IPL ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

Published By : Prameya-News7 Bureau | October 30, 2020 IST

ବ୍ରହ୍ମପୁର୩୦/୧୦: ଆଇପିଏଲ୍‌ ବେଟିଂର ଏକ ବଡ଼ ର‌୍ୟାକେଟ୍‌କୁ ଧରିବାରେ ବ୍ରହ୍ମପୁର ପୁଲିସ ସଫଳ ହୋଇଛି। ବେଟିଂର କିଙ୍ଗ୍‌ପିନ୍‌ ପୁଲିସ ହାତରେ । ଏହା ସହ ତାର ୫ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । କିଙ୍ଗ୍‌ପିନ୍‌ ଓ ତାଙ୍କ ସହଯୋଗୀଙ୍କ ଠାରୁ ପୁଲିସ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବିପୁଳ ପରିମାଣର ଟଙ୍କା ଜବତ କରିଥିବା ସୂଚନା ମିଳିଛି । ଏକ ବୁକି ତାଲିକା ମଧ୍ୟ ଜବତ ହୋଇଛି । ପୁଲିସ ଏନେଇ ବିଶେଷ ଖୁଲାସା କରିନଥିବାବେଳେ କିଙ୍ଗ୍‌‌ପିନ୍‌ ଅଟକ ଥିବା ଏବଂ ଟଙ୍କା ଜବତ କରାଯାଇଥିବା ସ୍ୱୀକାର କରିଛନ୍ତି ଏଏସ୍‌ପି ପ୍ରଭାତ କୁମାର ରାଉତରାୟ । କିନ୍ତୁ କେତେ ଟଙ୍କା ଜବତ ହୋଇଛି ତାହା କିଛି ସ୍ପଷ୍ଟ କରିନାହାନ୍ତି । ତଦନ୍ତ ସରିବା ପରେ ସମସ୍ତ ତଥ୍ୟ ଦିଆଯିବ ବୋଲି କହିଛନ୍ତି ଏସ୍‌ପି ପିନାକ ମିଶ୍ର । ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାରେ ଆଇପିଏଲ୍‌ ବେଟିଂର ସାମ୍ରାଜ୍ୟ ଚଳାଇଥିବା ଉକ୍ତ କିଙ୍ଗ୍‌ପିନ୍‌କୁ ବ୍ରହ୍ମପୁର ପୁଲିସ ପ୍ରଥମ ଥର ପାଇଁ ଗିରଫ କରିଛି ।

ବ୍ରହ୍ମପୁରରୁ ଜିଲ୍ଲା ତମାମ ଆଇପିଏଲ୍‌ ବେଟିଂକୁ କଣ୍ଟ୍ରୋଲ କରାଯାଉଥିବା ସୁରାକ୍‌ ପାଇଥିଲା ପୁଲିସ । ଆରମ୍ଭ ହୋଇଥିଲା ତନାଘନା । ଏହି ବଡ଼ ର‌୍ୟାକେଟ୍‌କୁ ଧରିବାକୁ ପୁଲିସ ଆରମ୍ଭ କରିଥିଲା ପ୍ରୟାସ । ତଥ୍ୟ ପ୍ରଘଟ ଆଶଙ୍କା କରି ଏସ୍‌ପି ମିଶ୍ର ନିଜେ ଏହି ଟିମ୍‌ର ନେତୃତ୍ୱ ନେଇଥିଲେ । ଏସ୍‌ପିଙ୍କ ତତ୍ତ୍ୱାବଧାନରେ ଟାଉନ୍‌ ଥାନା ଆଇଆଇସି ସୁରେଶ କୁମାର ତ୍ରିପାଠୀ ଓ ଗୋସାଇଁନୂଆଗାଁ ଥାନା ଆଇଆଇସି ସୁମିତ୍‌ କୁମାର ସୋରେନ୍‌ ଗୋସାଇଁନୂଆଗାଁ ଥାନା ହାଉସିଂବୋର୍ଡ ଅଞ୍ଚଳରେ ଥିବା କିଙ୍ଗ୍‌ପିନ୍‌ ଘରେ ଚଢ଼ାଉ କରିଥିଲେ ।

ଅନୁସନ୍ଧାନ ଜାରି ରହିଛି ଓ ଏ ସଂପଂର୍କରେ ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଏସ୍‌ପି କହିଛନ୍ତ୍‌ି । ସଂପୃକ୍ତ କିଙ୍ଗପିନ୍‌ ୨୦୧୦ରୁ ଆଇପିଏଲ୍‌ ବେଟିଂ ଆରମ୍ଭ କରିଥିଲା ଏବଂ ଧିରେ ଧିରେ ବେଟିଂ ସାମ୍ରାଜ୍ୟ ବିସ୍ତାର କରିଥିଲା । ଗଞ୍ଜାମ ଜିଲ୍ଲାରେ ବହୁ ଯୁବକଙ୍କୁ ଆଇପିଏଲ୍‌ ବେଟିଂରେ ସଂପୃକ୍ତି କରାଇଥିଲା । ବ୍ରହ୍ମପୁରର ବହୁ ବୁକି ଭୁବନେଶ୍ୱର ଓ ବିଶାଖପାଟଣାମ୍‌ ଯାଇ ବେଟିଂ ର‌୍ୟାକେଟ୍‌ ଚଳାଇଥିବା କୁହାଯାଉଛି । ଜିଲ୍ଲାରେ ବହୁ ବଡ଼ ବୁକିଙ୍କ ତାଲିକା ପୁଲିସ ହାତରେ ଲାଗିଛି । ବଡ଼ ବ୍ୟବସାୟୀ ଏବଂ ଯୁବକ ଏହି ବେଟିଂରେ ଜଡ଼ିତ ଥିବା ସନ୍ଦେହ କରାଯାଉଛି । ପୁଲିସ ଅଚାନକ ଚଢ଼ାଉ କରିବା ପରେ ବୁୁକି ମାନେ ଭୁବନେଶ୍ୱର ଚାଲିଯାଇଥିବା ଚର୍ଚ୍ଚା ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.