ବେଙ୍ଗାଲୁରୁକୁ ୬ ଓ୍ଵିକେଟ୍‌ରେ ମାତ୍ ଦେଇ ପ୍ଲେଅଫ୍‌-୨ରେ ପ୍ରବେଶ କଲା ସନରାଇଜର୍ସ ହାଇଦ୍ରାବାଦ, ରବିବାର ଦିଲ୍ଲୀ ସହ ମୁକାବିଲା

Published By : Prameya-News7 Bureau | November 06, 2020 IST

ଆବୁଧାବି ୦୬।୧୧: ଆଇପିଏଲ ୧୩ର ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକର ଏଲିମିନେଟର ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୪ ଓ୍ଵିକେଟ୍‌ରେ ପରାସ୍ତ କରି ପ୍ଲେଅଫ୍‌-୨ରେ ପ୍ରବେଶ କରିଛି ସନରାଇଜର୍ସ ହାଇଦ୍ରାବାଦ। ଦଳର ବିଜୟରେ ବୋଲର ପ୍ରମୁଖ ଭୂମିକା ନିଭାଇଛନ୍ତି। ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବି ଡିଭିଲିୟର୍ସଙ୍କ ୫୬ ରନ ବଳରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୩୧ ରନ କରିଥିଲେ। ଜବାବରେ ହାଇଦ୍ରାବାଦ କେନ ଓ୍ଵିଲିୟମସନଙ୍କ ଲଢୁଆ ୫୦ ରନର ଇନିଂସ ବଳରେ ୧୯.୪ ଓଭରରେ ୬ ଓ୍ଵିକେଟ୍ ହରାଇ ବିଜୟ ହାସଲ କରି ନେଇଛି। ରବିବାର ଦ୍ଵିତୀୟ ପ୍ଲେଅଫ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ବିଜୟୀ ଦଳ ନଭେମ୍ଵର ୧୦ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ।

୧୩୨ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ସନରାଇଜର୍ସକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ଶ୍ରୀବତ୍ସ ଗୋସ୍ଵାମୀ(୦) ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଅଧିନାୟକ ଡେଭିଡ୍ ଓ୍ଵାର୍ଣ୍ଣର ଓ ମନିଷ ପାଣ୍ଡେ ଦ୍ଵିତୀୟ ଓ୍ଵିକେଟ୍‌ ପାଇଁ ୪୧ ରନ ଯୋଡିଥିଲେ। ୪୩ ରନ ସ୍କୋରରେ ଡେଭିଡ୍ ଓ୍ଵାର୍ଣ୍ଣର(୧୭ ରନ) ମହମ୍ମଦ ସିରାଜଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ୫୫ ରନ ସ୍କୋରରେ ମନିଷ ପାଣ୍ଡେ ଜାମ୍ପାଙ୍କ ବଲରେ ଆଉଟ୍ ହୋଇଥିଲେ। ସେ ୨୪ ରନ କରି ବିଦାୟ ନେଇଥଲେ। ପ୍ରିୟମ ଗର୍ଗ(୭ ରନ) ନିରାଶ ହୋଇ ଫେରିଥିଲେ। ଅନ୍ୟପଟେ କେନ ଓ୍ଵିଲିୟମସନ ସଂଘର୍ଷ କରି ଦଳକୁ ବିଜୟ ଅଭିମୁଖେ ନେଇଥିଲେ।

ଓ୍ଵିଲିୟମସନ ୪୪ ବଲରୁ ୨ ଚୌକା ଓ ୨ ଛକା ସହ ୫୦ ରନର ଅପରାଜିତ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ। ଜାସନ ହୋଲଡର ଉତ୍ତମ ସହଯୋଗ ଦେଇଥିଲେ। ସେ ୨୦ ବଲରୁ ୨୪ ରନ କରିଥିଲେ। ହାଇଦ୍ରାବାଦ ୧୯.୪ ଓଭରରେ ୬ ଓ୍ଵିକେଟ୍  ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ବେଙ୍ଗାଲୁରୁ ପକ୍ଷରୁ ମହମ୍ମଦ ସିରାଜ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଆଡମ ଜାମ୍ପା ଓ ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

