IPL 2020: ପ୍ଲେଅଫ୍‌ରେ ସ୍ଥାନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ପଡିଆକୁ ଓହ୍ଲାଇବେ ମୁମ୍ବାଇ ଓ ବେଙ୍ଗାଲୁରୁ, ଏମିତି ହୋଇପାରେ ଚୂଡାନ୍ତ ଏକାଦଶ

Published By : Prameya-News7 Bureau | October 28, 2020 IST

ଆବୁଧାବି ୨୮।୧୦: ଆଜି ଆଇପିଏଲର ୪୮ତମ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ପଏଣ୍ଟ ତାଲିକାର ଶୀର୍ଷ ଦୁଇରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞର୍ସ ବେଙ୍ଗାଲୁରୁ। ଆହତଜନିତ ସମସ୍ୟା କାରଣରୁ ରୋହିତ ଶର୍ମା କ୍ରମାଗତ ତୃତୀୟ ମ୍ୟାଚ୍‌ରୁ ବାଦ୍‌ ପଡିବାର ସମ୍ଭାବନା ରହିଛି। ଏହି ମ୍ୟାଚ୍‌ ଜିତି ପ୍ଲେଅଫ୍‌ରେ ଜାଗା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଉଭୟ ପଡିବାକୁ ଓହ୍ଲାଇବେ। ମୁମ୍ବାଇକୁ ଗତ ମ୍ୟାଚ୍‌ରେ ରାଜସ୍ଥାନଠୁ ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିଲା। ମୁମ୍ବାଇ ଓ ବେଙ୍ଗାଲୁରୁ ଉଭୟ ୧୧ଟି ମ୍ୟାଚ୍‌ରୁ ୭ ବିଜୟ ସହ ସମାନ ୧୪ ପଏଣ୍ଟ ପାଇଛନ୍ତି। ଦୁଇ ଦଳ ପାଇଁ ବାକି ୩ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌  ଜିତିବା ଜରୁରୀ। ବୁଧବାର ଯେଉଁଦଳ ମ୍ୟାଚ୍‌ ଜିତିବ ତାର ପ୍ଲେଅଫ୍‌ରେ ଜାଗା ସୁନିଶ୍ଚିତ  ହୋଇଯିବ। ଚଳିତ ସଂସ୍କରଣର ପ୍ରଥମ ମୁକାବିଲାରେ ସୁପର ଓଭରରେ ବେଙ୍ଗାଲୁରୁ ମୁମ୍ବାଇକୁ ପରାସ୍ତ କରିଥିଲା।

ମ୍ୟାଚ୍‌ ପୂର୍ବରୁ ରୋହିତ ଫିଟନେସ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ରୋହିତ ହାର୍ମଷ୍ଟ୍ରିଙ୍ଗ ଆଘାତ କାରଣରୁ ଗତ ଦୁଇଟି ମ୍ୟାଚ୍‌ ଖେଳି ପାରି ନାହାନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ସୋମବାର ନେଟ୍‌ରେ ଅଭ୍ୟାସ୍ କରିଛନ୍ତି। ସଂଯୋଗ ଏମିତି, ସେହି ଦିନ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ଟିମ୍‌ରେ ତାଙ୍କୁ ସ୍ଥାନ ମିଳିନାହିଁ। ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ରୋହିତଙ୍କ ଫିଟ୍‌ନେସକୁ ନେଇ କୌଣସି ସ୍ପଷ୍ଟ ବୟାନ ଜାରି କରାଯାଇ ନାହିଁ।

ରୋହିତଙ୍କ ଅନୁପସ୍ଥିତିରେ ମୁମ୍ବାଇକୁ ସୌରଭ ତିଓ୍ଵାରୀ ଓ ଇଶାନ କିଷନଙ୍କ ଉପରେ ଭରସା ରଖିବାକୁ ପଡିବ। କ୍ଵିଣ୍ଟନ ଡିକକ୍‌(୩୭୪ ରନ) ରାଜସ୍ଥାନ ବିପକ୍ଷ ମୁକାବିଲାରେ ବିଫଳ ହୋଇଥିଲେ। ସେ ଆଜିର ମ୍ୟାଚ୍‌ରେ ନିଜର ଫର୍ମ ବଜାୟ ରଖିବାକୁ ଚେଷ୍ଟା କରିବେ। ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଫର୍ମରେ ଅଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡ ନିଜର ଖ୍ୟାତି ଅନୁଯାୟୀ ବିସ୍ଫୋରକ ବ୍ୟାଟିଂ କରି ଦଳର ଇନିଂସ ଠିକ୍‌ରେ ଶେଷ କରୁଛନ୍ତି।

