ଆଜି ଦ୍ଵିତୀୟ କ୍ଵାଲିଫାୟର: ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ, ଏମିତି ରହିବ ଦୁଇ ଦଳର ରଣନୀତି !

Published By : Prameya-News7 Bureau | November 08, 2020 IST

ଆବୁଧାବି,୦୮।୧୧: ଆଜି ଚଳିତ ଆଇପିଏଲ୍‌ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମଧ୍ୟରେ ମୁକାବିଲା ହେବ। ଫାଇନାଲ୍‌ରେ ପ୍ରବେଶ ପାଇଁ  ଉଭୟ ଦଳ ପାଖରେ ଏହା ଶେଷ ସୁଯୋଗ। ତେଣୁ ଆଜିର ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଉଭୟ ଦଳ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ। ସନ୍‌ରାଇଜର୍ସ ତୃତୀୟ ଥର ଆଇପିଏଲ୍‌ ଫାଇନାଲ୍‌ରେ ପ୍ରବେଶ ଲକ୍ଷ୍ୟରେ ରହିବ। ଦଳ ୨୦୧୬ରେ ଚମ୍ପିଆନ୍‌ ହୋଇଥିବା ବେଳେ ୨୦୧୮ରେ ରନର୍ସ ଅପ୍‌ ହୋଇଥିଲା । ଅନ୍ୟ ପଟରେ କ୍ୟାପିଟାଲ୍ସ ପାଇଁ ପ୍ରଥମ ଥର ଫାଇନାଲ୍‌ରେ ପ୍ରବେଶ କରିବାର ସୁଯୋଗ ରହିଛି। ତେଣୁ ଦଳ ଏହି ସୁଯୋଗର ହାତଛଡ଼ା କରିବାକୁ ଚାହିଁବନି ।

ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ୱାଧିନ ସନ୍‌ରାଇଜର୍ସ ପ୍ରଥମ ପର୍ଯ୍ୟାୟ ଲିଗ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ କ୍ରମାନ୍ୱୟରେ ଶେଷ ୩ଟି ଲିଗ୍‌ରେ ବିଜୟୀ ହୋଇ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିଥିଲା। ଏଲିମିନେଟରରେ ମଧ୍ୟ ଆଧିପତ୍ୟ ଜାରି ରଖି ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୬ ୱିକେଟ୍‌ରେ)କୁ ବିଦା କରିଥିଲା। ଏହି ପ୍ରଦର୍ଶନ ଦଳୀୟ ଖେଳାଳିଙ୍କ ଆତ୍ମବିଶ୍ୱାସ୍‌ ଦ୍ୱିଗୁଣିତ କରିଛି। କ୍ୟାପିଟାଲ୍ସ ବିପକ୍ଷରେ ସନ୍‌ରାଇଜର୍ସ ପଲା ଭାରି ରହିବ । ୱାର୍ଣ୍ଣରଙ୍କ ଚମତ୍କାର ଫର୍ମ, ଜାସନ ହୋଲ୍ଡରଙ୍କ ଅଲରାଉଣ୍ଡ ସୋ’ ଏବଂ ରସିଦ୍‌ ଖାନ୍‌ଙ୍କ ଯାଦୁକରୀ ସ୍ପିନ ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୱାର୍ଣ୍ଣର ୪ଟି ଅର୍ଦ୍ଧଶତକ ସହ ୫୪୬ରନ୍‌ କରି ଦ୍ୱିତୀୟ ସର୍ବାଧିକ ରନ୍‌ ହାସଲକାରୀ ରହିଛନ୍ତି ।

ଦଳକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ୱିକେଟ୍‌ କିପର ରିଦ୍ଧିମାନ ଶାହାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। କିନ୍ତୁ ସେ ଆହତ ଥିବାରୁ ପ୍ରଥମ କ୍ୱାଲିଫାୟର ଖେଳିନଥିଲେ। ଆଜି ମଧ୍ୟ ସେ ଖେଳିନପାରନ୍ତି। ତାଙ୍କ ସ୍ଥାନରେ ସୁଯୋଗ ପାଇଥିବା ଶ୍ରୀବତ୍ସ ଗୋସ୍ୱାମୀ ନିରାଶ କରିଥିଲେ। ତଥାପି ଦଳ ତାଙ୍କ ଉପରେ ଭରସା ଦେଖାଇଛି। ମଧ୍ୟଭାଗରେ ମନୀଷ ପାଣ୍ଡେ, କେନ୍‌ ୱିଲାମସନ୍‌ ଓ ପ୍ରିୟମ ଗର୍ଗ ଦଳ ଆବଶ୍ୟକ ଅନୁଯାୟୀ ଭଲ ପ୍ରଦର୍ଶନ ଦେଇଛନ୍ତି। ହୋଲ୍ଡରଙ୍କ ଉପସ୍ଥିତି ଦଳ ପାଇଁ ଆଶୀର୍ବାଦ ସଦୃଶ ରହିଛି । ସେ ୬ଟି ମ୍ୟାଚ୍‌ରୁ ୧୩ଟି ୱିକେଟ୍‌ ନେଇ ସାରିଥିବାବେଳେ ବ୍ୟାଟିଂରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସେହିପରି ରସିଦ୍‌ ଓ ପେସ୍‌ ବୋଲର ଟି. ନଟରାଜନ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ବିପଦଜ୍ଜନକ ସାବ୍ୟସ୍ତ ହୋଇଛନ୍ତି। ଆଜି କ୍ୟାପିଟାଲ୍ସର ଯୁବ ବ୍ୟାଟିଂ ବିଭାଗ ଓ ସନ୍‌ରାଇଜର୍ସ ବୋଲରଙ୍କ ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି ।

କ୍ୟାପିଟାଲ୍ସ ପ୍ରଥମ ୯ଟି ମୁକାବିଲାରୁ ୭ଟିରେ ବିଜୟୀ ହୋଇ ଟାଇଟଲ୍‌ ଦାବିଦାର ଭାବେ ଉଭା ହୋଇଥିଲା। କିନ୍ତୁ ଶେଷ ଆଡ଼କୁ ଦଳ ଲୟ ହରାଇବା ସହ ପ୍ଲେ-ଅଫ୍‌ ସ୍ଥାନ ପାଇ ସଂଘର୍ଷ କରିଥିଲା। ଏହାପରେ ପ୍ରଥମ କ୍ୱାଲିଫାୟରରେ ଦଳ ମୁମ୍ବାଇଠୁ ୫୭ରନ୍‌ରେ ପରାଜିତ ହୋଇଥିଲା। ଟପ୍‌ ଅର୍ଡ଼ର ବ୍ୟାଟିଂ ବିଭାଗ ଦଳର ମୁଖ୍ୟ ସମସ୍ୟା । ଅଧିନାୟକ ଶ୍ରେୟାସ ଆୟର ବି ଫର୍ମକୁ ନେଇ ସଂଘର୍ଷ କରୁଛନ୍ତି। ଏହା ଦଳୀୟ ପ୍ରଦର୍ଶନକୁ ପ୍ରଭାବିତ କରିଛି । ସନ୍‌ରାଇଜର୍ସକୁ ହରାଇବାକୁ ହେଲେ ବ୍ୟାଟିଂରେ ଉନ୍ନତି ଆଣିବା ଜରୁରୀ । ମୁମ୍ବାଇ ବିପକ୍ଷରେ ସ୍ପିନର ଡାନିଲ୍‌ ସାମ୍ସଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ ନିରାଶ କରିଥିଲେ । ତେଣୁ ଦଳ ଆଜି ବ୍ୟାଟିଂ ବିଭାଗକୁ ଦୃଢ଼ କରିବା ପାଇଁ ସିମରନ ହେତମେୟାରଙ୍କୁ ସାମିଲ କରିବ। ବୋଲିଂ ବିଭାଗ ଅପେକ୍ଷାକୃତ ଦୃଢ଼। କାଗିସୋ ରାବାଡ଼ା (୨୫), ଆନରିଚ୍‌ ନର୍ଜ (୨୦) ଓ ରବିଚନ୍ଦ୍ରନ ଅଶ୍ୱିନ (୧୩) ଭଲ ପ୍ରଦର୍ଶନ କରୁଛନ୍ତି। ଦଳ ପାଇଁ ଫାଇନାଲ୍‌ ପ୍ରବେଶ ସ୍ୱପ୍ନ ସାକାର କରିବାକୁ ହେଲେ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ।

କ୍ୟାପିଟାଲ୍ସ ଲିଗ୍‌ ପର୍ଯ୍ୟାୟର ଉଭୟ ମ୍ୟାଚ୍‌ରେ ସନ୍‌ରାଇଜର୍ସ ନିକଟରୁ ପରାଜିତ ହୋଇଥିଲା । ତେଣୁ ଦଳ ଆଜି ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.