ଆଇପିଏଲ ୨୦୨୧ : ଶକ୍ତିଶାଳୀ ବେଙ୍ଗାଲୁରୁକୁ ଭେଟିବ କୋଲକାତା ନାଇଟ୍‌ ରାଇଡର୍ସ

Published By : Prameya-News7 Bureau | September 20, 2021 IST

ଦୁବାଇ, ୨୦/୦୯:  ଆଇପିଏଲ୍‌ର ୩୧ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍‌ ରାଇଡର୍ସ । ଏହି ମ୍ୟାଚ୍‌କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ମ୍ୟାଚ୍‌ରେ ପରାଜିତ ହୋଇ ସାରିଥିବାରୁ କୋଲକାତା ନାଇଟ ରାଇଡର୍ସ ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଅନ୍ୟ ପଟରେ ପ୍ରଥମାର୍ଦ୍ଧର ପ୍ରଦର୍ଶନକୁ ଦୋହରାଇବା ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ଲକ୍ଷ୍ୟ ରଖିଛି ।

ଚଳିତ ବର୍ଷ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚମତ୍କାର ଖେଳ ପ୍ରଦର୍ଶନ କରିଛି । କ୍ରମାନ୍ୱୟରେ ପ୍ରଥମ ୪ଟି ମ୍ୟାଚ୍‌ ଜିତିବା ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳ ସିଜନର ସବୁଠୁ ଶକ୍ତିଶାଳୀ ଦଳ ରୂପେ ଗଣା ହୋଇଥିଲା । ଇତି ମଧ୍ୟରେ ୭ଟି ମ୍ୟାଚ୍‌ ଖେଳି ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳ ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିସାରିଛି। ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଓ କେଲି ଜାମିସନଙ୍କ ଉପସ୍ଥିତି ଦଳକୁ ସନ୍ତୁଳିତ ଓ ଶକ୍ତିଶାଳୀ କରିଛି ।

ପ୍ରଥମ ଭାଗର ପ୍ରଦର୍ଶନକୁ ଦ୍ୱିତୀୟ ଭାଗରେ ଦୋହରାଇବା କଷ୍ଟକର ହେବ ନାହିଁ । ଏବି ଡି ଭିଲର୍ସ ୨ ଦିନ ତଳେ ଏକ ଅଭ୍ୟାସ ମ୍ୟାଚ୍‌ରେ ଶତକ ଅର୍ଜନ କରି ଫର୍ମକୁ ଫେରିଛନ୍ତି । ଆଡାମ ଜାମ୍ପା, ଡାନିଏଲ ସାମ୍ସ, ଫିନ ଆଲେନ ଓ କେନ ରିଚାର୍ଡସନ୍‌ ଦ୍ୱିତୀୟ ଭାଗରୁ ଓହରି ଯିବା ଫଳରେ ଏମାନଙ୍କ ସ୍ଥାନରେ ୱାନିଣ୍ଡୁ ହାସାରାଙ୍ଗା, ଟିମ୍‌ ଡେଭିଡ, ଦୁଷ୍ମନ୍ତ ଚାମୀରା ଓ କେନ ରିଚାର୍ଡସନ୍‌ଙ୍କୁ ଡାକରା ମିଳିଛି । ନବାଗତ ୪ ଖେଳାଳି ଉନ୍ନତ ଫର୍ମରେ ରହିଛନ୍ତି । ତଥାପି ଦଳ ୱାସିଂଟନ ସୁନ୍ଦରଙ୍କ ଅନୁପସ୍ଥିତି ଅନୁଭବ କରିବ । କୋଲକାତା ନାଇଟ ରାଇଡର୍ସ ଦଳରେ ଷ୍ଟାର ପେସ୍‌ ବୋଲର ପ୍ୟାଟ୍‌ କମିନ୍ସ ନାହାନ୍ତି । ସେ ଦ୍ୱିତୀୟ ଭାଗରେ ଖେଳିବା ଅନିଛା ପ୍ରକାଶ କରିବାରୁ ତାଙ୍କ ସ୍ଥାନରେ ଟିମ୍‌ ସାଉଦିଙ୍କୁ ଚୁକ୍ତି କରାଯାଇଛି ।

