IPL ବେଟିଂ କରୁଥିବା ବୁକି ଗିରଫ : ୭୨ଲକ୍ଷ ଟଙ୍କାର ଆକାଉଣ୍ଟ ସିଜ୍

Published By : Prameya-News7 Bureau | February 26, 2021 IST

ବ୍ରହ୍ମପୁର ୨୬।୨: ଗିରଫ ହେଲା ଆଇପିଏଲ୍ ବୁକି ଦୀନେଶ କୁମାର ରାଠୀ । କୋଲକାତାରୁ ଗିରଫ କଲା ବ୍ରହ୍ମପୁର ପୋଲିସ । ଏହାସହ ୭୨ଲକ୍ଷ ଟଙ୍କାର ଆକାଉଣ୍ଟ ସିଜ୍ କରିଛି ପୋଲିସ । ଦୀନେଶକୁ ୩ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ବ୍ରହ୍ମପୁର ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ପୀନାକ୍ ମିଶ୍ର ଏହି ସୂଚନା ଦେଇଛନ୍ତି ।

ଅକ୍ଟୋବର ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲ ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଥିବା ଏସପି ସୂଚନା ଦେଇଛନ୍ତି ।  ୨୦୨୦ ମସିହା ଅକ୍ଟୋବର ୨୯ ତାରିଖରେ ଲାଲି ଆଚାରୀ,  ପ୍ରଶାନ୍ତ ସୁବୁଦ୍ଧିଙ୍କୁ ଗିରଫ କରିବା ସହ ୩୩ ଲକ୍ଷ ୬୧ ହଜାର ଟଙ୍କା,  ୪ଟି ମୋବାଇଲ୍ ଫୋନ୍ ଜବତ କରିଥିଲା ପୋଲିସ ।

ସେହିଭଳି ୨୦୨୦ ଡିସେମ୍ବର ମାସ ୭ ତାରିଖରେ ବିଶାଲ୍ ଅଗ୍ରୱାଲ୍ ଓ ଅଜିତ୍ କୁମାର ବରାଦ୍ ଙ୍କୁ ଗିରଫ କରିବା ସହ ୧,୯୫,୦୦୦ ଟଙ୍କା,  ୭ ଟି ମୋବାଇଲ୍ ଫୋନ୍ ଜବତ ହୋଇଥିଲା । ଡିସେମ୍ବର ୧୩ ତାରିଖରେ ଅଜୟ ପଣ୍ଡାଙ୍କୁ ଗିରଫ କରିବା ସହ ୧୧,୫୦୦ ଟଙ୍କା ଜବତ କରିଥିଲା ପୋଲିସ ।

ଏବେ ପୁଣି ଆଇପିଏଲ ବୁକିକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଏହି ଘଟଣାରେ ଆହୁରି ଅଧିକ ତଦନ୍ତ ଜାରି ରହିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.