IPL 2020: ରାଜସ୍ଥାନ ରୟାଲ୍ସକୁ ୧୭୫ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ

Published By : Prameya-News7 Bureau | September 30, 2020 IST

ଦୁବାଇ ୩୦।୦୯: ଦୁବାଇର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍  ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୧୨ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ରାଇଡର୍ସ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୭୫ ରନର  ବିଜୟ ଲକ୍ଷ୍ୟ ରଖିଛି। ଶୁଭମାନ ଗିଲଙ୍କ ୪୭ ରନ ସହାୟତାରେ କୋଲକାତା ନାଇଟ୍‌ ରାଇଡର୍ସ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୪ ରନର ସମ୍ମାନଜନକ ସ୍କୋର କରିଛି। ଇଅନ ମୋର୍ଗାନ ୩୪ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଟୂର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିବାକୁ ହେଲେ କୋଲକାତାକୁ ଏହି ସ୍କୋରରେ ରାଜସ୍ଥାନକୁ ସୀମିତ ରଖିବାକୁ ପଡିବ। ରାଜସ୍ଥାନ ପକ୍ଷରୁ ଜୋଫ୍ରା ଆର୍ଚର ୨ଟି ସଫଳତା ପାଇଛନ୍ତି।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସର ଦୁଇ ଓପନର ଶୁଭମାନ ଗିଲ ଓ ସୁନିଲ ନାରିନେ ୪.୫ ଓଭରରେ ୩୬ ରନ ଯୋଡିଥିଲେ। ସୁନିଲ ନାରିନେ ୧୬ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଗିଲ୍ ଓ ନୀତିଶ ରାଣା ଦ୍ଵିତୀୟ ଓ୍ଵିକେଟ୍‌ ପାଇଁ ୪୬ ରନ ଯୋଡି ଦଳର ସ୍ଥିତିକୁ ମଜବୁତ କରିଥିଲେ। ୮୨ ରନ ସ୍କୋରରେ  ନୀତିଶ ରାଣା(୨୨ ରନ) ରାହୁଲ ତେଓ୍ଵତିଆଙ୍କ ବଲରେ ଆଉଟ୍ ହୋଇଥିଲେ। ଭଲ ଫର୍ମରେ ନଜର ଆସୁଥିବା ଶୁଭମାନ ଗିଲ୍ ଅର୍ଦ୍ଧଶତକୁ ବଞ୍ଚିତ ହୋଇ  ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ସେ ୩୪ ବଲରୁ ୫ ଚୌକା ଓ ୧ ଛକା  ଜରିଆରରେ ୪୭ ରନ କରି ପାଭିଲିୟନ ଫେରିଥିଲେ।

ଅଧିନାୟକ ଦିନେଶ କାର୍ତ୍ତିକ ନିଜର ଖରାପ ଫର୍ମ ଜାରି ରଖି ମାତ୍ର ୧ ରନ ସ୍କୋରେ ଜୋଫ୍ରାଙ୍କ ବଲରେ ଓ୍ଵିକେଟ୍ କିପର ଜୋସ ବଟଲଙ୍କୁ କ୍ୟାଚ୍‌ ଦେଇ ପାଭିଲିୟନ ଫେରିଥିଲେ। ଦଳର ସବୁଠୁ ବିସ୍ଫୋରକ ବ୍ୟାଟସମ୍ୟାନ ଆନ୍ଦ୍ରେ ରସେଲ ୧୪ ବଲରୁ ୩ ଛକା ମାରି ଦ୍ରୁତ ୨୪ ରନ କରି ଆଉଟ୍ ହୋଇଥିଲେ। ୧୧୫ ରନ ସ୍କୋରରେ ଦଳ ଅଧା ଓ୍ଵିକେଟ୍ ହରାଇଥିଲା। ଶେଷ ଆଡକୁ ଇଅନ ମୋର୍ଗାନ ୨୩ ବଲରୁ ୩୪ ରନର ଅପରାଜିତ ଇନିଂସ ଖେଳିବାରୁ କୋଲକାତା ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ବିନିମୟରେ ୧୭୪ ରନର ସମ୍ମାନଜନକ ସ୍କୋର କରି ପାରିଛି। ନାଗରକୋଟି ୮ ରନରେ ଅପରାଜିତ ଥିଲେ।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ସଫଳ ବୋଲର ଭାବେ ଜୋଫ୍ରା ଆର୍ଚର ୧୮ ରନରେ ୨ ଓ୍ଵିକେଟ୍ ନେଇଥିଲ। ଟମ କରନ, ଜୟଦେବ ଉନାଦକତ, ରାହୁଲ ତେଓ୍ଵତିଆ ଓ ଅଙ୍କିତ ରାଜପୁତ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.