ଇଅନ ମୋର୍ଗାନଙ୍କ ଅଧିନାୟକତ୍ଵ ଇନିଂସ, ନିର୍ଣ୍ଣାୟକ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୧୯୨ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା

Published By : Prameya-News7 Bureau | November 01, 2020 IST

ଦୁବାଇ ୦୧।୧୧: ବ୍ୟାଟସମ୍ୟାନଙ୍କ ମିଳିତ ପ୍ରୟାସରେ ନିର୍ଣ୍ଣାୟକ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୯୨ ରନର ବିଜୟ ଲକ୍ଷ୍ୟ ରଖିଛି। ଅଧିନାୟକ ଇଅନ ମୋର୍ଗାନଙ୍କ ଅପରାଜିତ ୬୮ ରନ, ରାହୁଲ ତ୍ରିପାଠୀଙ୍କ ୩୯ ରନ ଓ ଶୁଭମାନ ଗିଲଙ୍କ ୩୬ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୧ ରନ କରିଛି। ଏହି ମ୍ୟାଚ୍‌ ଯେଉଁ ଦଳ ଜିତିବ ତାର ପ୍ଲେଅଫ୍‌ ଆଶା ଉଜ୍ଜୀବିତ ରହିବ। ଯେଉଁ ଦଳ ମ୍ୟାଚ୍ ହାରିବ ଟୂର୍ଣ୍ଣାମେଣ୍ଟରୁ ବିଦାୟ ନେବ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା। ନୀତିଶ ରାଣା(୦ ରନ) ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଏହା ପରେ ଶୁଭମାନ ଗିଲ୍ ଓ ରାହୁଲ ତ୍ରିପାଠୀ ଦଳର ଇନିଂସ ସମ୍ଭାଳିଥିଲେ। ଦ୍ରୁତ ବ୍ୟାଟିଂ କରି ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୨ ରନ ଯୋଡିଥିଲେ। ଏହା ପରେ ଦଳକୁ ଲାଗ ଲାଗ ୩ ଝଟକା ଲାଗିଥିଲା। ଶୁଭମାନ ଗିଲ୍ ୨୪ ବଲରୁ ୬ ଚୌକା ସହ ୩୬ ରନ କରିଥିଲେ। ଏହା ପରେ ରାହୁଲ ତ୍ରିପାଠୀ ଭଲ ବ୍ୟାଟିଂ କରି ୩୯ ରନ କରି ଆଉଟ୍ ହୋଇଥିଲେ। ସୁନିଲ ନାରିନେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ।

ଦିନେଶ କାର୍ତ୍ତିକ ମଧ୍ୟ ଦଳକୁ ନିରାଶ କରି ୦ ରନରେ ପାଭିଲିୟନ ଫେରିଥିଲେ। ୯୯ ରନରେ ୫ ଓ୍ଵିକେଟ୍ ହରାଇବା ପରେ ଅଧିନାୟକ ଇଅନ ମୋର୍ଗାନ ଦଳର ବ୍ୟାଟିଂ ସମ୍ଭାଳିଥିଲେ। ସେ ଆନ୍ଦ୍ରେ ରସେଲଙ୍କ ସହ ଷଷ୍ଠ ଓ୍ଵିକେଟ୍‌ରେ ୪୫ ରନ ଯୋଡି ଦଳର ସ୍ଥିତି ମଜବୁତ କରିଥିଲେ। ରସେଲ ବିସ୍ଫୋରକ ବ୍ୟାଟିଂ କରି ୧୧ ବଲରୁ ୧ ଚୌକା ଓ ୩ ଛକା ସହ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହି କ୍ରମରେ ଇଅନ ମୋର୍ଗାନ ଆଇପିଏଲରେ ଚତୁର୍ଥ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷ ପର୍ଯ୍ୟନ୍ତ ରହି ସେ ୩୫ ବଲରୁ ୫ ଚୌକା ଓ ୬ ଛକା ସହ ୬୮ ରନ କରିଥିଲେ। କୋଲକାତା ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୯୧ ରନ କରିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ରାହୁଲ ତେଓ୍ଵତିଆ ୩ ସଫଳତା ପାଇଥିବା ବେଳେ କାର୍ତ୍ତିକ ତ୍ୟାଗୀ ୨, ଜୋଫ୍ରା ଆର୍ଚର ଏବଂ ଶ୍ରେୟସ ଗୋପାଲ ଗୋଟିଏ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.