ଶିଖରଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲା ଡିକ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ, ଦିଲ୍ଲୀକୁ ୫ ଓ୍ଵିକେଟ୍‌ରେ ହରାଇ ଟେବୁଲ୍‌ର ଶୀର୍ଷରେ ମୁମ୍ଵାଇ ଇଣ୍ଡିଆନ୍ସ

Published By : Prameya-News7 Bureau | October 11, 2020 IST

ଆବୁଧାବି ୧୧।୧୦: ଶିଖରଙ୍କ ଅର୍ଦ୍ଧଶତକ ଉପରେ ଭାରି ପଡିଲା କ୍ଵିଣ୍ଟନ ଡିକ୍‌ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ। ଦୁଇ ବ୍ୟାଟସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ମୁମ୍ଵାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ମୁମ୍ଵାଇ ୭ଟି ମ୍ୟାଚ୍‌ରୁ ୫ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷରେ ପହଞ୍ଚିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏହି ପରାଜୟ ସହ ତାଲିକାର ଦ୍ଵିତୀୟ ସ୍ଥାନକୁ ଖସିଛି। ଉଭୟ ଦଳଙ୍କ ୧୦ ପଏଣ୍ଟ ଥିଲେ ମଧ୍ୟ ନେଟ୍ ରନରେଟ୍ ଆଧାରରେ ମୁମ୍ବାଇ ଶୀର୍ଷରେ ପହଞ୍ଚିଛି। ଶିଖର ଧାଓ୍ଵନଙ୍କ ୬୯ ଓ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ୪୨ ରନ ବଳରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୪  ଓ୍ଵିକେଟ୍ ହରାଇ ୧୬୨ ରନ କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ କ୍ଵିଣ୍ଟନ ଡିକକ୍‌ଙ୍କ ୫୩ ଓ ସୂର୍ଯ୍ୟକୁମାର ଯାଦବଙ୍କ ୫୩ ରନ ବଳରେ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି।

{"id":342751,"sizeSlug":"large"}

୧୬୩ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପନର ରୋହିତ ଶର୍ମା ଓ କ୍ଵିଣ୍ଟନ ଡିକକ୍‌ ପ୍ରଥମ ଓ୍ଵିକେଟ୍‌ରେ ୩୧ ରନ ଯୋଡିଥିଲେ। ରୋହିତ ଶର୍ମା ୫ ରନ କରି ଅକ୍ଷରଙ୍କ ବଲରେ ଆଉଟ୍ ହୋଇଥିଲେ। ପରେ ଡି କକ୍‌ ଓ ସୂର୍ଯ୍ୟ କୁମାର ଯାଦବ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୬ ରନ ଯୋଡି ଦଳର ସ୍କୋରକୁ ୭୭ରେ ପହଞ୍ଚାଇଥିଲେ। ଡିକକ୍‌ ୩୬ ବଲରୁ ୪ ଚୌକା ଓ ୩ ଛକା ସହ ୫୩ ରନର ଦ୍ରୁତ ଇନିଂସ ଖେଳିଥିଲେ। ଡିକକ୍‌ଙ୍କ ଏହା ହେଉଛି ଆଇପିଏଲରେ ୧୨ତମ ଅର୍ଦ୍ଧଶତକ।

ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନ ଦଳର ଇନିଂସକୁ ଆଗକୁ ବଢାଇଥିଲେ। ସୂର୍ଯ୍ୟକୁମାର ଯାଦବ ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇର ବିଜୟ ମାର୍ଗ ପ୍ରଶସ୍ତ କରିଥିଲେ। ସେ ଦ୍ରୁତ ବ୍ୟାଟିଂ କରି  ଆଇପିଏଲରେ ନବମ ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ କୁମାର ଯାଦବ ଓ ଇଶାନ କିଶନ ତୃତୀୟ ଓ୍ଵିକେଟ୍‌ରେ ୫୩ ରନ ଯୋଡି ମୁମ୍ବାଇକୁ ବିଜୟକୁ ସହଜ କରିଥିଲେ। କିନ୍ତୁ ୧୩୦ ରନ ସ୍କୋରରେ ମୁମ୍ବାଇକୁ କ୍ରମାଗତ ଦୁଇଟି ଝଟକା ଲାଗିଥିଲା। ସୂର୍ଯ୍ୟକୁମାର ଯାଦବ ୩୨ ବଲରୁ ୬ ଚୌକା ଓ ୧ ଛକା ସହ ୫୩ ରନ କରି  ରାବଡାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ। ଇଶାନ କିଶନ ୧୫ ବଲରୁ ୨ ଚୌକା ଓ ୨ ଛକା ସହ ୨୮ ରନ କରି ରାବଡାଙ୍କ ଶିକାର ହୋଇଥିଲେ।

