ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ

Published By : Prameya-News7 Bureau | October 31, 2020 IST

ଦୁବାଇ ୩୧।୧୦: ଚଳିତ ଆଇପିଏଲରେ କ୍ରମାଗତ ଚତୁର୍ଥ ପରାଜୟ ଭୋଗିଛି ଦିଲ୍ଲୀ କ୍ୟାପିଟାଲ୍ସ। ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଘାତକ ବୋଲିଂ ପରେ ଇଶାନ କିଷନଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲର ୫୧ ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ସହଜରେ ୯ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ଲେଅଫ୍‌ରେ ପ୍ରବେଶ କରିବାକୁ ହେଲେ ଶେଷ ମ୍ୟାଚ୍‌ ଜିତିବା ଜରୁରୀ ହୋଇ ପଡିଛି। ଅନ୍ୟପଟେ ମୁମ୍ବାଇ ପ୍ରଥମ ସ୍ଥାନରେ ନିଜର ସ୍ଥିତି ଆହୁରି ମଜବୁତ କରିଛି।  ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟସମ୍ୟାନଙ୍କ ବିଫଳ ଯୋଗୁଁ ୯ ଓ୍ଵିକେଟ୍ ହରାଇ ୧୧୦ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଷନଙ୍କ ଅପରାଜିତ ୭୨ ରନ ଇନିଂସ ବଳରେ ୧୪.୨ ଓଭରରେ ୧ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ୧୩ଟି ମ୍ୟାଚ୍‌ରୁ ୯ ବିଜୟ ଏବଂ ୧୮ ପଏଣ୍ଟ ସହ ମୁମ୍ବାଇ ଶୀର୍ଷରେ ରହିଥିବା ବେଳେ ଦିଲ୍ଲୀ କ୍ରମାଗତ ଚତୁର୍ଥ ପରାଜୟ ଭୋଗି ସମାନ ମ୍ୟାଚ୍‌ରୁ ୧୪ ପଏଣ୍ଟ ପାଇ ପଏଣ୍ଟ ତାଲିକାର ତୃତୀୟ ସ୍ଥାନରେ ରହିଛି।

୧୧୧ ରନ ସହଜ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପନର ଇଶାନ କିଷନ ଓ କ୍ଵିଣ୍ଟନ ଡିକକ୍‌ ଦଳକୁ ମଜବୁତ ଆରମ୍ଭ ଦେଇ ବିଜୟ ସୁନିଶ୍ଚିତ କରିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍ ପାଇଁ ୬୮ ରନ ଯୋଡିଥିଲେ। ଡିକକ୍ ୨୬ ରନ କରି ଅନରିଚ ନୋର୍ତ୍ତଜେଙ୍କ ବଲରେ ଆଉଟ୍ ହୋଇଥିଲେ। ଅନ୍ୟପଟେ ଇଶାନ କିଷନ ଆଇପିଏଲରେ ଷଷ୍ଠ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଇଶାନ କିଷନ ୪୭ ବଲରୁ ୮ ଚୌକା ଓ ୩ ଛକା ସହ ୭୨ ରନ ଏବଂ ସୂର୍ଯ୍ୟକୁମାର ଯାଦବ ୧୨ ରନ କରି ଅପରାଜିତ ଥିଲେ।  

ଦିଲ୍ଲୀ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ୧ ରନ ସ୍କୋରରେ ଶିଖର ଧାଓ୍ଵନ(୦ ରନ)ଙ୍କୁ ଆଉଟ୍ କରି ଟ୍ରେଣ୍ଟ ବୋଲ୍ଡ ଦିଲ୍ଲୀକୁ ପ୍ରଥମ ଝଟକା ଦେଇଥିଲେ। ୧୫ ରନ ସ୍କୋରରେ ପୃଥ୍ଵୀ ସ(୧୦ ରନ) ବୋଲ୍ଟଙ୍କ ଦ୍ଵିତୀୟ ଶିକାର ହୋଇଥିଲେ। ଏହା ପରେ ଅଧିନାୟକ ଶ୍ରେୟସ ଆୟର ଓ ଋଷଭ ପନ୍ତ କିଛି ସମୟ କ୍ରିଜରେ ରହି ଦଳର ସ୍ଥିତିକୁ ସଜାଡିବାକୁ ଉଦ୍ୟମ କରିଥିଲେ। ଶ୍ରେୟସ ଆୟରଙ୍କୁ ଆଉଟ୍ କରି ରାହୁଲ ଚହର ଦିଲ୍ଲୀକୁ ବହୁତ ବଡ  ଝଟକା ଦେଇଥିଲେ। ଶ୍ରେୟସ ୨୫ ରନ କରି ପାଭିଲିୟନ ଫେରିଥିଲେ। ସେ ପନ୍ତଙ୍କ ସହ ତୃତୀୟ ଓ୍ଵିକେଟ୍‌ରେ ୩୫ ରନ ଯୋଡିଥିଲେ।

{"id":353973,"sizeSlug":"large"}

ଏହା ପରେ ଆଉ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ। ଫର୍ମରେ ଥିବା ମାର୍କସ ଷ୍ଟୋଇନିସ(୨ ରନ), ଋଷଭ ପନ୍ତ(୨୧ ରନ) ଓ ହର୍ଷଲ ପଟେଲ(୫ ରନ)ଙ୍କୁ ବୁମରା ଆଉଟ୍ କରି ଦିଲ୍ଲୀର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ। ପନ୍ତ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ। ସିମରନ ହେଟମୟାର(୧୧ ରନ) କୁଲଟରଙ୍କ ବଲରେ ଆଉଟ୍ ହୋଇଥିଲେ। ଶେଷ ଆଡକୁ ରବିଚନ୍ଦ୍ରନ ଅଶ୍ଵିନ ୧୨ ଓ କାଗିସୋ ରାବଡା ୧୨ ରନ  କରିଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍  ହରାଇ ୧୧୦ ରନ କରିଥିଲା।

ମୁମ୍ବାଇ ତରଫରୁ ବୁମରା ୧୭ ରନ ଦେଇ ୩ ଓ୍ଵିକେଟ୍ ଏବଂ ଟ୍ରେଣ୍ଟ ବୋଲ୍ଟ ୨୧ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ। ନାଥନ କୁଲଟର ନାଇଲ ଓ ରାହୁଲ ଚହର ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.