ଆଇପିଏଲ ୨୦୨୧ : ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଟକ୍କର, ବିଜୟ ଲକ୍ଷ୍ୟରେ ରୋହିତସେନା

Published By : Prameya-News7 Bureau | October 02, 2021 IST

ସାରଜା, ୦୨/୧୦: ଚଳିତ ଆଇପିଏଲ୍‌-୧୪ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । କ୍ୟାପିଟାଲ୍ସକୁ ହରାଇ ଦଳ ପ୍ଲେ-ଅଫ୍‌ ଦୌଡ଼ରେ ଆଉ ପାଦେ ଆଗକୁ ବଢ଼ିବା ଲକ୍ଷ୍ୟରେ ରହିଛି । ଅନ୍ୟ ପଟରେ ପ୍ଲେ-ଅଫ୍‌ରେ ପ୍ରବେଶ କରି ସାରିଥିବା କ୍ୟାପିଟାଲ୍ସ ବିଜୟଧାରାକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ ରହିଛି ।

କ୍ୟାପିଟାଲ୍ସ ୧୧ଟି ମ୍ୟାଚ୍‌ରୁ ୮ଟିରେ ବିଜୟ ସହ ୧୬ପଏଣ୍ଟ ପାଇ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ୪୫ତମ ଲିଗ୍‌ ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସଠୁ ନାଇଟ ରାଇଡର୍ସ ପରାଜିତ ହେବା ପରେ ଦଳ ପ୍ଲେ-ଅଫ୍‌କୁ ଯୋଗ୍ୟତା ହାସଲ କରିଥିଲା । ପୂର୍ବ ମ୍ୟାଚ୍‌ରେ ବ୍ୟାଟିଂ ବିଫଳତା ଯୋଗୁ ଦଳ ନାଇଟ ରାଇଡର୍ସ ନିକଟରୁ ୩ ୱିକେଟ୍‌ରେ ପରାସ୍ତ ହୋଇଥିଲା । ଦଳୀୟ ଖେଳାଳି ପୂର୍ବ ମ୍ୟାଚ୍‌ର ତ୍ରୁଟି ସୁଧାରିବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହି ମ୍ୟାଚ୍‌ରୁ ବାଦ ପଡ଼ିଥିବା ଓପନର ପୃଥ୍ୱୀ ଶ’ ଏକାଦଶକୁ ଫେରିବା ସମ୍ଭାବନା ରହିଛି । ତାଙ୍କ ସ୍ଥାନରେ ଷ୍ଟିଭେନ ସ୍ମିଥ୍‌ଙ୍କୁ ସୁଯୋଗ ମିଳିଥିଲା । ସେ ୩୯ ରନ୍‌ କରିଥିଲେ ।

ରୋହିତ ବାହିନୀ ଇତିମଧ୍ୟରେ ୧୧ଟି ମ୍ୟାଚ୍‌ରୁ ୫ଟି ଜିତି ମୋଟ ୧୦ପଏଣ୍ଟ ସହ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ ଦଳକୁ ଶେଷ ୩ଟି ଯାକ ଲିଗ୍‌ ମ୍ୟାଚ୍‌ ଜିତିବା ଜରୁରୀ । ପୂର୍ବ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ୬ ୱିକେଟ୍‌ରେ ହରାଇବା ପରେ ଦଳର ମନୋବଳ ଦ୍ୱିଗୁଣିତ ରହିଛି । ଷ୍ଟାର୍‌ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୪୦ ରନ୍‌ର ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳି ଫର୍ମକୁ ଫେରିଛନ୍ତି । କ୍ୟାପିଟାଲ୍ସକୁ ହରାଇଲେ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅଫ୍‌ ସୁଯୋଗ ରହିବ । ଶେଷ ୨ଟି ଲିଗ୍‌ରେ ଦଳ ତାଲିକାର ନିମ୍ନ ୨ଟି ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଭେଟିବ ।

ପ୍ରଥମ ଭାଗରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୬ ୱିକେଟ୍‌ରେ ପରାଜିତ ହୋଇଥିଲା । ତେଣୁ ଦଳ ପୂର୍ବ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.