ଆଇପିଏଲ ୨୦୨୧ : ଆଜି ମୁହାଁମୁହିଁ ହେବେ ଧୋନୀ ଓ ପନ୍ତ

Published By : Prameya-News7 Bureau | April 10, 2021 IST

ମୁମ୍ବାଇ,୧୦/୦୪: ଆଇପିଏଲ୍‌- ୧୪ର ଦ୍ୱିତୀୟ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳାଯିବ । ଭେଟେରାନ ମହେନ୍ଦ୍ର ସିଂହ ଧୋନୀଙ୍କ ସୁପର କିଙ୍ଗ୍‌ସ ବିପକ୍ଷରେ କ୍ୟାପିଟାଲ୍ସର ନବନିଯୁକ୍ତ ଅଧିନାୟକ ଋଷଭ ପନ୍ତ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମ୍ୟାଚ୍‌ ରାତି ୭.୩୦ରେ ଆରମ୍ଭ ହେବ ।

ଆଇପିଏଲ୍‌ରେ ଧୋନୀଙ୍କ ନେତୃତ୍ୱରେ ସୁପର କିଙ୍ଗ୍‌ସ ୩ଥର (୨୦୧୦, ୨୦୧୧, ୨୦୧୮) ଚାମ୍ପିଅନ୍‌ ହୋଇଛି । ପନ୍ତ ପ୍ରଥମଥର ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ ନେବେ । ଆହତ ଶ୍ରେୟାସ ଆୟର ଓହରି ଯାଇଥିବାରୁ ତାଙ୍କୁ କ୍ୟାପିଟାଲ୍ସ ନେତୃତ୍ୱ ମିଳିଛି । ଅଧିନାୟକ ଭାବେ ପନ୍ତଙ୍କ ଅଭିଜ୍ଞତା ଢ଼େର କମ୍‌ । ତଥାପି ସେ ଧୋନୀ ବାହିନୀଙ୍କୁ ହରାଇବା ପାଇଁ ସବୁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଦିଲ୍ଲୀ ଏଥର ଅନ୍ୟତମ ଟାଇଟଲ ଦାବିଦାର ରହିଛି । ଗତ ସଂସ୍କରଣରେ ଦଳ ଫାଇନାଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସଠୁ ହାରି ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଥିଲା । ଏଥର ଦଳ ପ୍ରଥମ ଟାଇଟଲ ଲକ୍ଷ୍ୟରେ ରହିଛି । ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ । ଅଷ୍ଟ୍ରେଲିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭେନ୍‌ ସ୍ମିଥ୍‌ ଏଥର ଦଳରେ ଅଛନ୍ତି । ଏହା ବାଦ ଯୁବ ବ୍ୟାଟିଂ ବିସ୍ମୟ ପୃଥ୍ୱୀ ଶ, ଶିଖର ଧାୱନ, ସିମରନ ହେତମେୟାର ଏବଂ ପନ୍ତ ଜବରଦସ୍ତ ଫର୍ମରେ ଅଛନ୍ତି । ପୃଥ୍ୱୀ ଗତ ବିଜୟ ହଜାରେ ଟ୍ରଫି ରେକର୍ଡ଼ ୮୨୭ ରନ୍‌ କରିଥିଲେ । ପନ୍ତ ଗତ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷ ସିରିଜରେ ଚମତ୍କାର ପ୍ରଦର୍ଶନ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ଧାୱନ ଗତ ସଂସ୍କରଣରେ ୬୧୮ରନ୍‌ ସଂଗ୍ରହ କରିଥିଲେ । ରବିଚନ୍ଦ୍ରନ ଅଶ୍ୱିନ ଓ ଅମିତ ମିଶ୍ରା ସ୍ପିନ୍‌ ବିଭାଗ ସମ୍ଭାଳିବେ । ଷ୍ଟାର୍‌ ପେସ୍‌ ବୋଲର କାଗିସୋ ରାବାଡ଼ା ଓ ଆନରିଚ୍‌ ନର୍ଜଙ୍କ କ୍ୱାରେଣ୍ଟାଇନ୍‌ ଅବଧି ଶେଷ ହୋଇନଥିବାରୁ ଉଭୟ ଆସନ୍ତାକାଲି ଖେଳିବେନି । କ୍ରିସ୍‌ ୱକ୍ସ, ଉମେଶ ଯାଦବ ଓ ଈଶାନ୍ତ ଶର୍ମା ପେସ୍‌ ବିଭାଗ ସମ୍ଭାଳିବେ ।

ତ୍ରୁଟି ସୁଧାରିବ ସୁପର କିଙ୍ଗ୍: ଗତ ଆଇପିଏଲ୍‌ରେ ସୁପର କିଙ୍ଗ୍‌ସ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଦଳ ସପ୍ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଏଥର ଦଳ ପୂର୍ବ ତ୍ରୁଟି ସୁଧାରିବାକୁ ଗୁରୁତ୍ୱ ଦେଇଛି । ସୁରେଶ ରାଇନା ଫେରିଥିବାବେଳେ ରବିନ୍ଦ୍ର ଜାଡ଼େଜା ଫିଟ୍‌ ହୋଇସାରିଛନ୍ତି । ଜାଡ଼େଜା ଗତ ଅଷ୍ଟ୍ରେଲିଆ ଗସ୍ତ ବେଳେ ଆହତ ହୋଇଥିଲେ । ଦଳରେ ଅନେକ ଅଭିଜ୍ଞ ଖେଳାଳି ଅଛନ୍ତି । ପ୍ରଥମ ମ୍ୟାଚ୍‌ ଖେଳୁଥିବାରୁ ଚୂଡ଼ାନ୍ତ ଏକାଦଶର ପୂର୍ବାନୁମାନ କରିବା ମୁସ୍କିଲ । ଯୁବ ଓପନର ଋତୁରାଜ ଗାଏକୱାଡ଼ଙ୍କ ସହ ଡୁ’ପ୍ଲେସି କିମ୍ବା ମୋଇନ୍‌ ଅଲିଙ୍କୁ ଓପନିଂ ସୁଯୋଗ ମିଳିପାରେ । ସେହିପରି ୩ ପେସ୍‌ ବୋଲର ଓ ୨ ସ୍ପିନରଙ୍କୁ ନେଇ ଧୋନି ଆକ୍ସନକୁ ଓହ୍ଲାଇ ପାରନ୍ତି ।ଆଇପିଏଲ୍‌ରେ ଉଭୟ ଦଳ ୨୩ଥର ପରସ୍ପରକୁ ଭେଟିଥିବାବେଳେ ଏଥିରେ ସୁପର କିଙ୍ଗ୍‌ସ ୧୫ଟି ଓ କ୍ୟାପିଟାଲ୍ସ ୮ଟି ମ୍ୟାଚ୍‌ ଜିତିଛି । ଗତ ସଂସ୍କରଣରେ ସୁପର କିଙ୍ଗ୍‌ସ ବିପକ୍ଷରେ କ୍ୟାପିଟାଲ୍ସ ୨ଟି ଯାକ ମ୍ୟାଚ୍‌ ଜିତିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.