ବରୁଣଙ୍କ ବୋଲିଂରେ ଦିଲ୍ଲୀ ଧରାଶାୟୀ, ୫୯ ରନ୍‌ରେ ମ୍ୟାଚ୍‌ ଜିତି ପ୍ଲେଅଫ୍ ପାଇଁ ନିଜର ଦାବିଦାର ମଜବୁତ କଲା କୋଲକାତା ନାଇଟ୍ ରାଇଡର୍ସ

Published By : Prameya-News7 Bureau | October 24, 2020 IST

ଆବୁଧାବି ୨୪।୧୦: ନୀତିଶ ରାଣା ଓ ସୁନିଲ ନାରିନେଙ୍କ ଅର୍ଦ୍ଧଶତକ ପରେ ବରୁଣ ଚକ୍ରବର୍ତ୍ତୀଙ୍କ ୫ ଓ୍ଵିକେଟ୍ ବଳରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲର ୪୨ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୯ ରନରେ ପରାସ୍ତ କରି ଗୁରୁତ୍ଵପୂର୍ଣ୍ଣ ବିଜୟ ହାସଲ କରିଛି। ଏହି ବିଜୟ ସହିତ କୋଲକାତା ନାଇଟ୍‌ ରାଇଡର୍ସର ପ୍ଲେଅଫ ଦାବିଦାରୀ ମଜବୁତ ହୋଇଛି। ଅନ୍ୟପଟେ ଦିଲ୍ଲୀ କ୍ରମାଗତ ଦ୍ଵିତୀୟ ପରାଜୟବରଣ ଭୋଗିଛି। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍‌ ରାଇଡର୍ସ ନୀତିଶ ରାଣାଙ୍କ ୮୧ ରନ ଏବଂ ସୁନିଲ ନାରିନେଙ୍କ ୬୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୯୪ ରନ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ଵିକେଟ୍ ହରାଇ ୧୩୫ ରନ କରିବାକୁ ସକ୍ଷମ ହୋଇଛି। ବରୁଣ ଚକ୍ରବର୍ତ୍ତୀ ୫ ଓ୍ଵିକେଟ୍ ନେଇ କୋଲକାତା ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

୧୯୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଆରମ୍ଭରୁ ଦୁଇଟି ଝଟକା ଲାଗିଥିଲା। ଇନିଂସର ପ୍ରଥମ ବଲରେ ଆଜିଙ୍କ୍ୟ ରାହାଣେଙ୍କୁ ପାଟ୍ କମିନ୍ସ ଆଉଟ୍ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ୧୩ ରନ ସ୍କୋରରେ ଶିଖର ଧାଓ୍ଵନଙ୍କୁ କ୍ଲିନ ବୋଲ୍ଡ କରି କମିନ୍ସ ଦିଲ୍ଲୀକୁ ଦ୍ଵିତୀୟ ଝଟକା ଦେଇଥିଲେ। ଏହା ପରେ ଶ୍ରେୟସ ଆୟର ଓ ଋଷଭ ପନ୍ତ ଇନିଂସ ସଜାଡିବାକୁ ଚେଷ୍ଟା କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍‌ରେ ୬୩ ରନ ଯୋଡିଥିଲେ। ହେଲେ ୭୬ ରନ ସ୍କୋରରେ ଋଷଭ ପନ୍ତଙ୍କୁ ବରୁଣ ଚକ୍ରବର୍ତ୍ତୀ ଆଉଟ୍ କରିଥିଲେ। ପନ୍ତ ୩୩ ବଲରୁ ୨୭ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ବରୁଣ ଚକ୍ରବର୍ତ୍ତୀ ସିମରନ ହେଟ୍‌ମାୟର(୧୦)ଙ୍କୁ ନିଜର ଦ୍ଵିତୀୟ ଶିକାର କରିଥିଲେ। ଏହା ପରଠୁ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା।

ଦଳର ଇନିଂସ ସମ୍ଭାଳିଥିବା ଅଧିନାୟକ ଶ୍ରେୟସ ଆୟରଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଦିଲ୍ଲୀଙ୍କୁ ବହୁତ ବଡ ଝଟକା ଦେଇଥିଲେ। ଶ୍ରେୟର ଆୟର ୩୮ ବଲରୁ ୫ ଚୌକା ସହ ୪୭ ରନ କରି ପାଭିଲିୟନ ଫେରିଥିଲେ। ଶ୍ରେୟସଙ୍କ ପରେ ଆଉ କୌଣସି ବ୍ୟାଡସମ୍ୟାନ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୧୪ ରନ କରି ଅପରାଜିତ ଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ବରୁଣ ଚକ୍ରବର୍ତ୍ତୀଙ୍କ ଶାଣିତ ବୋଲିଂର ସମ୍ମୁଖୀନ ହୋଇପାରି ୯ ଓ୍ଵିକେଟ୍ ହରାଇ ୧୩୫ ରନ କରିବାରେ ସକ୍ଷମ ହୋଇଥିଲା।

