ରବିବାର ଧୋନୀ-ରୋହିତ ମୁକାବିଲା, ଏହି ୧୧ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya-News7 Bureau | September 18, 2021 IST

ଦୁବାଇ ୧୮।୦୯: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୧୪ତମ ସିଜିନର ଦ୍ଵିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୧୯ରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟରର ପ୍ରଥମ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପରସ୍ପରକୁ ଭେଟିବେ। ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଯେବେ ଦୁଇ ଦଳ ପରସ୍ପରକୁ ଭେଟିଥିଲେ, ସେତେବେଳେ ରୋହିତ ଶର୍ମାଙ୍କ ଦଳ ମହେନ୍ଦ୍ର ସିଂହ ଧୋନୀଙ୍କ ଚେନ୍ନାଇକୁ ମାତ୍ ଦେଇଥିଲା। ତେଣୁ ଚେନ୍ନାଇ ଉକ୍ତ ମ୍ୟାଚ୍‌ରେ ହିସାବ ବରାବର କରିବାକୁ ଚାହିଁବ। ମୁମ୍ବାଇ ଦଳ ସର୍ବଦା ପରି ପୁଣି ଥରେ କାଗଜ କଲମରେ ମଜବୁତ ନଜର ଆସୁଛି। ମୁମ୍ବାଇ ପାଇଁ ସବୁଠୁ ଭଲ ଖବର ଏହା ଯେ, ସମସ୍ତ ଖେଳାଳି ପ୍ରଥମ ମୁକାବିଲା ପାଇଁ ଉପଲବ୍ଧ ଅଛନ୍ତି। ରୋହିତ ସାଧାରଣତଃ  ଚୂଡାନ୍ତ ଏକାଦଶରେ ଅଦଳ ବଦଳ କରିବାରେ ବିଶ୍ଵାସ ରଖନ୍ତି ନାହିଁ।

ଆଇପିଏଲ ୨୦୨୧ର ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ସବୁଠୁ ଅଧିକ ରନ କରିଥିବା ରୋହିତ ଶର୍ମା ଏବଂ କ୍ଵିଣ୍ଟନ ଡି କକ୍‌ଙ୍କ ସହ ଓପନିଂ କରି ପାରନ୍ତି। ଦୁଇ ବ୍ୟାଟସମ୍ୟାନ ବର୍ତ୍ତମାନ ଭଲ ଫର୍ମରେ ଅଛନ୍ତି। ରୋହିତ ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ ଦମଦାର ବ୍ୟାଟିଂ କରିଥିବା ବେଳେ ଡିକକ୍‌ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍‌ରେ ରନ ବର୍ଷା କରିଛନ୍ତି। ତୃତୀୟରେ ସୂର୍ଯ୍ୟକୁମାର ଯାଦବ ଅଧିକ ଆତ୍ମ ବିଶ୍ଵାସର ସହ ବ୍ୟାଟିଂ କରିବା ନଜର ଆସିବେ। ସେହି ପରି ଚତୁର୍ଥରେ ବ୍ୟାଟିଂ କରିବାକୁ ଓହ୍ଲାଇବେ ଇଶାନ କିଶନ। ଏହା ପରେ  ବ୍ୟାଟିଂଭାର ସମ୍ଭାଳିବେ ପାଣ୍ଡ୍ୟା ବ୍ରଦର୍ସ  ହାର୍ଦ୍ଦିକ ଓ କୃଣାଲ। ଏହା ପରେ କିରଣ ପୋଲାର୍ଡ ଇନିଂସର ଅନ୍ତ ଘଟାଇବେ।

ବୋଲିଂରେ ରୋହିତ ତିନି ଦ୍ରୁତ ବୋଲର ସହିତ ପଡିଆକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇ ପାରନ୍ତି। ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟ ବୋଲିଂର ନେତୃତ୍ଵ ନେବେ। ତୃତୀୟ ବୋଲର ଭାବେ ମଇଦାନକୁ ଓହ୍ଲାଇବେ ଆଡମ ମିଲାନ। ସ୍ପିନ ବିଭାଗରେ ରାହୁଲ ଚହର ୟୁଏଇ ପିଚ୍‌ରେ ସଫଳ ହୋଇ ପାରନ୍ତି। ସେ କୃଣାଲଙ୍କ ସହ ସ୍ପିନ ବିଭାଗ ସମ୍ଭାଳିବେ। ମୁମ୍ବାଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ହେବା ପୂର୍ବରୁ ୭ ମ୍ୟାଚ୍‌ରୁ ୪ ବିଜୟ ସହ ପଏଣ୍ଟ ତାଲିକାର ଚତୁର୍ଥରେ ରହିଛି।

ସମ୍ଭାବିତ ଚୂଡାନ୍ତ ଏକାଦଶ

ରୋହିତ ଶର୍ମା, କ୍ଵିଣ୍ଟନ ଡିକକ୍‌, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, କିରଣ ପୋଲାର୍ଡ, ଯଶପ୍ରୀତ ବୁମରା, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଆଡମ ମିଲାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.