ବେଙ୍ଗାଲୁରୁ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ୧୫ ରନରେ ଦୁଇ ଓପନରଙ୍କୁ ହରାଇଥିଲା। ଚଳିତ ଆଇପିଏଲରେ ପ୍ରଥମ ଥର ଓପନିଂ କରିବାକୁ ଓହ୍ଲାଇଥିବା ବିରାଟ କୋହଲି(୬ ରନ) ଦ୍ଵିତୀୟ ଓଭରରେ ଜାସନ ହୋଲଡରଙ୍କ ବଲରେ ଆଉଟ୍ ହୋଇଥିଲେ। ୧୫ ରନ ସ୍କୋରରେ ଇନଫର୍ମ ବ୍ୟାଟସମ୍ୟାନ ଦେବଦତ୍ତ ପାଡିକଲ(୧ ରନ)  ହୋଲଡରଙ୍କ ଦ୍ଵିତୀୟ ଶିକାର ହୋଇଥିଲେ।

ଏହା ପରେ ଆରୋନ ଫିଞ୍ଚ ଓ ଏବି ଡିଭିଲିୟର୍ସ ଇନିଂସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରରେ ୪୧ ରନ ଯୋଡିଥିଲେ। ହେଲେ ୫୬ ରନ ସ୍କୋରରେ ଶାହବାଜ ନଦୀମ ଆରୋନ ଫିଞ୍ଚଙ୍କୁ ପାଭିଲିୟନ ପଠାଇଥିଲେ। ଫିଞ୍ଚ ୩୦ ବଲରୁ ୩ ଚୌକା ଓ ୧ ଛକା ସହ ୩୨ ରନ କରିଥିଲେ। ମୋଇନ ଅଲ୍ଲୀ ଖାତା ଖୋଲିବା ପୂର୍ବରୁ ରଶିଦ ଖାନଙ୍କ ଚମତ୍କାର ଫିଲ୍ଡିଂରେ ରନ ଆଉଟ୍ ହୋଇଥିଲେ। ୯୯ ରନ ସ୍କୋରରେ ଶିବମ ଦୁବେ(୮ ରନ) ହୋଲଡରଙ୍କ ତୃତୀୟ ଶିକାର ହୋଇଥିଲେ।

ଅନ୍ୟପଟେ ଇନିଂସ ସମ୍ଭାଳିଥିବା ଏବି ଡିଭିଲିୟର୍ସ ସଂଘର୍ଷମୟ ଇନିଂସ ଖେଳି ଆଇପିଏଲରେ ୩୭ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଓ୍ଵାଶିଂଟନ ସୁନ୍ଦର(୫ ରନ) ଆଉଟ୍ ହୋଇଥିଲେ। ହେଲେ ଠିକ୍ ସମୟରେ ଏବି ଡିଭିଲିୟର୍ସ ଆଉଟ୍ ହେବାରୁ ଦଳର ସ୍କୋର ଆଗକୁ ବଢି ପାରିନଥିଲା। ଡିଭିଲିୟର୍ସ ୪୩ ବଲରୁ ୫ ଚୌକା ସହ ୫୬ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳି ଟି ନଟରାଜନଙ୍କ ବଲରେ ଆଉଟ୍ ହୋଇଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୩୧ ରନ କରିବାକୁ ସମର୍ଥ ହୋଇଛି।

ହାଇଦ୍ରାବାଦ ପକ୍ଷରୁ ଜାସନ ହୋଲଡର ସଫଳ ବୋଲର ଭାବେ ସର୍ବାଧିକ ୩ ଓ୍ଵିକେଟ୍ ନେଇଥିଲେ। ଟି ନଟରାଜନ ୨ ଏବଂ ଶାହବାଜ ନଦୀମ ୧ଟି ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.