ପୁଣି ଥରେ ଗର୍ଜିଲା ଗବରଙ୍କ ବ୍ୟାଟ୍: ଆଇପିଏଲରେ ଲଗାଇଲେ କ୍ରମାଗତ ଦ୍ଵିତୀୟ ଶତକ, ପଞ୍ଜାବକୁ ୧୬୫ ରନର ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ

Published By : Prameya-News7 Bureau | October 20, 2020 IST

ଦୁବାଇ ୨୦।୧୦: ପୁଣି ଥରେ ଗର୍ଜିଲା ଶିଖର ଧାଓ୍ଵନଙ୍କ ବ୍ୟାଟ୍। ଆଇପିଏଲରେ ରଚିଲେ ଇତିହାସ। କ୍ରମାଗତ ଦୁଇଟି ମ୍ୟାଚ୍‌ରେ ଦୁଇଟି ଶତକ ହାସଲ କରିବାରେ ହେଲେ ପ୍ରଥମ ଖେଳାଳି। ଦୁବାଇରେ ଖେଳାଯାଉଥିବା ଆଇପିଏଲର ୩୮ତମ ମ୍ୟାଚ୍‌ରେ ଶିଖର ଧାଓ୍ଵନଙ୍କ ଅପରାଜିତ ଶତକ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ କିଙ୍ଗ୍ସ ଏକାଦଶ ପଞ୍ଜାବ ସମ୍ମୁଖରେ ୧୬୫ ରନର ବିଜୟ ଲକ୍ଷ୍ୟ ରଖିଛି। ଗତ ମ୍ୟାଚ୍‌ରେ ଶତକ ଲଗାଇଥିବା ଧାଓ୍ଵନଙ୍କ ୧୦୬ ରନର ଦମଦାର ଇନିଂସ ବଳରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ପ୍ଲେଅଫ ଦୌଡରେ  ରହିବାକୁ ହେଲେ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସର ଓପନର ପୃଥିବୀ ସ ପୁଣି ଥରେ ନିରାଶ କରି ୭ ରନ କରି ଜିମ୍ ନିଶାନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଶିଖର ଧାଓ୍ଵନ ଓ ଅଧିନାୟକ ଶ୍ରେୟସ ଆୟର ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୮ ରନ  ଯୋଡିଥିଲେ। ୭୩ ରନ ସ୍କୋରରେ ଶ୍ରେୟସ ଆୟର ୧୪ ରନ କରି ବିଦାୟ ନେଇଥିଲେ। ଋଷଭ ପନ୍ତ କିଛି ସମୟ କ୍ରିଜରେ ରହିଥିଲେ ବି ବଡ ସଟ୍ ଖେଳିବାରେ ବିଫଳ ହୋଇଥିଲେ। ସେ ୨୦ ବଲରୁ ୧୪ ରନ କରି ମାକ୍ସଓ୍ଵେଲଙ୍କ ଶିକାର ହୋଇଥିଲେ। ଅନ୍ୟପଟେ ଶିଖର ଧାଓ୍ଵନ ଦମଦାର ବ୍ୟାଟିଂ କରି ଇନିଂସ ସମ୍ଭାଳିଥିଲେ।

୧୦୬ ରନରେ ପନ୍ତଙ୍କ ଆଉଟ୍ ପରେ ଧାଓ୍ଵନ ଓ ମାର୍କସ ଷ୍ଟୋଇନିସ୍ ଚତୁର୍ଥ ଓ୍ଵିକେଟ୍‌ରେ ୩୫ ରନ ଯୋଡିଥିଲେ। ୧୪୧ ସ୍କୋରରେ ଷ୍ଟୋଇନିସ୍ ୯ ରନ କରି ବିଦାୟ ନେଇଥିଲେ। ଅପରପକ୍ଷେ ଧାଓ୍ଵନ ଆଇପିଏଲରେ କ୍ରମାଗତ ଦ୍ଵିତୀୟ ଶତକ  ହାସଲ କରିଥିଲେ। ସେ ୫୭ ବଲରୁ ଆଇପିଏଲରେ ଦ୍ଵିତୀୟ ଶତକ ହାସଲ କରିଥିଲେ। ଧାଓ୍ଵନଙ୍କ ଅପରାଜିତ ଶତକ ବଳରେ ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୬୪ ରନ କରିଛି। ଧାଓ୍ଵନ ୬୧ ବଲରୁ ୧୨ ଚୌକା ଓ ୩ ଛକା ଜରିଆରେ ୧୦୬ ରନ କରିଥିଲେ। ସିମରନ ହେଟ ମାୟର ୧୦ ରନ କରି ଇନିଂସର ଶେଷ ବଲରେ ଆଉଟ୍ ହୋଇଥିଲେ।

ପଞ୍ଜାବ ପକ୍ଷରୁ ମହମ୍ମଦ ସାମି ୨୮ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ। ଗ୍ଲେନ ମ୍ୟାକ୍ସଓ୍ଵଲେ ଓ ଜିନି ନିଶାନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.