IPL 2020: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ବ୍ୟାଟିଂ ନିଷ୍ପତ୍ତି, ଦଳର ମଙ୍ଗ ଧରିଲେ ମୋର୍ଗାନ

Published By : Prameya-News7 Bureau | October 16, 2020 IST

ଆବୁଧାବି ୧୬।୧୦: ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଆଇପିଏଲର ୩୨ତମ ମ୍ୟାଚ୍ ଖେଳାଯାଉଛି। ଏହି ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ହେବାକୁ ଯାଉଛି। ଟସ୍ ଜିତି କୋଲକାତା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରମାଗତ ୪ଟି ମ୍ୟାଚ୍‌ ଜିତିଥିବା ମୁମ୍ବାଇର ମନୋବଳ ବେଶ୍ ଉର୍ଦ୍ଧ୍ଵରେ ରହିଛି। ଦଳ ଏହି ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ କୋଲକାତା ନାଇଟ୍‌ ରାଇଡର୍ସ ପ୍ରଥମ ଥର ଇଅନ ମୋର୍ଗାନଙ୍କ ଅଧିନାୟକତ୍ଵରେ ପଡିଆକୁ ଓହ୍ଲାଇବାକୁ ଯାଉଛି। ଆଜିର ମ୍ୟାଚ୍‌ ଜରିଆରେ ବିଜୟଧାରାକୁ ଫେରିବା ପାଇଁ କୋଲକାତା ଲକ୍ଷ୍ୟ ରଖିଛି।

ଆବୁଧାବିରେ ହୋଇଥିବା ପ୍ରଥମ ମୁକାବିଲାରେ କୋଲକାତାକୁ ୪୯ରନ୍‌ରେ ହରାଇଥିଲା ମୁମ୍ବାଇ । ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ବୋଲରମାନଙ୍କ ଶୃଙ୍ଖଳିତ ବୋଲିଂ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫/୧୯୫ରନ୍‌ କରିଥିବାବେଳେ କୋଲକାତା ୯/୧୪୯ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟଥର ଆବୁଧାବିରେ ଉଭୟ ଦଳ ସାମ୍ନାସାମ୍ନି ହେବେ । ରେକର୍ଡ଼ ଓ ବର୍ତ୍ତମାନର ପ୍ରଦର୍ଶନ ମୁମ୍ବାଇକୁ ବିଜୟ ଦାବିଦାର ରଖିଛି । କୋଲକାତା ବିପକ୍ଷରେ ମୁମ୍ବାଇର ରେକର୍ଡ଼ ୨୦-୬ ରହିଛି । ରୋହିତଙ୍କ ମୁମ୍ବାଇ ଦଳ ୭ ମ୍ୟାଚ୍‌ରୁ ୫ଟିରେ ବିଜୟୀ ହୋଇଛି । ଦଳର ବ୍ୟାଟିଂ ଓ ବୋଲିଂ ବିଭାଗ ସବୁଠୁ ଶକ୍ତିଶାଳୀ । ସମସ୍ତ ବ୍ୟାଟ୍ସମ୍ୟାନ୍‌ ଭିନ୍ନ ଭିନ୍ନ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି। ବୋଲରମାନେ ମଧ୍ୟ ଅନୁରୂପ ପ୍ରଦର୍ଶନ କରିଛନ୍ତି । ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି। ଆବୁଧାବି ଗ୍ରାଉଣ୍ଡରେ ରୋହିତ ୨ଟି ଯାକ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସେହିପରି ସୂର୍ଯ୍ୟକୁମାର ଯାଦବ, ଈଶାନ୍‌ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ରୋହିତ ପୂର୍ବଭଳି ଆସନ୍ତାକାଲି ୩ଜଣ ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ୍‌ ବୁମ୍‌ରା ଓ ଜେମ୍ସ ପାଟିନସନ୍‌ଙ୍କ ନେଇ ଆକ୍ସନକୁ ଓହ୍ଲାଇବେ । ଏହି ୩ଜଣ ବୋଲର ୩୧ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ଆଜି ରୋହିତ ଓ କୋଲକାତା ବୋଲିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

କୋଲକାତା ୭ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଛି । ଦଳ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ନିକଟରୁ ବୃହତ ୮୨ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲା । ସନ୍ଦେହଜନକ ବୋଲିଂ ଆକ୍ସନ ପାଇଁ ସ୍ପିନର ସୁନିଲ ନାରାଏନ୍‌ ଏହି ମ୍ୟାଚ୍‌ ଖେଳିନଥିଲେ । ଆଜିର ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ସନ୍ଦେହ ରହିଛି । ପୂର୍ବ ମ୍ୟାଚ୍‌ରେ ଓପନିଂ ସୁଯୋଗ ପାଇଥିବା ଟମ୍‌ ବାଣ୍ଟନ ନିରାଶ କରିଥିଲେ । ବାଣ୍ଟନଙ୍କ ସ୍ଥାନରେ ଅଲରାଉଣ୍ଡର ଲୋକି ଫର୍ଗୁସନ୍‌ଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ସେ ଡେଥ୍‌ ବୋଲିଂ ସମସ୍ୟା ଦୂର କରିପାରିବେ । ଯଦି ଫର୍ଗୁସନଙ୍କୁ ସୁଯୋଗ ମିଳେ, ତା’ହେଲେ ଦଳ କମଳେଶ ନାଗରକୋଟିଙ୍କ ସ୍ଥାନରେ ଦ୍ୱିତୀୟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ଖେଳାଇପାରେ । ଦୁର୍ଦ୍ଦଶ ଆନ୍ଦ୍ରେ ରସେଲଙ୍କ ଫର୍ମ ଚିନ୍ତାଜନକ ରହିଛି । ସେ ୭ଟି ମ୍ୟାଚ୍‌ରୁ ମାତ୍ର ୭୧ରନ୍‌ କରିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମା(ଅଧିନାୟକ), କ୍ଵିଣ୍ଟନ ଡି କକ୍(ଓ୍ଵିକେଟ୍ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କୃଣାଲ ପାଣ୍ଡ୍ୟା, ନାଥନ କୁଲଟର ନାଇଲ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା।

କୋଲକାତା ନାଇଟ୍ ରାଇଡର୍ସ

ରାହୁଲ ତ୍ରିପାଠୀ, ଶୁଭମାନ ଗିଲ୍ , ନୀତିଶ ରାଣା, ଇଅନ ମୋର୍ଗାନ(ଅଧିନାୟକ), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ ରକ୍ଷକ), ଆନ୍ଦ୍ରେ ରସେଲ, କ୍ରିସ୍ ଗ୍ରୀନ, ପାଟ କମିନ୍ସ, ଶିବମ ମାଭି, ବରୁଣ ଚକ୍ରବର୍ତ୍ତୀ, ପ୍ରସିଦ୍ଧ କ୍ରିଷ୍ଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.