ଆଇପିଏଲ୍ ୨୦୧୯ ପାଇଁ ଆଜି ନିଲାମୀ ପ୍ରକ୍ରିୟା ; ରାଜସ୍ଥାନ ଜୟପୁରଠାରେ ବସିବ ଆଇପିଏଲ ବଜାର, ନିଲାମରେ ସାମିଲ ହେବ ୩୪୬ ଜଣ ଖେଳାଳି

Published By : Prameya-News7 Bureau | December 18, 2018 IST

ଜୟପୁର ୧୮|୧୨: ୧୨ ବର୍ଷରେ ପାଦ ଥାପିବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ଆଇପିଏଲ୍ ୨୦୧୯ ପାଇଁ ଆଜି ହେବ ନିଲାମୀ ପ୍ରକ୍ରିୟା। ରାଜସ୍ଥାନ ଜୟପୁରରେ ଠାରେ ଗୋଟିଏ ଦିନ ପାଇଁ ଆଇପିଏଲ ବଜାର ବସିବ । ପୂର୍ବରୁ ବାଙ୍ଗାଲୋରଠାରେ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେଉଥିବା ବେଳେ ଚଳିତଥର ଏହା ପରିବର୍ତ୍ତନ ହୋଇ ଜୟପୁରଠାରେ ହେବ। ଏଥିରେ ୨୨୬ ଭାରତୀୟଙ୍କ ସହ ମୋଟ୍ ୩୪୬ ଜଣ ଖେଳାଳି ସାମିଲ ହେବେ । ନିଲାମୀ ଲାଗି ମୋଟ୍ ୧୦୦୩ ଖେଳାଳି ନାମ ପଞ୍ଜିକରଣ କରିଥିଲେ । ଏଥିରୁ କାଣ୍ଟଛାଣ୍ଟ ପରେ ୧୧୮ ନାମି ଓ ୨୨୮ ନୂଆ ଖେଳାଳିଙ୍କ ସହ ମୋଟ୍ ୩୪୬ ଖେଳାଳିଙ୍କ ନାଁ ଚୁଡାନ୍ତ କରାଯାଇ ୮ଫ୍ରାଞ୍ଚାଇଜ୍‌କୁ ପ୍ରଦାନ କରାଯାଇଛି । ଏହି ୮ଟି ଦଳ ପାଖରେ ନିଲାମୀରେ ଡାକ ଲଗାଇବା ପାଇଁ ୧୪୫ କୋଟି ୨୫ ଲକ୍ଷ ଟଙ୍କା ରହିଛି । ତେବେ ନିଲାମୀ ପ୍ରକ୍ରିୟା ପୂର୍ବରୁ ଗତ ମାସରେ ଦଳ ଗୁଡିକ କେଉଁ ଖେଳାଳି ଦଳରେ ରହିବେ ଏବଂ କାହାକୁ ଦଳ ଛାଡି ଥିଲେ ସେନେଇ ଘୋଷଣା କରାଯାଇଥିଲା । ଆଉ ଏଥିରେ ଅନେକ ବଡ ଖେଳାଳିଙ୍କ ନାମ ମଧ୍ୟ ସାମିଲ ଥିଲା । କିଙ୍ଗସ ଏକାଦଶ ପଞ୍ଜାବ ଯୁବରାଜ ସିଂହ ଏବଂ ଦିଲ୍ଲୀ ଡେୟାରଡେଭିଲ୍ସ ଗୌତମ ଗମ୍ଭୀରକୁ ପରିତ୍ୟାଗ କରିଥିଲା । ତେବେ ସବୁଠାରୁ ବଡ କଥା ହେଉଛି ବିଶ୍ୱକପ୍ ପୂର୍ବରୁ ଆଇପିଏଲ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି କେତେକ ଦ୍ରୁତ ବୋଲରମାନଙ୍କୁ ବିଶ୍ରାମ ଦେବାକୁ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.