞ୍ଚାଇଜିଙ୍କ ଇନ୍ସୁରାନ୍ସ ପଲିସୀରେ ସାମିଲ ହୋଇଥାଏ। ଯଦି ଖେଳାଳି ଆହତ ହୁଅନ୍ତି କିମ୍ବା ଅନ୍ୟ କିଛି କାରଣ ଯୋଗୁଁ ଖେଳି ନ ପାରନ୍ତି ତାହେଲେ ପୁରା ଦରମା ମିଳିବ। ସୂଚନା ଅନୁଯାୟୀ, ଏଥର ଖେଳାଳିଙ୍କୁ ଦରମା ଆକାରରେ ୪୮୩ କୋଟି ଟଙ୍କା ମିଳିବାର ଥିଲା। ଖେଳାଳିଙ୍କୁ ଦରମା ୩ଟି ଫେଜରେ ଦିଆଯାଏ। ପ୍ରଥମ ଫେଜ୍ ଦିଆ ସରିଛି। ଦରମାର ଆଉ ଦୁଇଟି ଫେଜ୍ ଟୁର୍ଣ୍ଣାମେଣ୍ଟ ସରିବା ପରେ ଦିଆଯାଏ।
ଏଥର ଟି-୨୦ ସିଜନରେ ୬୦ ରୁ ୨୯ ମ୍ୟାଚ ଖେଳାଯାଇଥିଲା। ୩୧ଟି ମ୍ୟାଚ ଏବେ ବି ବାକି ଅଛି। ସେପ୍ଟେମ୍ବର ଓ ନଭେମ୍ବରରେ କରୋନାର ତୃତୀୟ ଲହର ଆସିପାରେ ବୋଲି ଆଶଙ୍କା କରାଯାଉଛି. ଫଳରେ ଟି-୨୦ ଲିଗରେ ବାକି ଥିବା ମ୍ୟାଚ ଭାରତରେ ଆୟୋଜନ ହେବା ମୁସ୍କିଲ। ଟି-୨୦ ବିଶ୍ୱକପ ବାତିଲ ହୋଇପାରେ ନଚେତ ୟୁଏଇରେ ଆୟୋଜନ ହେବ।
ଆଇପିଏଲ ସ୍ଥଗିତ କରିବାରୁ ବିସିସିଆଇର ପ୍ରାୟ ୨୫୦୦ କୋଟି ଟଙ୍କା କ୍ଷତି ହୋଇପାରେ ବୋଲି ଅନୁମାନ କରାଯାଉଛି। ସନରାଇଜର୍ସ ହାଇଦ୍ରାବାଦ, ଦିଲ୍ଲୀ କ୍ୟାପିଟାଲ୍ସ ଓ ସିଏସକେର କିଛି ଷ୍ଟାଫ କରୋନା ପଜିଟିଭ ଚିହ୍ନଟ ହେବାପରେ ବିସିସିଆଇ ବାଧ୍ୟ ହୋଇ ଆଇପିଏଲ ସ୍ଥଗିତ କରିଛି।