ଆଇପିଏଲ ୨୦୨୦ : ଟସ୍ ଜିତିଲା ଚେନ୍ନାଇ, ପ୍ରଥମେ କରିବ ଫିଲ୍ଡିଂ

Published By : Prameya-News7 Bureau | October 29, 2020 IST

ଦୁବାଇ, ୨୯/୧୦: ଆଜି ଚଳିତ ଆଇପିଏଲ୍‌ର ଏକ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଚେନ୍ନାଇ । ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଅର୍ଥାତ ପ୍ରଥମେ ବୋଲିଂ କରିବ ଚେନ୍ନାଇ ।

wp:html /wp:html

କୋଲକାତା ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ଲିଗ୍‌ ପର୍ଯ୍ୟାୟରେ ଦଳର ଆଉ ମାତ୍ର ୨ଟି ମ୍ୟାଚ୍‌ ବାକି ଅଛି । କୋଲକାତାକୁ ପ୍ଲେ-ଅଫ୍‌ ଦୌଡ଼ରେ ରହିବାକୁ ହେଲେ ଉଭୟ ମ୍ୟାଚ୍‌ ଜିତିବାକୁ ପଡ଼ିବ । କେବଳ ବିଜୟୀ ହେଲେ ହେବନି ବରଂ ରନ୍‌ ରେଟ୍‌ରେ ଉନ୍ନତି ଆଣିବା ଜରୁରୀ । ଅନ୍ୟ ଦିଗରେ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ି ସାରିଥିବା ସୁପର କିଙ୍ଗ୍‌ସ ସମ୍ମାନ ପାଇଁ ଖେଳିବ । ଦଳ ଆଜି ନାଇଟ୍‌ ରାଇଡର୍ସର ପ୍ଲେ-ଅଫ୍‌ ଦୌଡ଼ରେ ବାଧା ସୃଷ୍ଟି କରିବା ପାଇଁ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । d

ନାଇଟ୍‌ ରାଇଡର୍ସ ୧୨ ମ୍ୟାଚ୍‌ରୁ ୧୨ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି । ଅନ୍ୟ ପଟରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସମାନ ସଂଖ୍ୟକ ମ୍ୟାଚ୍‌ ଓ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ନେଟ୍‌ ରନ୍‌ ରେଟ୍‌ ପାଇଁ ଚତୁର୍ଥରେ ରହିଛି । ଉଭୟ ଦଳର ପ୍ଲେ-ଅଫ୍‌ ଆଶା ଉଜ୍ଜ୍ୱଳ ରହିଛି । ନାଇଟ୍‌ ରାଇଡର୍ସ ପୂର୍ବ ମ୍ୟାଚ୍‌ରେ କିଙ୍ଗ୍‌ସ ଏକାଦଶଠୁ ୮ ୱିକେଟ୍‌ରେ ପରାଜିତ ହୋଇଥିଲା । ଓପନର ଶୁବମନ ଗିଲ୍‌ ୫୭ ଓ ଅଧିନାୟକ ଇୟନ ମୋର୍ଗାନ ୪୦ରନ୍‌ କରିଥିବାବେଳେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ୍‌ ବିଫଳ ହୋଇଥିଲେ । ଦୁର୍ଦ୍ଧର୍ଷ ଆନ୍ଦ୍ରେ ରସେଲ ଆଣ୍ଠୁ ଆହତ ସମସ୍ୟା ପାଇଁ ଶେଷ ୩ଟି ମ୍ୟାଚ୍‌ ଖେଳିନାହାନ୍ତି। ଆଜିର ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ କୌଣସି ସୂଚନା ନାହିଁ । ସୁପର କିଙ୍ଗ୍‌ସକୁ ହରାଇବାକୁ ହେଲେ ଟପ୍‌ ଅର୍ଡ଼ର ବ୍ୟାଟ୍ସମ୍ୟାନ୍‌ଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ । ବୋଲିଂ ବିଭାଗରେ ପେସ୍‌ ବୋଲର ପ୍ୟାଟ୍‌ କମିନ୍ସ ନିଜ ଦକ୍ଷତା ପ୍ରତିପାଦନ କରିବାରେ ବିଫଳ ରହିଛନ୍ତି । ସେ ସବୁଠୁ ଦାମୀ ଖେଳାଳି ହୋଇଥିଲେ ମଧ୍ୟ ପ୍ରଭାବହୀନ ସାବ୍ୟସ୍ତ ହୋଇଛନ୍ତି । ଆଜି ପ୍ରତିଭାବାନ ସ୍ପିନ୍‌ ଯାଦୁକର ବରୁଣ ଚକ୍ରବର୍ତ୍ତୀ ଓ ସୁନିଲ୍‌ ନାରାଏନ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବରୁଣ ସୁପର କିଙ୍ଗ୍‌ସ ବିପର୍ଯ୍ୟୟର ମୁଖ୍ୟ କାରଣ ସାଜିପାରନ୍ତି ।

ମହେନ୍ଦ୍ର ସିଂହ ଧୋନିଙ୍କ ସୁପର କିଙ୍ଗ୍‌ସ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟ୍‌ରେ ପରାଜିତ କରିଥିଲା । ଏହା ଦଳୀୟ ଖେଳାଳିଙ୍କ ମନୋବଳ ଦ୍ୱିଗୁଣିତ କରିଛି । ଯୁବ ଓପନର ଋତୁରାଜ ଗାଏକୱାର୍ଡ଼ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳି ଫର୍ମକୁ ଫେରିବାର ସୂଚନା ଦେଇଛନ୍ତି । ଓପନିଂ ସମସ୍ୟାର ସମାଧାନ କରିଛନ୍ତି । ସ୍ପିନର ମିଚେଲ ସାଣ୍ଟନର ପ୍ରଭାବୀ ପ୍ରଦର୍ଶନ ସହ ଲୟରେ ଥିବା ପ୍ରମାଣିତ କରିଛନ୍ତି । ଆଜି ଅଲରାଉଣ୍ଡର ସାମ୍‌ କୁରାନ ଓ ଦୀପକ ଚହର ଏବଂ ନାଇଟ୍‌ ରାଇଡର୍ସ ବ୍ୟାଟିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ହେବା ଆଶା କରାଯାଉଛି ।

ପ୍ରଥମ ପର୍ଯ୍ୟାୟ ଲିଗ୍‌ ମୁକାବିଲାରେ ନାଇଟ୍‌ ରାଇଡର୍ସ ୧୦ରନ୍‌ରେ ସୁପର କିଙ୍ଗ୍‌ସକୁ ହରାଇଥିଲା । ରାହୁଲ ତ୍ରିପାଠୀ ୫୧ ବଲ୍‌ରୁ ୮୧ରନ୍‌ର ଧୂଆଁଧାର ଇନିଂସ୍‌ ଖେଳିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.