Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇପିଏଲ ୨୦୨୧ : ଆଜି ମୁହାଁମୁହିଁ ହେବେ ରୋହିତ ଓ ଧୋନୀ, ଦେଖିବାକୁ ମିଳିବ ସଙ୍ଘର୍ଷପୂର୍ଣ୍ଣ ମୁକାବିଲା

1/05/2021 at 10:19 AM

ନୂଆଦିଲ୍ଲୀ, ୦୧/୦୫: ଆଇପିଏଲ୍‌ର ୨୭ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ସିଜନରେ ପ୍ରଥମଥର ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନି ସାମ୍ନାସାମ୍ନି ହେବେ। ପୂର୍ବ ମ୍ୟାଚ୍‌ ଜିତିଥିବା ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିବ । ଅନ୍ୟ ପଟରେ କ୍ରମାନ୍ୱୟରେ ୫ଟି ମ୍ୟାଚ୍‌ ଜିତିଥିବା ଧୋନିଙ୍କ ସୁପରକିଙ୍ଗ୍‌ସ ଆଧିପତ୍ୟ ଜାରି ରଖିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ଶନିବାର ପ୍ରଶଂସକଙ୍କୁ ଆଉ ଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ ।

ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (୭ ୱିକେଟ୍‌ରେ)ଠୁ ପରାଜିତ ହୋଇଥିଲା । ଏହାପରେ କ୍ରମାନ୍ୱୟରେ ୫ଟି ମ୍ୟାଚ୍‌ରେ ଅପରାଜେୟ ସାବ୍ୟସ୍ତ ହୋଇଛି । ପୂର୍ବ ମ୍ୟାଚ୍‌ରେ ଦଳ ୭ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଥିଲା । ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସୁପରକିଙ୍ଗ୍‌ସକୁ ୨ଦିନ ବିଶ୍ରାମ ସମୟ ମିଳିଥିଲା ।

ମୁମ୍ବାଇ ଚଳିତ ସିଜନରେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ଇତିମଧ୍ୟରେ ୬ଟି ମ୍ୟାଚ୍‌ ଖେଳି ୩ଟି ବିଜୟ ଓ ୩ଟି ପରାଜିତ ହୋଇଛି । ଗତ ଗୁରୁବାର ଅନୁଷ୍ଠିତ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ୭ୱିକେଟ୍‌ରେ ବିଜୟୀ ହୋଇଥିଲା । ରେକର୍ଡ଼ ଦୃଷ୍ଟିରୁ ମୁମ୍ବାଇର ପଲା ଭାରି ରହିଛି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ୩୦ଟି ମ୍ୟାଚ୍‌ରୁ ମୁମ୍ବାଇ ୧୮ଟି ଏବଂ ସୁପରକିଙ୍ଗ୍‌ସ ୧୨ଟିରେ ବିଜୟୀ ହୋଇଛି । ଗତ ସଂସ୍କରଣରେ ଖେଳଯାଇଥିବା ମ୍ୟାଚ୍‌ରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ ।

ଚଳିତ ସିଜନର ପ୍ରଦର୍ଶନ ଅନୁଯାୟୀ ସୁପରକିଙ୍ଗ୍‌ସ ବିଜୟ ଦାବିଦାର ରହିଛି । ମୁମ୍ବାଇ ଦଳ ପାଇଁ ବ୍ୟାଟିଂ ବିଭାଗ ମୁଖ୍ୟ ସମସ୍ୟା ସାଜିଛି । ରୟାଲ୍ସ ବିପକ୍ଷରେ କ୍ୱିଣ୍ଟନ ଡି’କକ୍‌ (୭୦ରନ୍‌)ଙ୍କ ଫର୍ମକୁ ଫେରିବା ଦଳକୁ ଆଶ୍ୱସ୍ତ କରିଛି । ସୂର୍ଯ୍ୟକୁମାର ଯାଦବ ନିୟମିତ ଭଲ ପ୍ରଦର୍ଶନ କରୁଥିବାବେଳେ ମଧ୍ୟକ୍ରମରେ କୃନାଲ ପାଣ୍ଡ୍ୟା, କିରେନ ପୋଲାର୍ଡ଼ ଓ ହାର୍ଦ୍ଦିକ ପାଣ୍ଡ୍ୟା ସଂଘର୍ଷ କରୁଛନ୍ତି । ବୋଲିଂ ବିଭାଗ ଦୃଢ଼ ରହିଛି । ଶନିବାର ମୁମ୍ବାଇ ବୋଲର ଓ ସୁପରକିଙ୍ଗ୍‌ସ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ସୁପରକିଙ୍ଗ୍‌ସ ଇତିମଧ୍ୟରେ ଚୂଡ଼ାନ୍ତ ଏକାଦଶ ପକ୍କା କରି ସାରିଛି । ପ୍ରତ୍ୟେକ ଖେଳାଳି ଦଳ ବିଜୟରେ ଯୋଗଦାନ ଦେଉଛନ୍ତି । ଓପନିଂ ଯୋଡ଼ି ଋତୁରାଜ ଗାଏକୱାର୍ଡ଼ ଓ ଫାଫ୍‌ ଡୁ’ପ୍ଲେସି ଜବରଦସ୍ତ ଫର୍ମରେ ଥିବାବେଳେ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଟ୍ରମ୍ପ କାର୍ଡ଼ ସାବ୍ୟସ୍ତ ହୋଇଛନ୍ତି । ଶନିବାର ଚହରଭ୍ରାତା (ଦୀପକ ଓ ରାହୁଲ)ଙ୍କ ମଧ୍ୟରେ ମୁକାବିଲା ହେବ । ଦୀପକ ସୁପରକିଙ୍ଗ୍‌ସ ପେସ୍‌ ବିଭାଗ ନେତୃତ୍ୱ ନେଉଥିବାବେଳେ ରାହୁଲ ମୁମ୍ବାଇ ସ୍ପିନ୍‌ ବିଭାଗ ସମ୍ଭାଳୁଛନ୍ତି ।

   Related Posts