ଆଇପିଏଲ ୨୦୨୦ : ଆଜି ମୁହାଁମୁହିଁ ହେବେ ରାଜସ୍ଥାନ ଓ କୋଲକାତା, ରାହୁଲ ତେଓ୍ୱାତିଆଙ୍କ ଉପରେ ରହିବ ନଜର୍

Published By : Prameya-News7 Bureau | September 30, 2020 IST

ଦୁବାଇ, ୩୦|୦୯: ଆଇପିଏଲ ୨୦୨୦ରେ ବୁଧବାର ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ରାଜସ୍ଥାନକୁ ହରାଇବା ପାଇଁ ହେଲେ କୋଲକାତାକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଆଜି ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଏହି ମୁକାବିଲା ଖେଳାଯିବ ।

ରାଜସ୍ଥାନ ଆରମ୍ଭର ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଆସୁଛି । ଗତ ମ୍ୟାଚରେ କିଙ୍ଗସ୍ ଏକାଦଶ ପଞ୍ଜାବ ବିରୋଧରେ ୨୨୪ ରନ୍‌ର ଟାର୍ଗେଟ୍ ହାସଲ କରିନେଇଥିଲା ।

ସଞ୍ଜୁ ସାମସନଙ୍କ ଉପରେ ବଡ ଦାୟିତ୍ୱ

ରାଜସ୍ଥାନ ନିଜର ଦୁଇଟି ମ୍ୟାଚ୍ ଜିତିଛି । ଏହାସହ ସହଜରେ ୨୦୦ରୁ ଅଧିକ ରନ୍ ହାସଲ କରିଛି । ଏହି ସଫଳତା ପଛରେ ସଞ୍ଜୁ ସାମସନ ଓ ରାହୁଲ ତେବାତିୟାଙ୍କ ଯୋଗଦାନ ଅଧିକ ରହିଛି । ହରିୟାଣାର ଅଲରାଉଣ୍ଡର ତେଓ୍ୱାତିଆ ପଞ୍ଜାବ ବିପକ୍ଷରେ ୩୧ ବଲ୍‌ରୁ ୫୩ ରନ୍ ସଂଗ୍ରହ କରି ମ୍ୟାଚର ଗତିପଥରେ ପରିବର୍ତ୍ତନ କରିଥିଲେ । ଏହି ମ୍ୟାଚରେ ରାଜସ୍ଥାନ ତିନୋଟି ବଲ୍ ବାକି ଥାଇ ୨୨୪ ରନ୍‌ର ଲକ୍ଷ୍ୟ ହାସଲ କରିନେଇଥିଲା ।

ଏହି ମ୍ୟାଚରେ ତେଓ୍ୱାତିଆ ଗୋଟିଏ ସମୟରେ ୧୯ ବଲ୍‌ରୁ ୮ ଓ ୨୩ ବଲ୍‌ରୁ ୧୭ ରନ୍ କରିଥିଲେ । ହଠାତ ସେ ତାଙ୍କ ବ୍ୟାଟିଂ ଲୟରେ ପରିବର୍ତ୍ତନ କରିଥିଲେ । ଗୋଟିଏ ଓଭରରେ ୫ଟି ବିଶାଳ ଛକା ଲଗାଇଥିଲେ । ସେହିପରି ସଞ୍ଜୁ ସାମସନ ମଧ୍ୟ ୨୧୪.୮୬ ହାରରେ ରନ୍ ସଂଗ୍ରହ କରିଥିଲେ ।

କେକେଆର ସାମ୍ନାରେ ବଡ ଚ୍ୟାଲେଞ୍ଜ୍

କେକେଆରକୁ ରାଜସ୍ଥାନ ବିପକ୍ଷରେ ଭଲ ଖେଳିବାକୁ ହେଲେ ଆଣ୍ଡ୍ର୍ୟୁ ରସେଲ ଓ ଇଆନ ମୋର୍ଗାନଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ଉଭୟ ବ୍ୟାଟସମ୍ୟାନ୍ ଗତ ମ୍ୟାଚରେ ସେପରି କିଛି କରିସ୍ମା କରିପାରି ନାହାଁନ୍ତି । ତେବେ ଦ୍ୱିତୀୟ ମ୍ୟାଚରେ ଦଳ ସନରାଇଜର୍ସ ହାଇଦ୍ରାବାଦର ଭୁଲ୍ ପାଇଁ ମ୍ୟାଚ୍ ଜିତିଥିଲା । ୧୪୫ ରନ୍‌ର ଟାର୍ଗେଟକୁ ହାସଲ କରିନେଇଥିଲା । ତେବେ ରାଜସ୍ଥାନ ବିପକ୍ଷରେ ଦଳକୁ ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି କ୍ରିକେଟ ବିଶେଷଜ୍ଞମାନେ କହୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.