IPL 2020: ଏଥର କ୍ରିସ ଗେଲ୍ ନୁହେଁ, ମୁମ୍ବାଇ ଇଣ୍ଡିଆନ୍ସର ଇଶାନ କିଷନ ହେଲେ ‘ସିକ୍ସର କିଙ୍ଗ୍’, ଭାଙ୍ଗିଲେ ରେକର୍ଡ

Published By : Prameya-News7 Bureau | November 06, 2020 IST

ଦୁବାଇ ୦୬।୧୧: ଆଇପିଏଲରେ ଯଦି ସର୍ବାଧିକ ଛକା ମାରିବା କଥା ପଡେ ତେବେ ଲୋକଙ୍କ ମନରେ ସ୍ଵତଃପ୍ରବୃତ ଭାବେ କ୍ରିସ୍ ଗେଲଙ୍କ ନାମ ଆସିଥାଏ। ଆଇପିଏଲର ପ୍ରାୟ ସମସ୍ତ ସିଜିନରେ କ୍ରିସ୍‌ ଗେଲ୍‌ ସର୍ବାଧିକ ଛକା ମାରିବାର ରେକର୍ଡ କରିଛନ୍ତି। ଆଇପିଏଲରେ ଏ ପର୍ଯ୍ୟନ୍ତ ସେ ସର୍ବାଧିକ ୩୪୯ ଛକା ମାରିଛନ୍ତି। ଏଥର ଗେଲ୍‌ଙ୍କ ଟିମ୍ କିଙ୍ଗ୍ସ ଏକାଦଶ ପଞ୍ଜାବ ପ୍ଲେଅଫ୍‌ରୁ ବାଦ୍ ପଡିଛି। ସେହି ଦୃଷ୍ଟିରୁ ମୁମ୍ବାଇ ଇଣ୍ଡିଆନ୍ସର ୨୨ ବର୍ଷୀୟ ଇଶାନ କିଷନ ସବୁଠୁ ଅଧିକ ଛକା ମାରିବା ରେସ୍‌ରେ ବଡ ବଡ କ୍ରିକେଟ୍‌ରଙ୍କୁ ପଛରେ ପକାଇ ଦେଇଛନ୍ତି। ଇଶାନ ଚଳିତ ସଂସ୍କରଣରେ ଏ ପର୍ଯ୍ୟନ୍ତ ସବୁଠୁ ଅଧିକ ୨୯ ଛକା ମାରିଛନ୍ତି।

ଆଇପିଏଲ ଚଳିତ ସଂସ୍କରଣରେ ସଞ୍ଜୁ ସାମସନ ସର୍ବାଧିକ ଛକା ମାରିବା ଦୌଡରେ ସବୁଠୁ ଆଗରେ ଥିଲେ। ସେ ୧୪ଟି ଇନିଂସରେ ୨୬ ଛକା ମାରିଥିଲେ। ହେଲେ ଇଶାନ ଗୁରୁବାର ଦିଲ୍ଲୀ ବିପକ୍ଷରେ ୩ ଛକା ମାରି ସାମସନଙ୍କ ରେକର୍ଡ ଭାଙ୍ଗିଛନ୍ତି। ଏହି ତାଲିକାରେ ତୃତୀୟ ନମ୍ବରରେ ମୁମ୍ବାଇ ଇଣ୍ଡିଆନ୍ସର  ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ରହିଛି। ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ୨୫ଟି ଛକା ମାରିଛନ୍ତି। ଗେଲ୍ ଚଳିତ ବର୍ଷ କେବଳ ୭ଟି ମ୍ୟାଚ୍‌ରେ ୨୩ ଛକା ମାରିଥିଲେ।

ଏମିତିରେ ଆଇପିଏଲର ଗୋଟିଏ ସିଜିନରେ ସର୍ବାଧିକ ଛକା ମାରିବାର ରେକର୍ଡ କ୍ରିସ୍ ଗେଲଙ୍କ ନାମରେ ରହିଛି। ସେ ୨୦୧୨ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳି ୫୯ ଛକା ମାରିଥିଲେ। ଏହି ତାଲିକାରେ ଦ୍ଵିତୀୟ ନମ୍ବରରେ ଆନ୍ଦ୍ରେ ରସେଲଙ୍କ ନାମ ରହିଛି। ସେ ୨୦୧୯ରେ କେକେଆର ପକ୍ଷରୁ ଖେଳି ୫୨ ଛକା ମାରିଥିଲେ। ତୃତୀୟରେ ପୁଣି ଗେଲ୍‌ଙ୍କ ନାମ ରହିଛି। ସେ ୨୦୧୩ ସଂସ୍କରଣରେ ଆରସିବି ପକ୍ଷରୁ ଖେଳି ୫୧ ଛକା ମାରିଥିଲେ। ବର୍ତ୍ତମାନ ଆଇପିଏଲର ଏକ ସିଜିନରେ ସର୍ବାଧିକ ଲଗାଇବା ଦୌଡରେ ଇଶାନ କିଷନ ୨୯ ଛକା ସହିତ ଚତୁର୍ଥ ନମ୍ବରରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.