ୟୁଏଇରେ ହେବ ୨୦୨୦ ଆଇପିଏଲ: ଗଭର୍ଣ୍ଣିଂ ବଡିକୁ ଜଣାଇଲେ ଚେୟାରମ୍ୟାନ୍ ବୃଜେଶ ପଟେଲ, ଆସନ୍ତା ସପ୍ତାହରେ ଚୁଡାନ୍ତ ପ୍ରୋଗ୍ରାମ୍

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ, ୨୧|୦୭:  ଏସିଆ କପ୍ ଓ ଟି୨୦ ବିଶ୍ୱକପ୍ ରବ୍ଦ ହେବା ପରେ ଆଇପିଏଲ ୨୦୨୦ ହେବା ନେଇ ସ୍ପଷ୍ଟ ହୋଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଭାରତରେ ହେବ ନାହିଁ । ୟୁଏଇରେ ହିଁ ଏହାର ଆୟୋଜନ ହେବ ବୋଲି କହିଛନ୍ତି ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ସଭାପତି ବୃଜେଶ ପଟେଲ । ଏକ ସାକ୍ଷାତକାରରେ ସେ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ୨୦୨୦ ଆଇପିଏଲ ୟୁଏଇରେ ହେବ । ତେବେ କେଉଁ ତାରିଖରେ ହେବ ତାହା ସ୍ପଷ୍ଟ ହୋଇନାହିଁ । ଆସନ୍ତା ସପ୍ତାହରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ୍ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ହେବ । ଯେଉଁଥିରେ ତାରିଖ ବାବଦରେ ଆଲୋଚନା ହେବ ।

ସେ ଆହୁରି କହିଛନ୍ତି ଯେ, ଭାରତ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଆଇପିଏଲ ୨୦୨୦ର ଖେଳସୂଚୀ ପ୍ରସ୍ତୁତ କରାଯିବ । ସେପ୍ଟେମ୍ବର ୨୮ରୁ ନଭେମ୍ବର ୮ ମଧ୍ୟରେ ଏହାର ଆୟୋଜନ ହୋଇପାରେ । ତେବେ ବୈଠକ ପରେ ହିଁ ଚୁଡାନ୍ତି ନିଷ୍ପତ୍ତି ନିଆଯିବ । ୟୁଏଇ ଆଇପିଏଲ ଆୟୋଜନ ପାଇଁ ଅଫର ଦେଇଛି ।

ସୂଚନାଯୋଗ୍ୟ, ୟୁଏଇ ପୂର୍ବରୁ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦୁବାଇ ସ୍ପୋର୍ଟସ୍ ସିଟିର କ୍ରିକେଟ୍ ମୁଖ୍ୟ ଏହି ସୂଚନା ଦେଇଛନ୍ତି । ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ୯ଟି ପିଚ୍ ପ୍ରସ୍ତୁତ କରାଯାଇଛି । ଫଳରେ ଆୟୋଜନରେ କୌଣସି ଅସୁବିଧା ଉପୁଜିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.