IPL 2020: ‘ବହୁ ଅସୁବିଧା ପରେ ବି ଟୁର୍ଣ୍ଣାମେଣ୍ଟ ଜିତିବ ସିଏସ୍‌କେ’

Published By : Prameya-News7 Bureau | September 10, 2020 IST

ନୂଆଦିଲ୍ଲୀ ୧୦/୦୯: ସେପ୍ଟେମ୍ବର ୧୯ରେ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୨୦୨୦ । ସମସ୍ତ ଟିମ୍ ନିଜ ନିଜ ଖେଳାଳିଙ୍କ ସହ ସେଠାରେ ପହଞ୍ଚିସାରିଥିବା ବେଳେ ଅଭ୍ୟାସ ଜାରି ରଖିଛନ୍ତି । କିନ୍ତୁ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍‌(ସିଏସ୍‌କେ) ବହୁ ଅସୁବିଧାର ସମୁଖୀନ ହୋଇଛି । ପ୍ରଥମେ ଟିମ୍‌ର ୧୩ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିଲେ । ପରେ ଦଳର ବରିଷ୍ଠ ଖେଳାଳି ସୁରେଶ ରୈନା ଓ ହରଭଜନ ସିଂହ ଟୁର୍ଣ୍ଣାମେଣ୍ଟରୁ ଓହରିଯିବା ନିଷ୍ପତ୍ତି ଦଳକୁ ଶକ୍ତ ଧକ୍କା ଦେଇଥିଲା । ଯଦିଓ ରୈନା ଦଳକୁ ଫେରିପାରନ୍ତି ବୋଲି ଶୁଣିବାକୁ ମିଳୁଛି କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ବହୁ ବାଧାବିଘ୍ନ ସତ୍ବେ ସିଏସ୍‌କେ ଆଇପିଏଲ୍‌-୨୦୨୦ ଟାଇଟଲ୍‌ ଜିଣିବ । ଏଭଳି ଭବିଷ୍ୟବାଣୀ କରିଛନ୍ତି ଅନୁଭବୀ ଅଲ୍‌ରାଉଣ୍ଡର ସେନ୍ ଓ୍ବାଟସନ୍ । ନିଜର ଅନୁଭବୀ ଓ କ୍ଷମତାସମ୍ପର୍ଣ୍ଣ ଖେଳାଳିଙ୍କ ଦମରେ ଟୁର୍ଣ୍ଣାମେଣ୍ଟ ନିଜ ନାଁରେ କରିବ ସିଏସ୍‌କେ । ଏନେଇ ନବୀଲ ହାସିମଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ସିଏସ୍‌କେ ଅଲ୍‌ରାଉଣ୍ଡର ଓ୍ବାଟସନ୍ ।

ଓ୍ବାଟସନ୍ ଆହୁରି ମଧ୍ୟ କହିଛନ୍ତି, କଠିନ ପରିସ୍ଥିତିରେ ଗତି କରୁଥିବା ସତ୍ବେ ନିଜ କୌଶଳ ଉପରେ ଧ୍ୟାନ ଦେଉଥିବା ଅନୁଭବୀ ଖେଳାଳି ସିଏସ୍‌କେ ପାଖରେ ରହିଛନ୍ତି । ପ୍ରଥମରୁ ପରିସ୍ଥିତ ବିଗିଡ଼ିଥିବା ବେଳେ ଏହାକୁ ନଜରରେ ରଖି କିଭଳି ଖେଳିହେବ ସେନେଇ ସିଏସ୍‌କେ ପ୍ଲେୟର ଭଲଭାବେ ବୁଝିସାରିଛନ୍ତି । ସିଏସ୍‌କେ ପାଖରେ ବହୁ ଅନୁଭବୀ ଖେଳାଳି ଥିବା ବେଳେ ସେମାନେ କମ୍ ଭୁଲ କରିବା ସହ ଲକ୍ଷ ହାସଲ କରିପାରିବାର କ୍ଷମତା ରଖିଥିବା ନେଇ ଅଲରାଉଣ୍ଡର ଓ୍ବାଟସନ୍ କହିଛନ୍ତି ।

ହାସିମ୍ ପାକିସ୍ତାନ ସୁପର ଲିଗ(ପିଏସ୍‌ଏଲ୍‌) କ୍ବେଟା ଗ୍ଲାଡିଏଟର୍ସ ପକ୍ଷରୁ ଖେଳୁଛନ୍ତି । ଓ୍ବାଟସନ୍ ପିଏସ୍‌ଏଲର ଏହି ଟିମ୍‌ ପକ୍ଷରୁ ଖେଳନ୍ତି । ଓ୍ବାଟସନ୍ କେବଳ ଖେଳାଳିଙ୍କୁ ନୁହେଁ ବରଂ ସିଏସ୍‌କେ ଟିମ୍‌ ମ୍ୟାନେଜମେଣ୍ଟକୁ ବି ପ୍ରଶଂସା କରିଛନ୍ତି । ସିଏସ୍‌କେ ଟିମ୍ ପକ୍ଷରୁ ଖେଳୁଥିବା ଓ୍ବାଟସନ୍ ଦଳକୁ ମଜଭୁତ କରିବାରେ ବେଶ ଭଲ ଭୂମିକା ଗ୍ରହଣ କରୁଛନ୍ତି । ୨୦୧୮ ଆଇପିଏଲ୍‌ ସମୟ ବେଶ ଭଲ ଥିଲା । କିନ୍ତୁ ଗତବର୍ଷ ସିଏସ୍‌କେ ମୋତେ ପୁରା ସାହାଯ୍ୟ କରିଥିଲା । ସେମାନଙ୍କ ବିଶ୍ବାସ ଥିଲା ଯେ ମୁଁ ଭଲ ପାଳି ଖେଳିବି । କେବଳ ବିଶ୍ବସ୍ତରୀୟ ନେତୃତ୍ବ ହିଁ ଏଭଳି ଭରସା ରଖିପାରେ ବୋଲି ଓ୍ବାଟସନ୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.