IPL 2020: ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ନିଷ୍ପତ୍ତି, ଖେଳୁନାହାନ୍ତି ରୋହିତ ଶର୍ମା, ବେଙ୍ଗାଲୁରୁ ଦଳରେ ୩ ପରିବର୍ତ୍ତନ

Published By : Prameya-News7 Bureau | October 28, 2020 IST

ଆବୁଧାବି ୨୮।୧୦: ଆଜି ଆଇପିଏଲର ୪୮ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ପଏଣ୍ଟ ତାଲିକାର ଶୀର୍ଷ ଦୁଇରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞର୍ସ ବେଙ୍ଗାଲୁରୁ। ଆହତଜନିତ ସମସ୍ୟା କାରଣରୁ ରୋହିତ ଶର୍ମା କ୍ରମାଗତ ତୃତୀୟ ମ୍ୟାଚ୍‌ରୁ ବାଦ୍‌ ପଡିଛନ୍ତି। ତାଙ୍କ ଅନୁପସ୍ଥିତିରେ ଅଧିନାୟକ ଭାର ସମ୍ଭାଳୁଥିବା କାମଚଳା ଅଧିନାୟକ କିରଣ ପୋଲାର୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବେଙ୍ଗାଲୁରୁ ଆଜି ୩ଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି। ଆହତ ନବଦୀପ ସାଇନିଙ୍କ ସ୍ଥାନରେ ଶିବମ ଦୁବେଙ୍କୁ ଦଳରେ ସୁଯୋଗ ଦିଆଯାଇଛି। ସେହିପରି ଓପନର ଆରୋନ ଫିଞ୍ଚଙ୍କ ସ୍ଥାନରେ ଜୋସ୍ ଫିଲିପ ଓ ମୋଇନ ଅଲ୍ଲୀଙ୍କ ସ୍ଥାନରେ ଡେଲ ଷ୍ଟେନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦିଆଯାଇଛି।

ଏହି ମ୍ୟାଚ୍‌ ଜିତି ପ୍ଲେଅଫ୍‌ରେ ଜାଗା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଉଭୟ ପଡିବାକୁ ଓହ୍ଲାଇବେ। ମୁମ୍ବାଇ ଗତ ମ୍ୟାଚ୍‌ରେ ରାଜସ୍ଥାନଠୁ ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଥିଲା। ମୁମ୍ବାଇ ଓ ବେଙ୍ଗାଲୁରୁ ଉଭୟ ୧୧ଟି ମ୍ୟାଚ୍‌ରୁ ୭ ବିଜୟ ସହ ସମାନ ୧୪ ପଏଣ୍ଟ ପାଇଛନ୍ତି। ଦୁଇ ଦଳ ପାଇଁ ବାକି ୩ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌  ଜିତିବା ଜରୁରୀ। ବୁଧବାର ଯେଉଁଦଳ ମ୍ୟାଚ୍‌ ଜିତିବ ତାର ପ୍ଲେଅଫ୍‌ରେ ଜାଗା ସୁନିଶ୍ଚିତ  ହୋଇଯିବ। ଚଳିତ ସଂସ୍କରଣର ପ୍ରଥମ ମୁକାବିଲାରେ ସୁପର ଓଭରରେ ବେଙ୍ଗାଲୁରୁ ମୁମ୍ବାଇକୁ ପରାସ୍ତ କରିଥିଲା।

ମ୍ୟାଚ୍‌ ପୂର୍ବରୁ ରୋହିତ ଫିଟନେସ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ରୋହିତ ହାର୍ମଷ୍ଟ୍ରିଙ୍ଗ ଆଘାତ କାରଣରୁ ଗତ ଦୁଇଟି ମ୍ୟାଚ୍‌ ଖେଳି ପାରି ନାହାନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ସୋମବାର ନେଟ୍‌ରେ ଅଭ୍ୟାସ୍ କରିଛନ୍ତି। ସଂଯୋଗ ଏମିତି, ସେହି ଦିନ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷିତ ଟିମ୍‌ରେ ତାଙ୍କୁ ସ୍ଥାନ ମିଳିନାହିଁ। ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ରୋହିତଙ୍କ ଫିଟ୍‌ନେସକୁ ନେଇ କୌଣସି ସ୍ପଷ୍ଟ ବୟାନ ଜାରି କରାଯାଇ ନାହିଁ।