{"id":342752,"sizeSlug":"large"}

ମୁମ୍ବାଇର ବିଜୟରେ ବାକି ଔପଚାରିକତା କିରଣ ପୋଲାର୍ଡ ଓ କୃଣାଲ ପାଣ୍ଡ୍ୟା ପୂରଣ କରିଥିଲେ। ପୋଲାର୍ଡ ୧୧ ରନ ଓ କୃଣାଲ ପାଣ୍ଡ୍ୟା ୧୨ ରନ କରି ଅପରାଜିତ ଥିଲେ। ମୁମ୍ବାଇ ୧୯.୪ ଓଭରରେ ୫ ଓ୍ଵିକେଟ୍ ହରାଇ ୫ ଓ୍ଵିକେଟ୍‌ରେ ମ୍ୟାଚ୍‌କୁ ଜିତି ନେଇଛି।   ଦିଲ୍ଲୀ ତରଫରୁ କାଗିସୋ ରାବଡା ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଅକ୍ଷର ପଟେଲ,  ରବିଚନ୍ଦ୍ରନ ଅଶ୍ଵିନ ଓ ମାର୍କସ ଷ୍ଟୋଇନିସ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଦିଲ୍ଲୀ ଇନିଂସ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ପୃଥ୍ଵୀ ସ ୪ ରନ କରି  ଟ୍ରେଣ୍ଟ ବୋଲ୍ଟଙ୍କ ଶିକାର ହୋଇଥିଲେ।  ପରେ ୨୪ ରନ ସ୍କୋରରେ ଚଳିତ ଆଇପିଏଲରେ ପ୍ରଥମ ମ୍ୟାଚ୍ ଖେଳୁଥିବା ଆଜିଙ୍କ୍ୟ ରାହାଣେ ୧୫ ବଲରୁ ୩ ଚୌକା ସହ ୧୫ ରନ କରି କୃଣାଲ ପାଣ୍ଡ୍ୟାଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ଏହା ପରେ ଶିଖର ଧାଓ୍ଵନ ଓ ଶ୍ରେୟସ ଆୟର ଦଳର ଇନିଂସ ସମ୍ଭାଳିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍ ପାଇଁ ୮୫ ରନ ଯୋଡି ଦଳର ସ୍କୋରକୁ ୧୦୯ରେ ପହଞ୍ଚାଇଥିଲେ। ହେଲେ ଶ୍ରେୟସ ଆୟରଙ୍କୁ ଆଉଟ୍ କରି କୃଣାଲ ପାଣ୍ଡ୍ୟା ମୁମ୍ବାଇକୁ ବଡ ସଫଳତା ଦେଇଥିଲେ। ଶ୍ରେୟସ ୩୩ ବଲରୁ ୫ ଚୌକା ସହ ୪୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଅନ୍ୟପଟେ ଶିଖର ଧାଓ୍ଵନ ଆଇପିଏଲରେ ୩୮ତମ ଅର୍ଦ୍ଧଶତକ ହାସଲ କରିଥିଲେ।

{"id":342753,"sizeSlug":"large"}

ଫର୍ମରେ ଚାଲୁଥିବା ମାର୍କସ ଷ୍ଟୋଇନିସ୍‌ ରନ ଆଉଟ୍ ହେବା ଦିଲ୍ଲୀର ରନଗତି ଧିମା ପଡିଥିଲା। ଷ୍ଟୋଇନିସ୍ ୮ ବଲରୁ ୧୩ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଶିଖର ଧାଓ୍ଵନ ୫୨ ବଲରୁ ୬ ଚୌକା ଓ ୧ ଛକା ବଳରେ ୬୯ ରନ ଏବଂ ଆଲେକ୍ସ କେରି ୯ ବଲରୁ ୧୪  ରନ କରିଥିଲେ। ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ ୪ ଓ୍ଵିକେଟ୍ ହରାଇ ୧୬୨ ରନ କରିଛି।

ମୁମ୍ବାଇ ପକ୍ଷରୁ କୃଣାଲ ପାଣ୍ଡ୍ୟା ୨ଟି ଓ୍ଵିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.