ଆଇପିଏଲ ୨୦୨୧ : ଆଜି ଡବଲ୍ ଫାଇଟ୍, ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ

Published By : Prameya-News7 Bureau | April 25, 2021 IST

ଚେନ୍ନାଇ,୨୫/୦୪:  ଆଇପିଏଲ୍‌ ୨୦୨୧ର ୨୦ତମ ତଥା ଲିଗ୍ ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ଉଭୟ ଦଳ ବିଜୟଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଥିବାରୁ ଆଜିର ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି ।

ଗତ ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ୬ ୱିକେଟ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା । ଇତି ମଧ୍ୟରେ ୪ଟି ମ୍ୟାଚ୍‌ ଖେଳି କ୍ୟାପିଟାଲ୍ସ ଦଳ ୩ଟି ବିଜୟ ସହ ମୋଟ୍‌ ୬ ପଏଣ୍ଟ ହାସଲ କରିଛି । ସନରାଇଜର୍ସ ଅନ୍ତିମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ୯ ୱିକେଟ୍‌ରେ ପରାସ୍ତ କରି ସିଜନର ପ୍ରଥମ ବିଜୟ ହାସଲ କରିଥିଲା ।

ଚେନ୍ନାଇର ମନ୍ଥର ପିଚ୍‌ରେ ଟସ୍‌ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ରବିବାର ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ପରିବର୍ତ୍ତନ ହେବା ଆଶା କରାଯାଉଛି । କରୋନା ମୁକ୍ତ ହୋଇ ଅକ୍ଷର ପଟେଲ ଦଳ ସହ ଯୋଗ ଦେଇଛନ୍ତି । ତେଣୁ ସେ ଖେଳିବା ସମ୍ଭାବନା ରହିଛି । ସେହିପରି ପେସ୍‌ ବୋଲର ଆନରିଚ ନର୍ଜଙ୍କ ଦ୍ରୁତ ଗତି ଚେନ୍ନାଇର ମନ୍ଥର ପିଚ୍‌ରେ ସହାୟତା କରିବା ନିଶ୍ଚିତ । ତେଣୁ ତାଙ୍କୁ ଏକାଦଶରେ ସୁଯୋଗ ମିଳିପାରେ । ସନରାଇଜର୍ସ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ଦଳକୁ ଶ୍ରେଷ୍ଠ ଏକାଦଶ ମିଳି ଯାଇଛି ।

ରବିବାର ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ୫ଟି ମ୍ୟାଚ୍‌ ମଧ୍ୟରୁ ଦିଲ୍ଲୀ ୩ଟିରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୩ଥର ଭେଟିଥିଲେ । ସନରାଇଜର୍ସ ଉଭୟ ଲିଗ୍‌ ମ୍ୟାଚ୍‌ରେ ବିଜୟୀ ହୋଇଥିଲା । ଦ୍ୱିତୀୟ କ୍ୱାଲିଫାୟର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟୀ ହୋଇ ଫାଇନାଲ୍‌ରେ ପ୍ରବେଶ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.