ରୋହିତଙ୍କ ଅନୁପସ୍ଥିତିରେ ମୁମ୍ବାଇକୁ ସୌରଭ ତିଓ୍ଵାରୀ ଓ ଇଶାନ କିଷନଙ୍କ ଉପରେ ଭରସା ରଖିବାକୁ ପଡିବ। କ୍ଵିଣ୍ଟନ ଡିକକ୍‌(୩୭୪ ରନ) ରାଜସ୍ଥାନ ବିପକ୍ଷ ମୁକାବିଲାରେ ବିଫଳ ହୋଇଥିଲେ। ସେ ଆଜିର ମ୍ୟାଚ୍‌ରେ ନିଜର ଫର୍ମ ବଜାୟ ରଖିବାକୁ ଚେଷ୍ଟା କରିବେ। ଇଶାନ କିଷନ ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଫର୍ମରେ ଅଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡ ନିଜର ଖ୍ୟାତି ଅନୁଯାୟୀ ବିସ୍ଫୋରକ ବ୍ୟାଟିଂ କରି ଦଳର ଇନିଂସ ଠିକ୍‌ରେ ଶେଷ କରୁଛନ୍ତି।

ମୁମ୍ବାଇ ବୋଲର ଗତ ମ୍ୟାଚ୍‌କୁ ଭୁଲି ନୂତନ ଆରମ୍ଭ କରିବାକୁ ଚେଷ୍ଟା କରିବେ। ବୋଲିଂ ବିଭାଗରେ ଯଶପ୍ରୀତ ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ପରି ବୋଲର ଫର୍ମରେ ଅଛନ୍ତି। ଉଭୟ ବୋଲର ମିଳିତ ୩୩ ଓ୍ଵିକେଟ୍ ନେଇ ସାରିଛନ୍ତି। ତୃତୀୟ ବୋଲର ଭାବେ ମୁମ୍ବାଇ ଜେମ୍ସ ପାଟିନସନ ଚୟନ କରିଛି।

ଅନ୍ୟପଟେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ତରଫରୁ ଅଧିନାୟକ ବିରାଟ କୋହଲି(୪୧୭) ଦମଦାର ଫର୍ମରେ ଅଛନ୍ତି। ସେ ନିଜର ଏହି ଫର୍ମକୁ ଆଜିର ମ୍ୟାଚ୍‌ରେ ବଜାୟ ରଖିବାକୁ ଚାହିଁବେ। ଦେବଦୁତ୍ତ ପାଡିକଲ(୩୪୩ ରନ) ଓ ଏବି ଡିଭିଲିୟର୍ସ(୩୨୪ ରନ) ମଧ୍ୟ ଭଲ ଫର୍ମରେ ଅଛନ୍ତି। କ୍ରିସ୍ ମୋରିସ, ମୋଇନ ଅଲ୍ଲୀ ଓ ଗୁରକିରତ ମନଙ୍କୁ ନିମ୍ନ କ୍ରମରେ ଯୋଗଦାନ ଦେବାକୁ ପଡିବ।

କିନ୍ତୁ ଆରସିବି ନବଦୀପ ସାଇନି ଆହତ ହେବା କାରଣରୁ ଆଜିର ମ୍ୟାଚ୍‌ରେ ଖେଳୁ ନାହାନ୍ତି। ତାଙ୍କ ସ୍ଥାନରେ ଅଲରାଉଣ୍ଡର ଶିବମ ଦୁବେଙ୍କୁ ସାମିଲ କରାଯାଇଛି। ତାଙ୍କ ଅନୁପସ୍ଥିତିରେ ବୋଲିଂ ଭାର ଡେଲ୍ ଷ୍ଟେସନ, କ୍ରିସ ମୋରିସ ଓ ମହମ୍ମଦ ସିରାଜ ଦାୟିତ୍ଵ ସମ୍ଭାଳିବେ।

ମୁମ୍ବାଇ ଇଣ୍ଡିଆନ୍ସ

କ୍ଵିଣ୍ଟନ ଡିକକ୍‌, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ସୌରଭ ତିଓ୍ଵାରୀ, କିରଣ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ଜେମ୍ସ ପାଟିନସନ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଦେବଦତ୍ତ ପାଡିକଲ,ଜୋସ୍ ଫିଲିପ, ବିରାଟ କୋହଲି(ଅଧିନାୟକ), ଏବି ଡିଭିଲିୟର୍ସ, ଶିବମ ଦୁବେ, ଗୁରକିରତ ମାନ ସିଂହ, କ୍ରିସ୍ ମୋରିସ, ଓ୍ଵାଶିଂଟନ ସୁନ୍ଦର, ଡେଲ ଷ୍ଟେନ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.