ଆଇପିଏଲ-୨୦୨୦ : ଟସ୍ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ରଥମେ କରିବ ବ୍ୟାଟିଂ

Published By : Prameya-News7 Bureau | October 20, 2020 IST

ଦୁବାଇ, ୨୦/୧୦: ଆଜି ଆଇପିଏଲ୍‌ର ୩୮ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ପ୍ରଥମେ ଫିଲ୍ଡିଂ କରିବ ପଞ୍ଜାବ ।

wp:html /wp:html

ଲଗାତର ୨ଟି ମ୍ୟାଚ୍‌ ଜିତିବା ପରେ କିଙ୍ଗ୍‌ସ ଏକାଦଶର ମନୋବଳ ଦ୍ୱିଗୁଣିତ ହୋଇଛି । ଅନ୍ୟ ଦିଗରେ ପଏଣ୍ଟ ତାଲିକାର ଶୀର୍ଷରେ ଥିବା କ୍ୟାପିଟାଲ୍ସ ଆଧିପତ୍ୟ ଜାରି ରଖିବା ଲକ୍ଷ୍ୟରେ ରହିଛି । ତେଣୁ ଆଜି ଆଉଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଆଶା କରାଯାଉଛି ।

ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ କିଙ୍ଗ୍‌ସ ଏକାଦଶର ଡବଲ୍‌ ସୁପର ଓଭର ବିଜୟକୁ ଦର୍ଶକ ଭୁଲି ପାରିନଥିବେ । ଆଇପିଏଲ୍‌ ଇତିହାସରେ ପ୍ରଥମ ଥର ଡବଲ୍‌ ସୁପର ଓଭର ଖେଳାଯାଇଥିଲା । ଏଥିରେ କିଙ୍ଗ୍‌ସ ଏକାଦଶ ରୋମାଞ୍ଚକର ବିଜୟ ହାସଲ କରିଥିଲା। ଆଜି ଦଳ କ୍ୟାପିଟାଲ୍ସଠୁ ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିବ । ସିଜନର ଦ୍ୱିତୀୟ ଲିଗ୍‌ ମୁକାବିଲା (ଦୁବାଇ ଗ୍ରାଉଣ୍ଡ)ରେ କ୍ୟାପିଟାଲ୍ସ ସୁପର ଓଭରରେ କିଙ୍ଗ୍‌ସ ଏକାଦଶକୁ ପରାସ୍ତ କରିଥିଲା । ପେସ୍‌ ବୋଲର କାଗିସୋ ରାବାଡ଼ା ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ଦୁର୍ଦ୍ଧର୍ଷ କ୍ରିସ୍‌ ଗେଲ୍‌ଙ୍କ ପ୍ରତ୍ୟାବର୍ତ୍ତନ ପରେ କିଙ୍ଗ୍‌ସ ଏକାଦଶ ଭାଗ୍ୟ ବଦଳିଛି। ସେ ଖେଳିଥିବା ୨ଟି ଯାକ ମ୍ୟାଚ୍‌ରେ ଦଳ ବିଜୟ ହାସଲ କରିଥିଲା। ସେଥିମଧ୍ୟରୁ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ ରୋମାଞ୍ଚରେ ଭରପୂର ରହିଥିଲା । ମ୍ୟାଚ୍‌ ପ୍ରଥମେ ଟାଇ ହେବା ପରେ ସୁପର ଓଭର ଟାଇ ରହିଥିଲା । ଏହାପରେ ଦ୍ୱିତୀୟ ସୁପର ଓଭରରେ ଗେଲ୍‌ ଓ ମୟଙ୍କ୍‌ ଅଗ୍ରୱାଲ ଦଳକୁ ବିଜୟୀ କରାଇଥିଲେ । କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ବିଜୟ ପରେ ଦଳ ମୋଟ ୬ପଏଣ୍ଟ ସହ ଷଷ୍ଠ ସ୍ଥାନକୁ ଉଠିଛି । ଆସନ୍ତାକାଲିର ମ୍ୟାଚ୍‌କୁ ମିଶାଇ ଦଳର ଆଉ ୫ଟି ମ୍ୟାଚ୍‌ ବାକି ଅଛି । ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ ସବୁ ମ୍ୟାଚ୍‌ ଜିତିବା ଜରୁରୀ । କିନ୍ତୁ ଗ୍ଲେନ୍‌ ମାକ୍ସୱେଲଙ୍କ ଫର୍ମ ଦଳ ପାଇଁ ଚିନ୍ତାଜନକ ରହିଛି । ଅଧିନାୟକ ଲୋକେଶ ରାହୁଲ (୫୨୫) ଓ ମୟଙ୍କ୍‌ (୩୯୩) ସିଜନରେ ସର୍ବାଧିକ ରନ୍‌ ହାସଲକାରୀ ତାଲିକାର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆଜି ଦିଲ୍ଲୀର ଶକ୍ତିଶାଳୀ ବୋଲିଂ ବିଭାଗ ଓ କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଚଳିତ ସିଜନରେ କ୍ୟାପିଟାଲ୍ସ ୯ଟି ମ୍ୟାଚ୍‌ରୁ ୭ଟିରେ ବିଜୟୀ ହୋଇ ମୋଟ ୧୪ପଏଣ୍ଟ ସହ ଶୀର୍ଷରେ ରହିଛି। ଦଳର ପ୍ଲେ-ଅଫ୍‌ ଯୋଗ୍ୟତା ଏକପ୍ରକାର ନିଶ୍ଚିତ ହୋଇସାରିଛି। ସବୁ ବିଭାଗରେ ଦଳର ପ୍ରଦର୍ଶନ ପ୍ରଶଂସନୀୟ ରହିଛି। ସୁପର କିଙ୍ଗ୍‌ସ ବିପକ୍ଷ ଶେଷ ମ୍ୟାଚ୍‌ରେ ଓପନର ଶିଖର ଧାୱନ ଶତକୀୟ ଇନିଂସ୍‌ ଖେଳି ଫର୍ମରେ ଥିବା ପ୍ରମାଣ କରି ଦେଇଛନ୍ତି। କେବଳ ଯୁବ ଓପନର ପୃଥ୍ୱୀ ଶ’ ନିୟମିତ ଭଲ ପ୍ରଦର୍ଶନ ଦେବାରେ ବିଫଳ ରହିଛନ୍ତି। ବୋଲିଂ ବିଭାଗ ସବୁଠୁ ଶକ୍ତିଶାଳୀ। ପର୍ପଲ କ୍ୟାପ୍‌ ଅକ୍ତିଆର କରିଥିବା ପେସ୍‌ ବୋଲର କାଗିସୋ ରାବାଡ଼ା କିଙ୍ଗ୍‌ସ ଏକାଦଶ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଆଜିର ମ୍ୟାଚ୍‌ରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ଗେଲ୍‌ଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.