IPL 2020: ଜାନୁଆରୀ ୨୦ ସୁଦ୍ଧା ଫ୍ରାଞ୍ଚାଇଜିଙ୍କୁ ରିଟେନ୍ ଖେଳାଳିଙ୍କ ତାଲିକା ଦେବାକୁ ପଡିବ
15/01/2021 at 10:23 PM

ନୂଆଦିଲ୍ଲ ୧୫।୦୧: ଆଇପିଏଲ ୨୦୨୧ର ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇ ଯାଇଛି। ଏବେ ଆଠ ଫ୍ରାଞ୍ଚାଇଜିକୁ ଜାନୁଆରୀ ୨୦ ସୁଦ୍ଧା ରିଟେନ୍ କରୁଥିବା ଖେଳାଳିଙ୍କ ତାଲିକା ଦେବା ପ୍ରକ୍ରିୟା ପୂରା କରିବାକୁ ପଡିବ। ଆଇପିଏଲର ସିଓଓ ତଥା ବିସିସିଆଇର ଅନ୍ତରୀଣ ସିଇଓ ହେମାଙ୍ଗ ଅମିନ୍ ମେଲ୍ ଜରିଆରେ ଏହାର ସୂଚନା ଦେଇଛନ୍ତି। ଏଥିସହ ଏଥି ସମ୍ବନ୍ଧିତ ପୂରା ପ୍ରକ୍ରିୟା ବିଷୟରେ ବୁଝାଇଛନ୍ତି।
ତାଙ୍କ ଅନୁଯାୟୀ, ଯେଉଁ ଭାରତୀୟ ଖେଳାଳିଙ୍କ ପାଖରେ କୌଣସି କଣ୍ଟ୍ରାକ୍ଟ ନାହିଁ ସେମାନେ ନିଲାମରେ ସାମିଲ ହେବାକୁ ହେଲେ, ଫେବୃଆରୀ ୪ ସନ୍ଧ୍ୟା ୫ଟା ସୁଦ୍ଧା ନିଲାମୀ ଫର୍ମ ଭରିବାକୁ ପଡିବ। ଏହାକୁ ଅନଲାଇନ୍ ମାଧ୍ୟମରେ ଜମା କରିବେ। ଅରିଜିନାଲ କପି ଫେବୃଆରୀ ୧୨ ସୁଦ୍ଧା ଡାକ ଦ୍ଵାରା ପଠାଇ ପାରିବେ।
ଏଥିସହ ୧୯ ବର୍ଷରୁ କମ୍ ଶ୍ରେଣୀର କ୍ରିକେଟ୍ଙ୍କୁ ମଧ୍ୟ ନିଲାମୀରେ ନାଁ ପଞ୍ଜୀକରଣ କରାଇବାକୁ ଅନୁମତି ମିଳିଛି। ଯଦି ସେ କୌଣସି ରାଜ୍ୟର କ୍ରିକେଟ୍ ସଂଘର ଖେଳାଳି ଥିବେ ଏବଂ ଅନ୍ତତଃ ପ୍ରଥମ ଶ୍ରେଣୀ କ୍ରିକେଟ୍ କିମ୍ବା ଲିଷ୍ଟ ଏରେ ଗୋଟିଏ ମ୍ୟାଚ୍ ଖେଳିଥିବେ ତେବେ ନାଁ ପଞ୍ଜୀକରଣ କରାଇ ପାରିବେ। ୨୦୨୧ ସିଜିନ୍ ପାଇଁ ସେହି ଭାରତୀୟ ୧୯ ବର୍ଷରୁ କମ ଖେଳାଳି ପଞ୍ଜୀକରଣ କରାଇ ପାରିବେ ଯାହାଙ୍କ ଜନ୍ମ ୨୦୦୨ ଏପ୍ରିଲ ୧ ପରେ ହୋଇଥିବ।
ସୂଚନାଯୋଗ୍ୟ, ଆଇପିଏଲର ୧୪ତମ ସଂସ୍କରଣ ଭାରତରେ ହେବ କି ବିଦେଶରେ ହେବ ତାହା ଏବେଠୁ କହିବା ମୁସ୍କିଲ। କିନ୍ତୁ ଆଶା କରାଯାଉଛି ଯେ, ଖେଳାଳିଙ୍କ ନିଲାମୀ ଫେବୃଆରୀର ଦ୍ଵିତୀୟ କିମ୍ବା ତୃତୀୟ ସପ୍ତାହରେ ହୋଇଯିବ। ମିଡିଆ ରିପୋର୍ଟ ଅନୁଯାୟୀ, ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ ଫେବୃଆରୀ ୧୧ରେ ହୋଇପାରେ।