IPL 2022: ‘କର ବା ମର' ସ୍ଥିତିରେ ହାଇଦ୍ରାବାଦ, ଟସ୍ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି

Published By : Prameya-News7 Bureau | May 17, 2022 IST

ମୁମ୍ବାଇ: ଚଳିତ ଆଇପିଏଲ୍‌ର ୬୫ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚ୍‌ ସନରାଇଜର୍ସ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ୧୨ଟି ମ୍ୟାଚ୍‌ ଖେଳି ସନରାଇଜର୍ସ ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିଛି । ଶେଷ ୨ଟି ମ୍ୟାଚ୍‌କୁ ବଡ ବ୍ୟବଧାନରେ ଜିତି ରନ୍‌ ରେଟ୍‌ ଉନ୍ନତି କରିପାରିଲେ ସନରାଇଜର୍ସର ପ୍ଲେ-ଅଫ୍‌ ସମ୍ଭାବନା ରହିବ। ନଚେତ ମ୍ୟାଚ୍ ପରାଜୟ ସହ ସବୁ ସ୍ୱପ୍ନ ମଉଳି ଯିବ । ଏହି ମ୍ୟାଚରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ଦଳରେ ଦୁଇଟି ପରିବର୍ତ୍ତନ ଘଟିଛି। ମୟଙ୍କ ମାର୍କଣ୍ଡେୟ ଏବଂ ସଞ୍ଜୟ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି। ସେହି ପରି ଦୁଇଟି ପରିବର୍ତ୍ତନ ସହ ହାଇଦ୍ରାବାଦ ମଇଦାନକୁ ଓହ୍ଲାଉଛି। ଶଶାଙ୍କ ସିଂହଙ୍କ ସ୍ଥାନରେ ପ୍ରିୟମ ଗର୍ଗ ଏବଂ ମାର୍କୋ ଜନସେନଙ୍କ ସ୍ଥାନରେ ଫଜଲ ଫାରୁକଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି।

ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ୍‌ ଦୌଡରୁ ବାଦ ପଡ଼ି ସାରିଛି । ପୂର୍ବ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍‌ସକୁ ହରାଇ ପ୍ଲେ-ଅଫ୍‌ ଦୌଡରୁ ବଞ୍ଚିତ କରିଥିଲା । ଏଥର ସନରାଇଜର୍ସକୁ ମଧ୍ୟ ବିଦା କରିବାକୁ ପ୍ରୟାସ କରିବ । ଦଳରେ ଆହତ ସମସ୍ୟା ଓ ଫର୍ମ ହାନୀ ଲାଗି ରହିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ କରିବା ଆଶା କରାଯାଉଛି । ଟିମ୍‌ ଡେଭିଡ୍‌ ଫର୍ମକୁ ଫେରିଛନ୍ତି । ଡାନିଏଲ୍‌ ସାମ୍ସ ଡେଥ୍‌ ଓଭରରେ ଚମତ୍କାର ବୋଲିଂ କରିଛନ୍ତି । କେବଳ ସ୍ପିନ ବିଭାଗକୁ ନେଇ ଚିନ୍ତା ରହିଛି । ମଧ୍ୟ ଭାଗରେ ତିଳକ ବର୍ମା ଦର୍ଶକଙ୍କ ନଜରରେ ରହିବେ ।

ସନରାଇଜର୍ସ ଉନ୍ନତ ବୋଲିଂ ବିଭାଗକୁ ନେଇ ପରିଚିତ । ବ୍ୟାଟିଂ ବିଭାଗ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହିଁ । ତଥାପି ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବାର କ୍ଷମତା ଦଳ ନିକଟରେ ରହିଛି । ଆଜିର ମ୍ୟାଚ୍‌ରେ ଫାଷ୍ଟ ବୋଲର ଉମ୍ରାନ ମଲିକ ନଜରରେ ରହିବେ । ରୋହିତ ଓ ଉମ୍ରାନଙ୍କ ମଧ୍ୟରେ ଏକ ଲଢେଇ ଦେଖିବାକୁ ମିଳିବ । ଚଳିତ ସିଜନରେ ଉଭୟ ପ୍ରଥମ କରି ପରସ୍ପରକୁ ଭେଟିବେ। ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ମ୍ୟାଚ୍‌ ଜିତିଥିଲା । ତେଣୁ ଆଜିର ମ୍ୟାଚ୍‌ରେ ରୋହିତ ବାହିନୀର ପଲା ଭାରି ରହିବା ଆଶା କରାଯାଉଛି। ମୋଟ୍‌ ଉପରେ ଦେଖିବାକୁ ଗଲେ ରୋହିତ ଓ କେନ ୱିଲିୟମସନଙ୍କ ନେତୃତ୍ୱ ଓ ରଣ କୌଶଳ ଦର୍ଶକଙ୍କୁ ଆକୃଷ୍ଟ କରିବ ।

ସନରାଇଜର୍ସ ହାଇଦ୍ରାବାଦ- ଅଭିଷେକ ଶର୍ମା, ପ୍ରିୟମ୍ ଗର୍ଗ, କେନ୍ ୱିଲିୟମସନ (ଅଧିନାୟକ), ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ, ନିକୋଲାସ ପୁରନ (ଓ୍ଵିକେଟ୍ କିପର), ୱାଶିଂଟନ ସୁନ୍ଦର, ଭୁବନେଶ୍ୱର କୁମାର, ଫଜଲ ଫାରୁକି, ଉମ୍ରାନ ମଲିକ, ଟି ନଟରାଜନ।

ମୁମ୍ବାଇ ଇଣ୍ଡିଆନ୍ସ- ଇଶାନ କିଷନ (ଓ୍ଵିକେଟ୍ କିପର), ରୋହିତ ଶର୍ମା (ଅଧିନାୟକ), ଡାନିଏଲ ସାମ୍ସ, ତିଲକ ବର୍ମା, ରମଣଦୀପ ସିଂ, ତ୍ରିଷ୍ଟାନ ଷ୍ଟବ୍ସ, ଟିମ ଡେଭିଡ, ସଞ୍ଜୟ ଯାଦବ, ଜସପ୍ରୀତ ବୁମ୍ରା, ରେଲି ମେରେଡିଥ, ମାୟାନକ ମାର୍କାଣ୍ଡେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.