କୋଲକାତା ତରଫରୁ ବରୁଣ ଚକ୍ରବର୍ତ୍ତୀ ୨୦ ରନ ଦେଇ ୫ ସଫଳତା ପାଇଥିଲେ। ସେହି ପରି ପାଟ୍ କମିନ୍ସ ୧୭ ରନ ଦେଇ ୩ ଓ୍ଵିକେଟ୍ ନେଇଥିଲେ।  ଲକି ଫର୍ଗ୍ୟୁସନ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

କୋଲାକାତ ଇନିଂସ

ଟସ୍‌  ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତାକୁ ୧୧ ରନ ସ୍କୋରରେ ଶୁଭମାନ ଗିଲ୍‌(୯ ରନ)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଦିଲ୍ଲୀକୁ ପ୍ରଥମ ସଫଳତା ଦେଇଥିବା ନୋର୍ତ୍ତଜେ ୩୫ ରନ ସ୍କୋରେ ରାହୁଲ ତ୍ରିପାଠୀ(୧୨ ରନ)ଙ୍କୁ ବୋଲ୍ଡ କରି ପାଭିଲିୟନର ରାସ୍ତା ଦେଖାଇଥିଲେ। ଦିନେଶ କାର୍ତ୍ତିକ ନିଜର ଖରାପ ଫର୍ମ ଜାରି ରଖି ୩ ରନ କରି ବିଦାୟ ନେଇଥିଲେ।

୪୨ ରନରେ ୩ ଓ୍ଵିକେଟ୍ ହରାଇ ଅଡୁଆରେ ପଡିଥିବା କୋଲାକାତା ନାଇଟ୍‌ ରାଇଡର୍ସର ଇନିଂସ ସମ୍ଭାଳିଥିଲେ ନୀତିଶ ରାଣା ଓ ସୁନିଲ ନାରିନେ। ଉଭୟ ଦ୍ରୁତ ବ୍ୟାଟିଂ କରି ଦଳର ସ୍କୋରକୁ ଆଗକୁ ବଢାଇଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ନୀତିଶ ରାଣା ଆଇପିଏଲରେ ୧୦ତମ ଅର୍ଦ୍ଧଶତକ ଏବଂ ସୁନିଲ ନାରିନେ ଚତୁର୍ଥ ଅର୍ଦ୍ଧଶତକ  ହାସଲ କରିଥିଲେ। ଉଭୟ ଚତୁର୍ଥ ଓ୍ଵିକେଟ୍‌ ପାଇଁ ୧୧୫ ରନ ଯୋଡି ଦଳର ସ୍କୋରକୁ ୧୫୭ରେ ପହଞ୍ଚାଇଥିଲେ। ସୁନିଲ ନାରିନେଙ୍କୁ ଆଉଟ୍ କରି କାଗିସୋ ରାବଡା ଏହି ଭାଗିଦାରୀ ଭାଙ୍ଗିଥିଲେ। ନାରିନେ ୩୨ ବଲରୁ ୬ ଚୌକା ଓ ୪ ଛକା ସହ ୬୪ ରନ କରି ବିଦାୟ ନେଇଥିଲେ। ଇନିଂସର ଶେଷ ଓଭରରେ ନୀତିଶ ରାଣା ଆଉଟ୍ ହୋଇଥିଲେ। ସେ ୫୩ ବଲରୁ ୧୩ ଚୌକା ଓ ୧ ଛକା ସହ ସର୍ବାଧିକ ୮୧ ରନର ଇନିଂସ ଖେଳିଥିଲେ। କୋଲକାତା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍  ହରାଇ ୧୯୪ ରନର ବିଶାଳ ସ୍କୋର କରିଛି। ଇଅନ ମୋର୍ଗାନ ୯ ବଲରୁ ୨ ଚୌକା ଓ ୧ ଛକା ସହ ୧୭ ରନ କରି ଇନିଂସର ଶେଷ ବଲରେ ଆଉଟ୍ ହୋଇଥିଲେ।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଅନରିଚ୍ ନୋର୍ତ୍ତଜେ,  କାଗିସୋ ରାବଡା ଓ ମାର୍କସ ଷ୍ଟୋଇନିସ୍ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.