ଆଇପିଏଲ-୨୦୨୦ : ଆଜି ହାଇଦ୍ରାବାଦ ପାଇଁ ଅଗ୍ନି ପରୀକ୍ଷା, ମୁମ୍ବାଇଠୁ ହାରିଲେ ଟୁର୍ଣ୍ଣାମେଣ୍ଟରୁ ପଡିବ ବାଦ୍

Published By : Prameya-News7 Bureau | November 03, 2020 IST

ଦୁବାଇ, ୦୩/୧୧: ଆଜି ଚଳିତ ଆଇପିଏଲ୍‌-୧୩ର ଲିଗ୍‌ ପର୍ଯ୍ୟାୟ ମୁକାବିଲା ଶେଷ ହେବ। ଶେଷ ଲିଗ୍‌ରେ ମୁହାଁମୁହିଁ ହେବେ  ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚ୍‌ ହାଇଦ୍ରାବାଦର ପ୍ଲେ-ଅଫ୍‌ ଭାଗ୍ୟ ନିର୍ଦ୍ଧାରଣ କରିବ। ମୁମ୍ବାଇକୁ ହରାଇଲେ ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିବ, ପରାଜିତ ହେଲେ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡ଼ିବ। ଏହି ମୁକାବିଲା ସହ ପ୍ଲେ-ଅଫ୍‌ ଚୂଡ଼ାନ୍ତ ହେବ। ଅନ୍ୟ ପଟରେ ପ୍ଲେ-ଅଫ୍‌ ଓ ଶୀର୍ଷ ସ୍ଥାନ ପକ୍କା କରିସାରିଥିବା ମୁମ୍ବାଇ ଆଧିପତ୍ୟ ଲକ୍ଷ୍ୟରେ ମଇଦାନ୍‌କୁ ଓହ୍ଲାଇବ।

ମୁମ୍ବାଇ-ହାଇଦ୍ରାବାଦ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିବ। ଏହି ମ୍ୟାଚ୍‌ ଜରିଆରେ ପ୍ଲେ-ଅଫ୍‌ର ଶେଷ ୨ଟି ଦଳ ଚୂଡ଼ାନ୍ତ ହେବ। ଏଥିରେ ସନ୍‌ରାଇଜର୍ସ ସମେତ ଦିଲ୍ଲୀ କ୍ୟାପିଟାଲ୍ସ-ରୟାଲ୍‌ ଚ୍ୟାଲେଞ୍ଜର୍ସ ମ୍ୟାଚ୍‌ (୫୫ତମ ଲିଗ୍‌)ରେ ପରାଜିତ ଦଳ ଏବଂ କୋଲକାତା ନାଇଟ୍‌ ରାଇଡର୍ସର ପ୍ଲେ-ଅଫ୍‌ ଭାଗ୍ୟ ନିର୍ଦ୍ଧାରଣ ହେବ। କୋଲକାତା ୧୪ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି । ହାଇଦ୍ରାବାଦ୍‌ ୧୩ମ୍ୟାଚ୍‌ରୁ ୧୨ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ମୁମ୍ବାଇକୁ ହରାଇଲେ ପଏଣ୍ଟ ସଂଖ୍ୟା ୧୪ରେ ପହଞ୍ଚିବ। ଉନ୍ନତ ନେଟ୍‌ ରନ୍‌ରେଟ୍‌ ବଳରେ ହାଇଦ୍ରାବାଦ ପ୍ଲେ-ଅଫ୍‌ରେ ପ୍ରବେଶ କରିବ। ଅନ୍ୟ ପଟରେ ଶେଷ ସ୍ଥାନ ପାଇଁ ୫୫ତମ ଲିଗ୍‌ ମ୍ୟାଚ୍‌ର ପରାଜିତ ଦଳ (୧୪ପଏଣ୍ଟ) ଓ କୋଲକାତାର ରନ୍‌ରେଟ୍‌ ଦେଖାଯିବ। ଯେଉଁ ଦଳର ରନ୍‌ରେଟ୍‌ ଉନ୍ନତ ଥିବ, ସେହି ଦଳ ପ୍ଲେ-ଅଫ୍‌ରେ ପହଞ୍ଚିିବ। ଯଦି ହାଇଦ୍ରାବାଦ ଶେଷ ଲିଗ୍‌ ହାରିଯାଏ, ତା’ହେଲେ ୫୫ତମ ଲିଗ୍‌ ମ୍ୟାଚ୍‌ର ପରାଜିତ ଦଳ ଓ କୋଲକାତା ପ୍ଲେ-ଅଫ୍‌ରେ ପ୍ରବେଶ କରିବେ।

