ଆଇପିଏଲ-୨୦୨୦ : ଆଜି ମୁହାଁମୁହିଁ ହେବେ ଚେନ୍ନାଇ ଓ ପଞ୍ଜାବ, 'କର ବା ମର' ସ୍ଥିତିରେ କେଏଲ ରାହୁଲଙ୍କ ଟିମ୍

Published By : Prameya-News7 Bureau | November 01, 2020 IST

ଆବୁଧାବି,୦୧/୧୧: ଆଜି ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ । ଉଭୟ ନିଜ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଅବତୀର୍ଣ୍ଣ ହେବେ। କିଙ୍ଗ୍‌ସ ଏକାଦଶ ପାଇଁ ଏହି ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ଦଳ ଶେଷ ମ୍ୟାଚ୍‌ ଜିତି ତାଲିକାର ଶ୍ରେଷ୍ଠ-୪ ମଧ୍ୟରେ ରହିବାକୁ ପ୍ରୟାସ କରିବ। କିନ୍ତୁ ପ୍ଲେ-ଅଫ୍‌ ସ୍ଥାନ ପାଇଁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବ। ଅନ୍ୟ ପଟରେ ସୁପର କିଙ୍ଗ୍‌ସ ବିଜୟ ସହ ଅଭିଯାନ ଶେଷ କରିବାକୁ ସବୁ ଶକ୍ତି ଖଟାଇବ। ମ୍ୟାଚ୍‌ ଅପରାହ୍ଣ ୩.୩୦ରୁ ଆରମ୍ଭ ହେବ।

ରାଜସ୍ଥାନ ରୟାଲ୍ସଠୁ ହାରିବା ପରେ କିଙ୍ଗ୍‌ସ ଏକାଦଶର ପ୍ଲେ-ଅଫ୍‌ ରାସ୍ତା କଠିନ୍‌ ହୋଇଯାଇଛି। ଦଳ ୧୩ମ୍ୟାଚ୍‌ରୁ ୬ ବିଜୟ ସହ ମୋଟ ୧୨ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ସୁପର କିଙ୍ଗ୍‌ସକୁ ହରାଇଲେ ଦଳର ପଏଣ୍ଟ ସଂଖ୍ୟା ୧୪ରେ ପହଞ୍ଚିବ। ବିଜୟ ସତ୍ତେ୍ୱ ପ୍ଲେ-ଅଫ୍‌ ସ୍ୱପ୍ନ ପୂରଣ ହୋଇନପାରେ। ଅନ୍ୟ ଦଳର ପ୍ରଦର୍ଶନ କିଙ୍ଗ୍‌ସ ଏକାଦଶର ଭାଗ୍ୟ ନିରୁପଣ କରିବ । ଯଦି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ (୧୨ପଏଣ୍ଟ) ଶେଷ ୨ଟି ଯାକ ମ୍ୟାଚ୍‌ ଜିତିଯାଏ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ର ବିଜେତା ପଏଣ୍ଟ ତାଲିକାର ଉପରକୁ ଉଠିଯାଏ (ପଏଣ୍ଟ କିମ୍ବା ଉନ୍ନତ ରନ୍‌ ରେଟ୍‌ରେ) ତା’ହେଲେ କିଙ୍ଗ୍‌ସ ଏକାଦଶ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ିବା ନିଶ୍ଚିତ। ଅନ୍ୟ ପଟରେ ଯଦି ସନ୍‌ରାଇଜର୍ସ ଗୋଟିଏ ମ୍ୟାଚ୍‌ ହାରିଯାଏ ତା’ହେଲେ କିଙ୍ଗ୍‌ସ ଏକାଦଶର ସୁଯୋଗ ରହି ।

