ଆଇପିଏଲ-୨୦୨୦: ଆଜି ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ଚେନ୍ନାଇ, ସମ୍ମାନ ରକ୍ଷା ପାଇଁ ଖେଳିବ ଧୋନୀ ବାହିନୀ

Published By : Prameya-News7 Bureau | October 25, 2020 IST

ଦୁବାଇ, ୨୫/୧୦: ଆଜି ଚଳିତ ଆଇପିଏଲ୍‌ର ଏକ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଚେନ୍ନାଇ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ୧୧ମ୍ୟାଚ୍‌ରୁ ୩ ବିଜୟ ସହ ଦଳ ମୋଟ ୬ପଏଣ୍ଟ ପାଇ ତାଲିକାର ନିମ୍ନସ୍ଥାନରେ ରହିଛି। ଏକପ୍ରକାର ପ୍ଲେ-ଅଫ୍‌ ଯୋଗ୍ୟତାରୁ ବାଦ୍‌ ପଡ଼ି ସାରିଛି କହିଲେ ଭୁଲ ହେବନି। ତଥାପି ଦଳ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିନି। ସୁପର କିଙ୍ଗ୍‌ସର ଭାଗ୍ୟ ଏବେ ଆଜିର ମ୍ୟାଚ୍‌ ସମେତ ଶେଷ ୩ଟି ଯାକ ମୁକାବିଲାକୁ ଉନ୍ନତ ରନ୍‌ ରେଟ୍‌ରେ ଜିତିବା ଏବଂ ଅନ୍ୟ ଦଳ ଗୁଡ଼ିକର ଫଳାଫଳ ଉପରେ ନିର୍ଭରଶୀଳ ରହିଛି। ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଆଜିର ମ୍ୟାଚ୍‌ ଜରିଆରେ ପ୍ଲେ-ଅଫ୍‌ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିବ। ଦଳ ମୋଟ ୧୪ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ମ୍ୟାଚ୍‌ ୩.୩୦ରୁ ଆରମ୍ଭ ହେବ ।

କୋହଲି ବାହିନୀ ଦୁବାଇରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟ ମ୍ୟାଚ୍‌ରେ ସୁପର କିଙ୍ଗ୍‌ସକୁ ୩୭ରନ୍‌ରେ ପରାଜିତ କରିଥିଲା । କୋହଲି ୫୨ବଲ୍‌ରୁ ୪ଚୌକା, ୪ଛକା ସହାୟତାରେ ଅପରାଜିତ ୯୦ ରନ୍‌ର ବିସ୍ଫୋରକ ଇନିଂସ୍‌ ଖେଳିଥିଲେ । ଦଳ ତା’ର ପୂର୍ବ ୨ଟି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସକୁ ହରାଇ ଦୃଢ଼ ମନୋବଳରେ ରହିଛି । ତେଣୁ କୋହଲି ବାହିନୀ ପୂର୍ବ ପ୍ରଦର୍ଶନ ଦୋହରାଇବା ନେଇ ପ୍ରସ୍ତୁତ ରହିଛି । ନାଇଟ୍‌ ରାଇଡର୍ସ ବିପକ୍ଷରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବୋଲିଂ ବିଭାଗ ଚମତ୍କାର ପ୍ରଦର୍ଶନ କରିଥିଲା । ପେସ୍‌ ବୋଲର ମହମ୍ମଦ ସିରାଜ ଶ୍ରେଷ୍ଠ ବୋଲିଂ (୪-୨-୮-୩) ପ୍ରଦର୍ଶନ ସହ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ଆଜିର ସିରାଜ ଓ ଅଲରାଉଣ୍ଡର କ୍ରିସ୍‌ ମୋରିସ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବ୍ୟାଟିଂ ବିଭାଗରେ ପ୍ରଶଂସକମାନେ କୋହଲି, ଡି’ଭିଲର୍ସ ଓ ଓପନର ଦେବଦତ୍ତ ପାଡିକଲଙ୍କଠୁ ବଡ଼ ଇନିଂସ୍‌ ଆଶା କରିବେ ।

ସୁପର କିଙ୍ଗ୍‌ସ ପାଇଁ ଚଳିତ ସିଜନ ଦୁଃସ୍ୱପ୍ନ ସଦୃଶ ରହିଛି । ଦଳ ୮ଟି ମ୍ୟାଚ୍‌ ହାରି ସାରିଛି । ଶେଷ ୩ଟି ମ୍ୟାଚ୍‌ରେ ସମ୍ମାନଜନକ ବିଜୟ ସହ ଅଭିଯାନ ଶେଷ କରିବା ମୁଖ୍ୟ ଲକ୍ଷ୍ୟ ହେବ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ ଦୁର୍ବଳ ବ୍ୟାଟିଂ ପ୍ରଦର୍ଶନ ଯୋଗୁ ଦଳ ୧୦ ୱିକେଟ୍‌ରେ ପରାଜିତ ହୋଇଥିଲା । ଏହାପରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦଳ ପରିବର୍ତ୍ତନ ନେଇ ସୂଚନା ଦେଇସାରିଛନ୍ତି । ଆଜିର ସାମ୍‌ କୁରାନଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେ ୧୧ଟି ମ୍ୟାଚ୍‌ରୁ ୧୭୩ରନ୍‌ କରିଥିବାବେଳେ ୧୦ଟି ୱିକେଟ୍‌ ନେଇ ସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.