ହାଇଦ୍ରାବାଦ୍‌ ପୂର୍ବ ଦୁଇଟି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ହରାଇ ଦୃଢ଼ ମନୋବଳରେ ରହିଛି । ୱିକେଟ୍‌ କିପର ରିଦ୍ଧିମାନ ଶାହା ଓ ପେସ୍‌ ବୋଲର ଜାସନ ହୋଲ୍ଡରଙ୍କ ଉପସ୍ଥିତିରେ ଦଳର ବ୍ୟାଟିଂ ଓ ବୋଲିଂ ବିଭାଗର ସମସ୍ୟା ଦୂର ହୋଇଛି । ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ୨୦୧୬ ସଂସ୍କରଣରେ ଦଳର ପ୍ରଦର୍ଶନ ଦୋହରାଇବା ଲକ୍ଷ୍ୟରେ ରହିଛନ୍ତି । ଏହି ସଂସ୍କରଣରେ ଦଳ ଶେଷ ୩ଟି ‘କର ବା ମର’ ଲିଗ୍‌ ମୁକାବିଲା ଜିତି ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା । କିନ୍ତୁ ଶକ୍ତିଶାଳୀ ମୁମ୍ବାଇ ଦଳର ପଥରୋଧ ପାଇଁ ପ୍ରସ୍ତୁତ ରହିଛି । ମୁମ୍ବାଇକୁ ହରାଇବା ହାଇଦ୍ରାବାଦ ପାଇଁ ସେତେଟା ସହଜ ହେବନି । ଉଭୟ ଦଳ ସବୁ ବିଭାଗରେ ଦୃଢ଼ ରହିଛନ୍ତି । ତେଣୁ ଯେଉଁ ଦଳ ଉନ୍ନତ ପ୍ରଦର୍ଶନ କରିବ, ସେହି ଦଳ ବିଜୟୀ ହେବ । ହାଇଦ୍ରାବାଦର ଟ୍ରମ୍ପ କାର୍ଡ଼ ରସିଦ୍‌ ଖାନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମୁମ୍ବାଇ ବ୍ୟାଟିଂ ବିଭାଗ ଓ ରସିଦ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଆହତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁସ୍ଥିତିରେ ମଧ୍ୟ ମୁମ୍ବାଇ ଆଧିପତ୍ୟ ଜାରି ରଖିଛି । ସୂର୍ଯ୍ୟକୁମାର ଯାଦବ, କ୍ୱିଣ୍ଟନ ଡି’କକ୍‌ ଓ ଇଶାନ୍‌ କିଷନ୍‌ ଭଲ ଫର୍ମରେ ରହିଛନ୍ତି । ବିଶ୍ୱର ଦୁଇ ଶ୍ରେଷ୍ଠ ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ ଓ ଜଶପ୍ରୀତ୍‌ ବୁମ୍‌ରା ପ୍ରଭାବୀ ପ୍ରଦର୍ଶନ କରି ସମ୍ପ୍ରତି ଚର୍ଚ୍ଚାରେ ରହିଛନ୍ତି । ବୁମ୍‌ରା (୨୩ୱିକେଟ୍‌) ପର୍ପଲ କ୍ୟାପ୍‌ ହାତେଇଛନ୍ତି । ଆଜି ୱାର୍ଣ୍ଣର ଓ ବୁମ୍‌ରାଙ୍କ ମଧ୍ୟରେ ଜୋରଦାର୍‌ ଲଢ଼େଇ ହେବ ।

ପ୍ରଥମ ପର୍ଯ୍ୟାୟ ଲିଗ୍‌ ମୁକାବିଲା (ସାରଜା)ରେ ମୁମ୍ବାଇ ୩୪ରନ୍‌ରେ ହାଇଦ୍ରାବାଦ୍‌କୁ ପରାସ୍ତ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.