ଅନ୍ୟ ସମସ୍ତ ଖେଳାଳି ପୂର୍ବବତ ଦଳରେ ରହିଛନ୍ତି । ଆଜିର ମ୍ୟାଚ୍‌ ନାଇଟ ରାଇଡର୍ସ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ୭ଟି ମ୍ୟାଚ୍‌ରୁ ମୋଟ୍‌ ୪ ପଏଣ୍ଟ ହାସଲ କରିଥିବା ନାଇଟ୍‌ ରାଇଡର୍ସକୁ ପ୍ଲେ ଅଫ୍‌ ପାଇଁ ଏବେଠୁ ପ୍ରୟାସ କରିବାକୁ ପଡ଼ିବ । ଅବଶ୍ୟ ଦଳର ସମସ୍ତ ଖେଳାଳି ଫିଟ୍‌ ରହିଛନ୍ତି । ମ୍ୟାଚ୍‌ ଅଭ୍ୟାସର ସୁଯୋଗ ନଥିବାରୁ ଖେଳାଳିଙ୍କ ଫର୍ମକୁ ନେଇ ଏବେଠୁ ପୂର୍ବାନୁମାନ କରିବା କଷ୍ଟକର । ତଥାପି ଦୁଇ ଭାରତୀୟ ଶୁଭମନ ଗିଲ୍‌ ଓ ନିତିଶ ରାଣାଙ୍କ ଉପରେ ଦଳର ବ୍ୟାଟିଂ ବିଭାଗ ନିର୍ଭର କରିବ । ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ହାସାରାଙ୍ଗା ପଦାର୍ପଣ କରିବା ଏକ ପ୍ରକାର ନିଶ୍ଚିତ । ଡି ଭିଲର୍ସ, ମ୍ୟାକ୍ସୱେଲ୍‌ ଓ ଜାମିସନ ଅନ୍ୟ ୩ ବିଦେଶୀ ଖେଳାଳି ଭାବେ ଏକାଦଶରେ ସ୍ଥାନ ପାଇବେ । ନାଇଟ ରାଇଡର୍ସ ପକ୍ଷରୁ କମିନ୍ସଙ୍କ ସ୍ଥାନରେ ଲୋକି ଫର୍ଗୁସନ ଖେଳିବା ଆଶା କରାଯାଉଛି।

ସେହିପରି ଇୟନ ମୋର୍ଗାନ, ସୁନିଲ ନାରାଏନ ଓ ଆନ୍ଦ୍ରେ ରସେଲ ଅନ୍ୟ ୩ ବିଦେଶୀ ଖେଳାଳି ଭାବେ ଗ୍ରାଉଣ୍ଡକୁ ଓହ୍ଲାଇବେ ।କୋହଲି ଆସନ୍ତା କାଲି ୨୦୦ତମ ଆଇପିଏଲ୍‌ ମ୍ୟାଚ୍‌ ଖେଳିବେ । ପୂର୍ବରୁ ମହେନ୍ଦ୍ର ସିଂ ଧୋନି, ଦିନେଶ କାର୍ତ୍ତିକ, ରୋହିତ ଶର୍ମା ଓ ସୁରେଶ ରାଇନା ୨୦୦ ମ୍ୟାଚ୍‌ କ୍ଲବ୍‌ରେ ପହଞ୍ଚି ସାରିଛନ୍ତି । ସେ ୭୧ ରନ୍‌ କଲେ ପଞ୍ଚମ ବ୍ୟାଟ୍ସମ୍ୟାନ ଭାବେ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିବେ । ପୂର୍ବରୁ କ୍ରିସ୍‌ ଗେଲ, କିରେନ ପୋଲାର୍ଡ, ସୋହେବ ମାଲିକ ଓ ଡେଭିଡ ୱାର୍ଣ୍ଣର ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.