ଆଇପିଏଲ ଫାଇନାଲରେ ମୁମ୍ବାଇକୁ ଭେଟିବ ଦିଲ୍ଲୀ, ଦ୍ୱିତୀୟ ପ୍ଲେ-ଅଫରେ ହାଇଦ୍ରାବାଦକୁ ୧୭ ରନରେ ହରାଇଲା DC

Published By : Prameya-News7 Bureau | November 08, 2020 IST

ଦୁବାଇ,୦୮।୧୧:   ଆଇପିଏଲ-୨୦୨୦ର ଦ୍ୱିତୀୟ କ୍ୱାଲିଫାୟରରେ ସନରାଇଜର୍ସ ହାଇଦ୍ରାବାଦକୁ ୧୭ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ବିଜୟ ସହ ଦିଲ୍ଲୀ ଫାଇନାଲରେ ପ୍ରବେଶ କରିଛି । ୧୯୦ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୧୭୨ ରନରେ ଅଟକି ଯାଇଥିଲା ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଦିଲ୍ଲୀ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଶିଖର ଧାଓ୍ୱନ ଓ ଏମ ଷ୍ଟୋଇନ୍ସ ଭଲ ଆରମ୍ଭ ଦେଇଥିଲେ । ଉଭୟ ହାଇଦ୍ରାବାଦ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ତେବେ ଷ୍ଟୋଇନ୍ସ ୩୮ ରନ୍ କରି ଆଉଟ ହୋଇଥିଲେ । କିନ୍ତୁ ଶିଖର ଧାଓ୍ୱନଙ୍କ ବ୍ୟାଟ୍ ଶାନ୍ତ ପଡି ନଥିଲା । ସେ କୌଣସି ହାଇଦ୍ରାବାଦ ବୋଲରଙ୍କୁ ଖାତିର କରିନଥିଲେ । ସେ ୭୮ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟାର ୨୧ ରନ୍ କରିଥିବା ବେଳେ ସିମରନ୍ ହେଟମାୟାର ୪୨ ରନ୍ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ ୧୮୯ ରନ୍ କରିଥିଲା ।ହାଇଦ୍ରାବାଦ ପକ୍ଷରୁ ରଶିଦ ଖାନ୍, ଜାସନ ହୋଲ୍ଡର ଓ ସନ୍ଦିପ ଶର୍ମା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

୧୯୦ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ୪୪ ରନରେ ତିନୋଟି ଓ୍ୱିକେଟ୍ ହରାଇ ସଙ୍କଟରେ ପଡିଥିଲା । ପ୍ରିୟମ ଗର୍ଗ, ଡେଭିଡ୍ ଓ୍ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଯଥାକ୍ରମେ ୧୭,୨ ଓ ୨୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । କେବଳ କେନ୍ ଓ୍ୱିଲିୟମସନ୍ ଏକାକି ସଙ୍ଘର୍ଷ କରିଥିଲେ । ସେ ୬୭ ରନ୍ କରି ଆଉଟ୍ ହେବା ପରେ ଦଳର ବିଜୟ ଆଶା ମଉଳି ଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଜାସନ ହୋଲ୍ଡର ୧୭ ରନ୍ କରିଥିବା ବେଳେ ଅବ୍ଦୁଲ ସମାଦ ୩୩ ରନ୍ କରିଥିଲେ । ଫଳରେ ଦଳ ନିର୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ୍ ହରାଇ ୧୭୨ ରନରେ ଅଟକି ଯାଇଥିଲା ।

ଦିଲ୍ଲୀ ପକ୍ଷରୁ କାଗିସୋ ରାବଡା ୪ଟି ଓ୍ୱିକେଟ୍ ନେଇଥିବା ବେଳେ ମାର୍କସ ଷ୍ଟୋଇନ୍ସ ୩ଟି ଓ ଅକ୍ସର ପଟେଲ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.