IPL 2020: ଅଧିନାୟକତ୍ଵ ଇନିଂସ ଖେଳିଲେ ଲୋକେଶ ରାହୁଲ, ଚେନ୍ନାଇକୁ ୧୭୯ ରନର ବିଜୟ ଲକ୍ଷ୍ୟ ଦେଲା ପଞ୍ଜାବ

Published By : Prameya-News7 Bureau | October 04, 2020 IST

ଦୁବାଇ ୦୪।୧୦: ଅଧିନାୟକ କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଦୁବାଇ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲର ୧୮ତମ ମ୍ୟାଚ୍‌ରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ଚେନ୍ନାଇ ସୁପରକିଙ୍ଗ୍ସକୁ ୧୭୯ ରନର ବିଜୟ ଲକ୍ଷ୍ୟ ଦେଇଛି। କେଏଲ ରାହୁଲଙ୍କ ୬୩ ରନ ଓ ନିକୋଲାସ ପୁରନଙ୍କ ଦ୍ରୁତ ୩୩ ରନ ସହାୟତାରେ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍  ହରାଇ ୧୭୮ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି। ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ ଜିତିବା ଜରୁରୀ। କାରଣ ପୂର୍ବ ୪ଟି ମ୍ୟାଚ୍‌ରୁ ଦୁଇ ଦଳ କେବଳ ଗୋଟିଏ ମ୍ୟାଚ୍‌ ଜିତିଥିବା ବେଳେ ୩ଟିରେ ପରାଜିତ ହୋଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ଭଲ ଫର୍ମରେ ଥିବା ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଦମଦାର ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ୮ ଓଭରରେ ୬୧ ରନ ଯୋଡିଥିଲେ। ମୟଙ୍କ(୨୬)ଙ୍କୁ ଆଉଟ୍ କରି ପିୟୂଷ ଚାଓ୍ଵାଲ ଚେନ୍ନାଇକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ କ୍ରିଜକୁ ଆସିଥିବା ମନଦୀପ ସିଂହ ୧୬ ବଲରୁ ୨ ଛକା ଜରିଆରେ ଦ୍ରୁତ ୨୭ ରନ କରି ଆଉଟ୍ ହୋଇଥିଲେ।

କେଏଲ ରାହୁଲ ଆଇପିଏଲରେ ୧୮ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ନିକୋଲାସ ପୂରନଙ୍କୁ ସାଥୀ କରି ତୃତୀୟ ଓ୍ଵିକେଟ୍‌ରେ ୫୮ ରନ ଯୋଡି ଦଳର ସ୍କୋରକୁ ୧୫୨ ରନରେ ପହଞ୍ଚାଇଥିଲେ। ପୁରନ ୧୭ ବଲରୁ ୧ ଚୌକା ଓ ୩ ଛକା ବଳରେ ଦ୍ରୁତ ୩୩ ରନ କରି ପାଭିଲିୟନ ଫେରିଥିଲେ। ଲୋକେଶ ରାହୁଲ ୧୮ତମ ଓଭରରେ ଆଉଟ୍ ହୋଇଥିଲେ। ସେ ୫୨ ବଲରୁ ୭ ଚୌକା ଓ ୧ ଛକା ଜରିଆରେ ୬୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷ ଆଡକୁ ଗ୍ଲେନ ମ୍ୟାକ୍ସଓ୍ଵେଲ୍ ୧୧ ରନ ଓ ସର୍ଫରାଜ ଖାନ ୧୪ ରନ କରି ଅପରାଜିତ ଥିଲେ। ନିର୍ଦ୍ଧାରିତ ଓଭରରେ ପଞ୍ଜାବ ୪ ଓ୍ଵିକେଟ୍ ବିନିମୟରେ ୧୭୮ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି।

ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସଫଳ ବୋଲର ଭାବେ ୨ଟି ଓ୍ଵିକେଟ୍ ନେଇଥିବା ବେଳେ ପିୟୂଷ ଚାଓ୍ଵାଲା ଗୋଟିଏ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.