ତେଣୁ ଲୋକେଶ ରାହୁଲଙ୍କ କିଙ୍ଗ୍‌ସ ଏକାଦଶ ଶେଷ ମ୍ୟାଚ୍‌ରେ ସୁପର କିଙ୍ଗ୍‌ସକୁ ଉନ୍ନତ ରନ୍‌ ରେଟ୍‌ରେ ହରାଇବାକୁ ପ୍ରୟାସ କରିବ। ରୟାଲ୍ସ ବିପକ୍ଷରେ ଦଳର ୫ମ୍ୟାଚ୍‌ ବିଜୟଧାରାରେ ବ୍ରେକ୍‌ ଲାଗିଥିଲା। ଦଳୀୟ ଖେଳାଳି ସବୁ ବିଭାଗରେ ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବେ। ଦଳର ଭାଗ୍ୟ କ୍ରିସ୍‌ ଗେଲ୍‌ଙ୍କ ଉପରେ ନିର୍ଭର କରିବ। ସେ ଜବରଦସ୍ତ ଫର୍ମରେ ଥିବାବେଳେ ସୁପର କିଙ୍ଗ୍‌ସ ବୋଲରଙ୍କ ପାଇଁ ବିଦଜ୍ଜନକ ସାବ୍ୟସ୍ତ ହୋଇପାରନ୍ତି। ସୁପର କିଙ୍ଗ୍‌ସ ପୂର୍ବ ୨ଟି ମୁକାବିଲାରେ ଅପରାଜେୟ ରହିଛି । ଯୁବ ଓପନର ଋତୁରାଜ ଗାଏକୱାଡ ଫର୍ମକୁ ଫେରିବା ପରେ ଦଳର ଭାଗ୍ୟ ବଦଳିଛି । ସେ କ୍ରମାନ୍ୱୟରେ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଆଜି ଦଳ କିଙ୍ଗ୍‌ସ ଏକାଦଶର ପ୍ଲେ-ଅଫ୍‌ ସ୍ୱପ୍ନ ଧୂଳିସାତ କରିବା ଲକ୍ଷ୍ୟରେ ରହିବ।

ପ୍ରଥମ ପର୍ଯ୍ୟାୟ ଲିଗ୍‌ରେ ସୁପର କିଙ୍ଗ୍‌ସ ୧୦ ୱିକେଟ୍‌ରେ କିଙ୍ଗ୍‌ସ ଏକାଦଶକୁ ପରାସ୍ତ କରିଥିଲା । ତେଣୁ ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ଚେଷ୍ଟା କରିବ ।

ସମ୍ଭାବ୍ୟ ଏକାଦଶ

କିଙ୍ଗ୍‌ସ ଏକାଦଶ: ଲୋକେଶ ରାହୁଲ (ଅଧିନାୟକ), ମନଦୀପ ସିଂହ, କ୍ରିସ୍‌ ଗେଲ୍‌, ନିକୋଲାସ୍‌ ପୂରନ୍‌, ଗ୍ଲେନ୍‌ ମାକ୍ସୱେଲ୍‌, ଦୀପକ ହୁଡ଼ା, କ୍ରିସ୍‌ ଜୋର୍ଡାନ, ମୁରୁଗାନ୍‌ ଅଶ୍ୱିନ, ରବି ବିଷ୍ନୋଇ, ମହମ୍ମଦ ସାମି, ଅର୍ଶଦୀପ ସିଂହ ।
ସୁପର କିଙ୍ଗ୍‌ସ: ସେନ୍‌ ୱାଟସନ୍‌, ଋତୁରାଜ ଗାଏକୱାଡ୍‌, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, ସାମ୍‌ କୁରାନ୍‌, ରବିନ୍ଦ୍ର ଜାଡ଼େଜା, ନାରାୟଣ ଜଗଦୀଶନ, ମିଚେଲ୍‌ ସାଣ୍ଟନର, ଦୀପକ ଚହର, କରଣ ଶର୍ମା, ଲୁଙ୍ଗି ଏନ୍‌ଗିଡ଼ି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.