ଆଇପିଏଲ ୨୦୨୧ : ଆଜି ବିରାଟ ବନାମ ରାହୁଲ, ଦବଦବା ଜାହିର ଲକ୍ଷ୍ୟରେ ଆରସିବି

Published By : Prameya-News7 Bureau | April 30, 2021 IST

ଅହମ୍ମଦାବାଦ,୩୦/୦୪: ଆଇପିଏଲ୍‌ର ୨୬ତମ ଲିଗ୍‌ ମୁକାବିଲାରେ ଶୁକ୍ରବାର ମୁହାଁମୁହିଁ ହେବେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ପଞ୍ଜାବ କିଙ୍ଗ୍‌ସ । ପଞ୍ଜାବ କିଙ୍ଗ୍‌ସ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ଦଳ ଏହି ମ୍ୟାଚ୍‌ ଜରିଆରେ ବିଜୟଧାରାକୁ ଫେରିବା ପାଇଁ ଜୋରଦାର ପ୍ରସ୍ତୁତି କରିଛି । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଆଧିପତ୍ୟ ଜାରି ରଖିବା ଲକ୍ଷ୍ୟରେ ରହିବ ।

ପଞ୍ଜାବ କିଙ୍ଗ୍‌ସ ଇତିମଧ୍ୟରେ ୬ଟି ମ୍ୟାଚ୍‌ ଖେଳିସାରିଛି । ସେଥିମଧ୍ୟରୁ ଦଳ ୨ଟି ବିଜୟ ଓ ୪ଟିରେ ପରାଜିତ ହେବା ସହ ମୋଟ ୪ପଏଣ୍ଟ ପାଇ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଦଳ ତା’ର ପୂର୍ବ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (୫ ୱିକେଟ୍‌ରେ) ନିକଟରୁ ହାରିଯାଇଥିଲା ।

ବିରାଟ କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଥର ଟାଇଟଲ ଦାବିଦାର ଭାବେ ଉଭା ହୋଇଛି । ଦଳ ୬ଟି ମ୍ୟାଚ୍‌ରୁ ୫ଟି ବିଜୟ ଓ ଗୋଟିଏରେ ପରାଜିତ ହୋଇଥିବାବେଳେ ପଏଣ୍ଟ ତାଲିକାରେ ମୋଟ ୧୦ପଏଣ୍ଟ ସହ ଦ୍ୱିତୀୟରେ ରହିଛି । ତେଣୁ ଦଳ ପଞ୍ଜାବକୁ ହରାଇ ଶୀର୍ଷ ସ୍ଥାନକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ପୂର୍ବ ମ୍ୟାଚ୍‌ରେ ଦଳ ଅଳ୍ପକେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାଜୟରୁ ବର୍ତ୍ତିଯାଇଥିଲା । ଏହି ମ୍ୟାଚ୍‌ରେ ଦଳ ୧ରନ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ।

ଲୋକେଶ ରାହୁଲଙ୍କ ନେତୃତ୍ୱାଧିନ ପଞ୍ଜାବ କିଙ୍ଗ୍‌ସ ପାଇଁ ବ୍ୟାଟିଂ ବିଭାଗ ମୁଖ୍ୟ ସମସ୍ୟା ପାଲଟିଛି । ଦଳ ପ୍ରଥମେ ବ୍ୟାଟିଂ କରିଥିବା ୩ଟି ମ୍ୟାଚ୍‌ରେ ଯଥାକ୍ରମେ ୧୦୬, ୧୨୦, ୧୨୩ ରନ୍‌ ସଂଗ୍ରହ କରିଥିଲା । ରାହୁଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ନିୟମିତ ଭଲ ପ୍ରଦର୍ଶନ ଦେଇ ପାରିନାହାନ୍ତି । ଦୁର୍ଦ୍ଧର୍ଷ କ୍ରିସ୍‌ ଗେଲ୍‌ ୨ଟି ମ୍ୟାଚ୍‌ରେ ସଫଳ ହୋଇଥିବାବେଳେ ଅନ୍ୟ ୪ଟିରେ ନିରାଶ କରିଥିଲେ । ନିକୋଲାସ୍‌ ପୂରନ ଏପର୍ଯ୍ୟନ୍ତ ଦକ୍ଷତା ମୁତାବକ ବ୍ୟାଟିଂ ପ୍ରଦର୍ଶନ କରିପାରିନାହାନ୍ତି । ଆଜି ତାଙ୍କ ସ୍ଥାନରେ ଦାୱିଦ ମଲାନଙ୍କୁ ସୁଯୋଗ ମିଳିପାରେ ।

ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ହରାଇବାକୁ ହେଲେ ପଞ୍ଜାବ ବ୍ୟାଟ୍ସମ୍ୟାନ୍‌ଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ। ରୟାଲ୍‌ ଚ୍ୟାଲେଞ୍ଜର୍ସ ଦଳ ସବୁ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରୁଛି । ତେଣୁ ଦଳରେ କୌଣସି ପରିବର୍ତ୍ତନ ହେବା ଆଶା ନାହିଁ । ଗ୍ଲେନ୍‌ ମ୍ୟାକ୍‌ୱେଲଙ୍କ ଉପସ୍ଥିତି ବ୍ୟାଟିଂ ବିଭାଗକୁ ଅଧିକ ସୁଦୃଢ଼ କରିଥିବା ବେଳେ ଦୁର୍ଦ୍ଧର୍ଷ ଏବି ଡିଭିଲର୍ସ ଜବରଦସ୍ତ ଫର୍ମରେ ଅଛନ୍ତି। ବୋଲିଂ ବିଭାଗର ପ୍ରଦର୍ଶନ ଉତ୍ସାହଜନକ ରହିଛି । ଯୁବ ପେସ୍‌ ବୋଲର ହର୍ଷଲ ପଟେଲ ୧୭ଟି ୱିକେଟ୍‌ ନେଇ ପର୍ପଲ କ୍ୟାପ୍‌ ବଜାୟ ରଖିଛନ୍ତି ।

ରେକର୍ଡ଼ ଦୃଷ୍ଟିରୁ ପଞ୍ଜାବ କିଙ୍ଗ୍‌ସ ପଲା ଭାରି ରହିଛି । ଉଭୟ ଦଳ ୨୩ଥର ପରସ୍ପରକୁ ଭେଟିଥିବାବେଳେ ଏଥିରେ ପଞ୍ଜାବ ୧୪ଟି ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୨ଟିରେ ବିଜୟୀ ହୋଇଛି । ଗତ ସଂସ୍କରଣରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ ପଞ୍ଜାବ ୨ଟି ଯାକ ମ୍ୟାଚ୍‌ରେ ବିଜୟୀ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.