ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ

Published By : Prameya-News7 Bureau | October 24, 2020 IST

ଦୁବାଇ, ୨୪|୧୦: ଆଇପଏଲର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ କିଙ୍କସ ଏକାଦଶ ପଞ୍ଜାବ ୧୨ ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୨୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରାବାଦ ୧୯.୫ ଓଭରରେ ୧୧୪ ରନରେ ଅଲଆଉଟ୍ ହୋଇଯାଇଥିଲା ।

 ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗ୍ସ ଏକାଦଶ ପଞ୍ଜାବର ଓପନିଂ ଯୋଡି ଲୋକେଶ ରାହୁଲ ଓ ମନଦୀପ ସିଂହ ପ୍ରଥମ ଓ୍ଵିକେଟ୍‌ରେ ୩୭ ରନ ଯୋଡିଥିଲେ। ମନଦୀପ ସିଂହ ୧୭ ରନକରି ସନ୍ଦୀପ ଶର୍ମାଙ୍କ ବଲରେ ଆଉଟ୍  ହୋଇଥିଲେ। ଏହା ପରେ ୬୬ ରନ ସ୍କୋରରେ ପଞ୍ଜାବ ଲଗାତାର ଦୁଇଟି ବଡ ଓ୍ଵିକେଟ୍ ହରାଇଥିଲା। କ୍ରିସ୍‌ ଗେଲ୍‌ଙ୍କଠୁ ଦଳ ବଡ ଇନିଂସର ଆଶା ରଖିଥିଲେ ମଧ୍ୟ ସେ ୨୦ ରନ କରି ବିଦାୟ ନେଇଥିଲେ। ଏହା ପରେ ପରେ ଅଧିନାୟକ ରାହୁଲ ୨୭ ରନ କରି ରାଶିଦ ଖାନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲା ।

ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ମ୍ୟାକ୍ସଓ୍ଵେଲ ବି ମଧ୍ୟ ନିରାଶ କରି ୧୨ ରନରେ ବିଦାୟ ନେଇଥିଲେ। ନିକୋଲାସ ପୁରନଙ୍କୁ ବାଦ୍ ଦେଲେ ଆଉ କୌଣସି ବ୍ୟାଟସମ୍ୟାନ ବିଶେଷ ସଫଳ ହୋଇନଥିଲେ। ପୁରନ ୨୮ ବଲରୁ ୨ ଚୌକା ସହ ୩୨ ରନ କରି ଅପରାଜିତ ଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୨୬ ରନ କରିବାକୁ ସକ୍ଷମ ହୋଇଥିଲା।

ହାଇଦ୍ରାବାଦ ତରଫରୁ ରାଶିଦ ଖାନ ମାତ୍ର ୧୪ ରନ ଦେଇ ୨ଟି ସଫଳତା ପାଇଛନ୍ତି। ସେହି ପରି ଜାସନ ହୋଲଡର ଓ ସନ୍ଦୀପ ଶର୍ମା ମଧ୍ୟ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ ।

୧୨୭ ରନର ପିଛା କରୁଥିବା ହାଇଦ୍ରାବାଦ ପଞ୍ଜାବ ବୋଲରଙ୍କ ମୁକାବିଲା କରିପାରିନଥିଲା । ଫଳରେ ଦଳ ୧୯.୫ ଓଭରରେ ୧୧୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଡେଭିଡ୍ ଓ୍ୱାର୍ଣ୍ଣର ସର୍ବାଧିକ ୩୫ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜୟ ଶଙ୍କର ୨୬ ରନ୍ କରିଥିଲେ ।

ସେହିପରି ପଞ୍ଜାବ ପକ୍ଷରୁ ଏ ସିଂ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ସି ଜୋର୍ଡାନ ୩ଟି, ମହମ୍ମଦ ସାମି, ଏମ ଅଶ୍ୱିନୀ ଓ ଆର ବିଶ୍ନୋଇ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.