ମୁମ୍ବାଇ ବୋଲର ଗତ ମ୍ୟାଚ୍‌କୁ ଭୁଲି ନୂତନ ଆରମ୍ଭ କରିବାକୁ ଚେଷ୍ଟା କରିବେ। ବୋଲିଂ ବିଭାଗରେ ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ପରି ବୋଲର ଫର୍ମରେ ଅଛନ୍ତି। ଉଭୟ ବୋଲର ମିଳିତ ୩୩ ଓ୍ଵିକେଟ୍ ନେଇ ସାରିଛନ୍ତି। ତୃତୀୟ ବୋଲର ଭାବେ ମୁମ୍ବାଇକୁ ଜେମ୍ସ ପାଟିନସନ ଓ ନାଥନ କୁଲଟର ନାଇଲ୍‌ଙ୍କ ମଧ୍ୟରୁ ଜଣକୁ ଚୟନ କରିବାକୁ ପଡିବ।

ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ଅଧିନାୟକ ବିରାଟ କୋହଲି(୪୧୭) ଦମଦାର ଫର୍ମରେ ଅଛନ୍ତି। ସେ ନିଜର ଏହି ଫର୍ମକୁ ଆଜିର ମ୍ୟାଚ୍‌ରେ ବଜାୟ ରଖିବାକୁ ଚାହିଁବେ। ଦେବଦୁତ୍ତ ପାଡିକଲ(୩୪୩ ରନ) ଓ ଏବି ଡିଭିଲିୟର୍ସ(୩୨୪ ରନ) ମଧ୍ୟ ଭଲ ଫର୍ମରେ ଅଛନ୍ତି। କ୍ରିସ୍ ମୋରିସ, ମୋଇନ ଅଲ୍ଲୀ ଓ ଗୁରକିରତ ମନଙ୍କୁ ନିମ୍ନ କ୍ରମରେ ଯୋଗଦାନ ଦେବାକୁ ପଡିବ।

କିନ୍ତୁ ଆରସିବି ନବଦୀପ ସାଇନି ଆହତ ହେବା କାରଣରୁ ବୋଲିଂ ବିଭାଗକୁ ନେଇ ଚିନ୍ତିତ। ସାଇନି ମୁମ୍ବାଇ ବିପକ୍ଷ ମୁକାବିଲା ଖେଳିବେ କି ନାହିଁ ସ୍ଥିତି ସ୍ପଷ୍ଟ ହୋଇ ନାହିଁ। ଯଦି ସେ ଖେଳିବେ ନାହିଁ ତେବେ ମରିସ ଓ ମହମ୍ମଦ ସିରାଜ ବ୍ୟତୀତ ଇସୁରୁ ଉଦାନାଙ୍କ ଦାୟିତ୍ଵ ଅଧିକ ବଢିଯିବ।

ସମ୍ଭାବିତ ଖେଳାଳି ଏକାଦଶ

ମୁମ୍ବାଇ ଇଣ୍ଡିଆନ୍ସ

କ୍ଵିଣ୍ଟନ ଡିକକ୍‌, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିଓ୍ଵାରୀ, କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ଜେମ୍ସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଦେବଦତ୍ତ ପାଡିକଲ, ଆରୋନ ଫିଞ୍ଚ, ବିରାଟ କୋହଲି(ଅଧିନାୟକ), ଏବି ଡିଭିଲିୟର୍ସ, ମୋଇନ ଅଲ୍ଲୀ। ଗୁରକିରତ ମାନ ସିଂହ, କ୍ରିସ୍ ମୋରିସ, ଓ୍ଵାଶିଂଟନ ସୁନ୍ଦର, ନବଦୀପ ସାଇନି, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.