ଆଜି ରୋହିତ-ଓ୍ୱାର୍ଣ୍ଣର ଟକ୍କର, ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

Published By : Prameya-News7 Bureau | April 17, 2021 IST

ଚେନ୍ନାଇ,୧୭/୦୪: ଆଇପିଏଲ୍‌-୨୦୨୧ର ନବମ ଲିଗ୍‌ ମୁକାବିଲାରେ ଶନିବାର ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ । ଲଗାତର ଭାବେ ୨ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ଡେଭିଡ୍‌ ୱାର୍ଣ୍ଣରଙ୍କ ସନ୍‌ରାଇଜର୍ସ ଏହି ମ୍ୟାଚ୍‌ ଜିତି ପଏଣ୍ଟ ଖାତା ଖୋଲିବା ଲକ୍ଷ୍ୟରେ ରହିବ । ଅନ୍ୟ ପଟରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଜାରି ରଖିବାକୁ ପ୍ରୟାସ କରିବ ।

ସନରାଇଜର୍ସର ବଡ ଚିନ୍ତା ବ୍ୟାଟିଂ: 

ହାଇଦ୍ରାବାଦ ଚିପକ୍‌ରେ ଖେଳିଥିବା ପ୍ରଥମ ଦୁଇଟି ଯାକ ମ୍ୟାଚ୍‌ରେ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (୧୦ରନ୍‌ରେ) ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ( ୬ରନ୍ )ଠୁ ହାରିଯାଇଥିଲା । ବ୍ୟାଟିଂ ବିଭାଗର ନୈରାଶ୍ୟଜନକ ପ୍ରଦର୍ଶନ ଦଳ ପରାଜୟର ମୁଖ୍ୟ କାରଣ ଥିଲା । ଉପଯୁକ୍ତ ବ୍ୟାଟିଂ କ୍ରମ ଚୂଡ଼ାନ୍ତ କରିବା ଜରୁରୀ ହୋଇପଡ଼ିଛି ।

ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍‌ରେ ଦଳ ୧୫୦ରନ୍‌ର ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥିଲା । ଏହି ମ୍ୟାଚ୍‌ରେ ୱାର୍ଣ୍ଣର (୫୪) ଓ ମନୀଷ ପାଣ୍ଡେ (୩୮)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ । ଶନିବାର ୱାର୍ଣ୍ଣର ଚୂଡ଼ାନ୍ତ ଏକାଦଶ ପରିବର୍ତ୍ତନ କରିପାରନ୍ତି । ଯୁବ ବ୍ୟାଟ୍ସମ୍ୟାନ୍‌ ପ୍ରିୟମ ଗର୍ଗ ଓ ଅଭିଷେକ ଶର୍ମାଙ୍କୁ ସୁଯୋଗ ମିଳିପାରେ । ବୋଲିଂ ବିଭାଗ ଅପେକ୍ଷାକୃତ ଦୃଢ଼ ରହିଛି । ଶନିବାର ମୁମ୍ବାଇର ଶକ୍ତିଶାଳୀ ବ୍ୟାଟିଂ ଏବଂ ସନ୍‌ରାଇଜର୍ସ ବୋଲିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ହେବ ।

ଦଳରେ ପରିବର୍ତ୍ତନ ନ କରିପାରେ ମୁମ୍ବାଇ :

ଚଳିତ ସିଜନରେ ମୁମ୍ବାଇ ପ୍ରଥମ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ (୨ ୱିକେଟ୍‌) ନିକଟରୁ ହାରି ଅଭିଯାନ ଆରମ୍ଭ କରିଥିଲା । କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ନାଟକୀୟ ଭାବେ ନାଇଟ୍‌ ରାଇଡର୍ସ (୧୦ରନ୍‌)କୁ ହରାଇ ପଏଣ୍ଟ ଖାତା ଖୋଲିଥିଲା । ଶନିବାର ରୋହିତ ଚୂଡ଼ାନ୍ତ ଏକାଦଶ ପରିବର୍ତ୍ତନ କରିନପାରନ୍ତି । ଦଳ ସବୁ ବିଭାଗରେ ଦୃଢ଼ । ବ୍ୟାଟିଂ ବିଭାଗରେ ରୋହିତ, ଡି’କକ୍‌, ସୂର୍ଯ୍ୟକୁମାର, କିଷନ, ପାଣ୍ଡ୍ୟା ଓ ପୋଲାର୍ଡ଼ଙ୍କ ଭଳି ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଅଛନ୍ତି । ପ୍ରଥମ ୨ଟି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିବାବେଳେ ଅନ୍ୟମାନେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ନାଇଟ୍‌ ରାଇଡର୍ସ ବିପକ୍ଷରେ ସ୍ପିନର ରାହୁଲ ଚହର (୪ ୱିକେଟ୍‌) ଏବଂ ଡେଥ୍‌ ଓଭରରେ ଟ୍ରେଣ୍ଟ ବୋଲ୍ଟ (୨ ୱିକେଟ୍‌)ଙ୍କ ଘାତକ ବୋଲିଂ ବଳରେ ମୁମ୍ବାଇ ବିଜୟ ହାସଲ କରିଥିଲା । ଶନିବାର ଚହରଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.