IPL 2020: ରାଜସ୍ଥାନକୁ ୧୮୫ ରନର ବିଜୟ ଲକ୍ଷ୍ୟ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

Published By : Prameya-News7 Bureau | October 09, 2020 IST

ସାରଜା ୦୯।୧୦: ସାରଜାରେ ଖେଳାଯାଉଥିବା ଆଇପିଏଲର ୨୩ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟସମ୍ୟାନଙ୍କ ମିଳିତ ସହଯୋଗରେ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ୧୮୫ ରନର ଚ୍ୟାଲେଞ୍ଜିଂ ବିଜୟ ଲକ୍ଷ୍ୟ ରଖିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ସିମରନ ହେଟମାୟରଙ୍କ ୪୫ ଓ ମାର୍କସ ଷ୍ଟୋଇନିସ୍‌ଙ୍କ ୩୯ ରନ ବଳରେ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୪ ରନ କରିଛି। ପଏଣ୍ଟ ଟେବୁଲରେ ଉପରକୁ ଯିବାକୁ ହେଲେ ରାଜସ୍ଥାନକୁ ଏହି ମ୍ୟାଚ୍‌ ଜିତିବା ଜରୁରୀ। ରାଜସ୍ଥାନ ପକ୍ଷରୁ ଯୋଫ୍ରା ଆର୍ଚାର ଦୁଇଟି ଓ୍ଵିକେଟ୍ ନେଇଛନ୍ତି।

ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଦିଲ୍ଲୀ କ୍ୟାପିଟାଲ୍ସର ଆରମ୍ଭ ନିରାଶଜନକ ଥିଲା। ନିଜର ଖରାପ ଫର୍ମ ଜାରି ରଖି ଶିଖର ଧାଓ୍ଵନ ମାତ୍ର ୫ ରନ କରି ଜୋଫ୍ରା ଆର୍ଚର ବଲରେ ଆଉଟ୍ ହୋଇଥିଲେ। ୧୨ ରନରେ ପ୍ରଥମ ଓ୍ଵିକେଟ୍ ହରାଇବା ପରେ ଦଳ ୪୨ ରନ ସ୍କୋରରେ ପୃଥ୍ଵୀ ସଙ୍କ ଓ୍ଵିକେଟ୍ ହରାଇଥିଲା। ସ ୧୦ ବଲରୁ ୨ ଚୌକା ଓ ୧ ଛକା ସହ ୧୯ ରନ କରିଥିଲେ। ହେଲେ ଅଧିନାୟକ ଶ୍ରେୟସ ଆୟର ଦୁର୍ଭାଗ୍ୟବଶତଃ ରନ ଆଉଟ୍ ହେବା ଦଳକୁ ବଡ ଝଟକା ଲାଗିଥିଲା। ଆୟର ୧୮ ବଲରୁ ୪ ଚୌକା ସହ ୨୨ ରନ କରି ପାଭିଲିୟନ ଫେରିଥିଲେ। ଋଷଭ ପନ୍ତ(୫) ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ମଧ୍ୟ ଆୟରଙ୍କ ପରି ରନ ଆଉଟ୍ ହୋଇଥିଲେ।

ଦମଦାର ଫର୍ମରେ ଥିବା ମାର୍କସ୍ ଷ୍ଟୋଇନିସ୍ ଓ ସିମରନ ହେଟମାୟର ଦଳର ଇନିଂସକୁ ଆଗକୁ ବଢାଇଥିଲେ। ୧୦୯ ରନ ସ୍କୋରରେ ମାର୍କସ ଷ୍ଟୋଇନିସ ପଞ୍ଚମ ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଥିଲେ। ସେ ୩୦ ବଲରୁ ୪ ଛକା ସହ ୩୯ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଏହା ପରେ ସିମରନ ହେଟମାୟର ଦଳର ସ୍କୋରକୁ ୧୫୦ ପହଞ୍ଚାଇଥିଲେ। ହେଟ୍ ମାୟର ଦ୍ରୁତ ବ୍ୟାଟିଂ କରି ୨୪ ବଲରୁ ୧ ଚୌକା ଓ ୫ ଛକା ସହ ୪୫ ରନ କରିଥିଲେ। ଶେଷ ଆଡକୁ ହର୍ଷଲ ପଟେଲ ୧୬ ଓ ଅକ୍ଷର ପଟେଲ ୧୭ ରନ କରି ଆଉଟ୍ ହୋଇଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୧୮୪ ରନ କରିଛି।

ରାଜସ୍ଥାନ ରୟାଲ୍ସ ତରଫରୁ ଜୋଫ୍ରା ଆର୍ଚର ୨୩ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି। କାର୍ତ୍ତିକ ତ୍ୟାଗୀ,  ରାହୁଲ ତେଓ୍ଵତିଆ ଓ ଆଣ୍ଡ୍ର୍ୟୁ ଟାଇ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.