IPL 2020: ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହେବ କଡା ଟକ୍କର, ଏହି ଖେଳାଳିଙ୍କ ଉପରେ ରହିବ ସଭିଙ୍କ ନଜର

Published By : Prameya-News7 Bureau | October 11, 2020 IST

ନୂଆଦିଲ୍ଲୀ ୧୧।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଚଳିତ ସଂସ୍କରଣରେ ଦମଦାର ପ୍ରଦର୍ଶନ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ରବିବାର ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ଆଇପିଏଲର ଏହି ୨୭ତମ ମ୍ୟାଚ୍‌ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରେ ଖେଳାଯିବ। ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ମୁକାବିଲା ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ଦୁଇ ଦଳ ଜଣେ କି ଦୁଇ ଜଣ ଖେଳାଳିଙ୍କ ଉପରେ ମଧ୍ୟ ନିର୍ଭରଶୀଳ ନୁହେଁ। ସମସ୍ତ ଖେଳାଳି କୌଣସି ନା କୌଣସି ମ୍ୟାଚ୍‌ରେ ବିଜୟରେ ଯୋଗଦାନ କରୁଛନ୍ତି। ପଏଣ୍ଟ ତାଲିକାରେ ଦିଲ୍ଲୀ କ୍ୟାପିଟାଲ୍ସ ୬ଟି ମ୍ୟାଚ୍‌ରୁ ୫ ବିଜୟ ସହ ଶୀର୍ଷରେ ରହିଥିବା ବେଳେ ମୁମ୍ବାଇ ୬ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇ ଦ୍ଵିତୀୟରେ ରହିଛି। ଉଭୟ ଦଳ ମଧ୍ୟରେ ଏ ପର୍ଯ୍ୟନ୍ତ ୨୪ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଉଭୟ ଦଳ ୧୨ ଟି ଲେଖାଏଁ ମୁକାବିଲା ଜିତିଛନ୍ତି। ତେଣୁ ଦୁଇ ଦଳର ରେକର୍ଡ ବରାବର ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଦୁଇ ଦଳର ବ୍ୟାଟିଂ କ୍ରମ ମଜବୁତ ରହିଛି। ଏହା ସହିତ ଉଭୟ ଦଳର  ବୋଲିଂ ଆକ୍ରମଣ ମଧ୍ୟ ଶକ୍ତିଶାଳୀ। କେବଳ ଅଭିଜ୍ଞତା ଦୃଷ୍ଟିରୁ ମୁମ୍ବାଇ ଇଣ୍ଡିଆନ୍ସର ପଲ୍ଲା ଟିକେ ଭାରି ରହିଛି। କାରଣ ଦଳରେ ବ୍ୟାଟସମ୍ୟାନଠୁ ନେଇ ବୋଲର ପର୍ଯ୍ୟନ୍ତ  ସବୁ ମାମଲାରେ ଦଳର ଅଭିଜ୍ଞତା ରହିଛି। ବୁମରା ଓ ଟ୍ରେଣ୍ଟ ବୋଲ୍ଟଙ୍କ ଅଭିଜ୍ଞତା ମ୍ୟାଚ୍‌ରେ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ।

ଦିଲ୍ଲୀ ପାଇଁ ଚିନ୍ତାର ବିଷୟ ଅନୁଭବୀ ଓପନିଂ ବ୍ୟାଟସମ୍ୟାନ ଶିଖର ଧାଓ୍ଵନ ଏ ପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରି ପାରିନାହାନ୍ତି। ଅନେକ ମ୍ୟାଚ୍‌ରେ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ସେ ବଡ ଇନିଂସ ଖେଳି ପାରି ନାହାନ୍ତି। ତେଣୁ ଆଜିର ବଡ ମ୍ୟାଚ୍‌ରେ ଅଧିନାୟକ ଶ୍ରେୟସ ଆୟର ତାଙ୍କଠୁ ଭଲ ପ୍ରଦର୍ଶନର ଆଶା ରଖିବେ। ପୃଥ୍ଵୀ ସ ଓ ଋଷଭ ପନ୍ତଙ୍କ ପାଇଁ ମଧ୍ୟ ବୁମରା ଓ ବୋଲ୍ଟଙ୍କୁ ସାମ୍ନା କରିବାର ପରୀକ୍ଷା ଦେବାକୁ ପଡିବ।

ଦିଲ୍ଲୀ ପାଇଁ ଭଲ ଖବର ଏହା ଯେ, ସିମରନ ହେଟମାୟର ଫର୍ମକୁ ଫେରିଛନ୍ତି। ହେଟମାୟର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦମଦାର ପ୍ରଦର୍ଶନ କରିଛନ୍ତି। ଅଧିନାୟକ ଶ୍ରେୟସ ଆୟର ଚମତ୍କାର ଫର୍ମରେ ଅଛନ୍ତି। ଦେଖିବାକୁ ବାକି ରହିଲା ରୋହିତ  ଶର୍ମାଙ୍କ ଅଧିନାୟକତ୍ଵ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ସେ କେମିତି ଅଧିନାୟକତ୍ଵ ଦାୟିତ୍ଵ ସମ୍ଭାଳୁଛନ୍ତି। ମୁମ୍ବାଇ ପାଖରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରଣ ପୋଲାର୍ଡଙ୍କ ପରି ଅଲରାଉଣ୍ଡର ଅଛନ୍ତି, ଯେଉଁମାନେ ନିଜ ଦମରେ ମ୍ୟାଚ୍‌ର ଗତିପଥର ବଦଳାଇବାରେ ସକ୍ଷମ। କୃଣାଲ ପାଣ୍ଡ୍ୟା ମଧ୍ୟ ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେଉଛନ୍ତି।

ଦିଲ୍ଲୀ ପାଖରେ କାଗିସୋ ରାବଡା ଓ ଏନରିଚ୍ ନୋର୍ତଜେଙ୍କ ଫର୍ମରେ ଥିବା ବୋଲର ଅଛନ୍ତି। ରବିଚନ୍ଦ୍ରନ ଅଶ୍ଵିନୀଙ୍କ ପରି ଅଭିଜ୍ଞ ବିଶ୍ଵସ୍ତରୀୟ ସ୍ପିନର ଦଳର ବିଜୟରେ ପ୍ରମୁଖ ଭୂମିକା ନେଉଛନ୍ତି। ଆହତ ଅମିତ୍ ମିଶ୍ରାଙ୍କ ଅଭାବ ଅକ୍ଷର ପଟେଲ ପୂରଣ କରିଛନ୍ତି। ଆବୁଧାବିର ବଡ ପଡିଆରେ ୧୭୦ ସ୍କୋରକୁ ଭଲ କୁହାଯିବ। କିନ୍ତୁ ମୁମ୍ବାଇ ଓ ଦିଲ୍ଲୀ ବ୍ୟାଟସମ୍ୟାନଙ୍କୁ ଦେଖିଲେ ୨୦୦ ରନ ମଧ୍ୟ ସୁରକ୍ଷିତ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.