ଆଇପିଏଲ ୨୦୨୦ : ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଚେନ୍ନାଇ ସୁପର କିଙ୍ଗସ୍

Published By : Prameya-News7 Bureau | October 17, 2020 IST

ଦୁବାଇ, ୧୭/୧୦: ଆଜି ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମ୍ୟାଚ୍‌ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ । ପ୍ରଥମ ପର୍ଯ୍ୟାୟରେ ଫେଲ ମାରିଥିବା ସୁପର କିଙ୍ଗ୍‌ସ ଦ୍ୱିତୀୟ ପର୍ଯ୍ୟାୟରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ହରାଇ ମନୋବଳ ଦୃଢ଼ କରିଛି। ପ୍ଲେ-ଅଫ୍‌ ଯୋଗ୍ୟତା ପାଇଁ ପ୍ରତ୍ୟେକ ମ୍ୟାଚ୍‌ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି। ଅନ୍ୟ ପଟରେ ଆଧିପତ୍ୟ ଜାରି ରଖିବା ଦିଲ୍ଲୀ କ୍ୟାପିଟାଲ୍ସର ଲକ୍ଷ୍ୟ ହେବ ।

ପ୍ରଥମ ପର୍ଯ୍ୟାୟରେ କ୍ୟାପିଟାଲ୍ସ ୪୪ରନ୍‌ରେ ସୁପର କିଙ୍ଗ୍‌ସକୁ ହରାଇଥିଲା । ପ୍ରଥମେ ବ୍ୟାଟିଂ କରି ପୃଥ୍ୱୀ ଶ’ଙ୍କ ଅର୍ଦ୍ଧଶତକ ବଳରେ କ୍ୟାପିଟାଲ୍ସ ୩/୧୭୫ରନ୍‌ କରିଥିଲା । ଏହାର ଜବାବରେ ସୁପର କିଙ୍ଗ୍‌ସ ୭/୧୩୧ରନ୍‌ କରିବାକୁ ସକ୍ଷମ ହୋଇଥିଲା । ପେସ୍‌ ବୋଲର କାଗିସୋ ରାବାଡ଼ା (୩ଟି) ଓ ଆନରିଚ୍‌ ନର୍ଜ (୨ଟି) ସୁପର କିଙ୍ଗ୍‌ସ ବିପର୍ଯ୍ୟୟର ମୁଖ୍ୟ କାରଣ ହୋଇଥିଲେ ।

ଦ୍ୱିତୀୟ ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ସୁପର କିଙ୍ଗ୍‌ସ ୨୦ରନ୍‌ରେ ସନ୍‌ରାଇଜର୍ସକୁ ପରାସ୍ତ କରିଥିଲା । ଧୋନିଙ୍କ ସମସ୍ତଙ୍କ ନିଷ୍ପତ୍ତି ସଠିକ୍‌ ସାବ୍ୟସ୍ତ ହୋଇଥିଲା । ବ୍ୟାଟିଂ ଓ ବୋଲିଂ ରଣନୀତି ସଫଳ ହୋଇଥିଲା । ସାମ୍‌ କୁରାନ ଇନିଂସ୍‌ ଓପନ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ । ତେଣୁ ଆସନ୍ତାକାଲି ଡୁ’ପ୍ଲେସିଙ୍କ ସହ କୁରାନ ଇନିଂସ୍‌ ଓପନ କରିବେ । ସେନ୍‌ ୱାଟସନ୍‌ ଓ ଅମ୍ଭାତି ରାୟୁଡୁ ଫର୍ମରେ ଥିବାବେଳେ ବୋଲିଂ ବିଭାଗରେ ଡ୍ୱେନ ବ୍ରାଭୋ, ଦୀପକ ଚହର ଓ ସ୍ପିନର କରଣ ଶର୍ମା ଭଲ ପ୍ରଦର୍ଶନ କରୁଛନ୍ତି । ସାରଜା ଗ୍ରାଉଣ୍ଡରେ ଧୋନିଙ୍କଠୁ ବଡ଼ ଇନିଂସ୍‌ ଆଶା କରାଯାଉଛି ।

କ୍ୟାପିଟାଲ୍ସ ଦଳ ୮ଟି ମ୍ୟାଚ୍‌ରୁ ୬ଟିରେ ବିଜୟୀ ହୋଇଛି। ଦଳ ସବୁ ବିଭାଗରେ ଭଲ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଆହତ ସମସ୍ୟା ଚିନ୍ତାଜନକ ରହିଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅଧିନାୟକ ଶ୍ରେୟାସ ଆୟର ଆହତ ହୋଇଥିଲେ। ସେ ଫିଟ୍‌ ଅଛନ୍ତି କି ନାହିଁ ଜଣାପଡ଼ିନି । ଯଦି ସେ ଆଜି ନ ଖେଳନ୍ତି, ତା’ହେଲେ ଶିଖର ଧାୱନ ନେତୃତ୍ୱ ନେବେ।

ଆଜି ଯୁବ ବ୍ୟାଟିଂ ବିସ୍ମୟ ପୃଥ୍ୱୀ ଶ’ଙ୍କ ନିକଟରୁ ବଡ଼ ଇନିଂସ୍‌ ଆଶା କରାଯାଉଛି । ଦଳର ବୋଲିଂ ବିଭାଗ ସବୁଠୁ ଅଧିକ ଶକ୍ତିଶାଳୀ । ରାବାଡ଼ା ଓ ନର୍ଜ ପ୍ରଭାବୀ ପ୍ରଦର୍ଶନ କରି ସମ୍ପ୍ରତ୍ତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ସ୍ପିନ ଯୋଡ଼ି ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ଦଳ ଆବଶ୍ୟକ ବେଳେ ୱିକେଟ୍‌ ବାହାର କରିପାରୁଛନ୍ତି। ପୂର୍ବ ମ୍ୟାଚ୍‌ରେ ପଦାର୍ପଣ ସୁଯୋଗ ପାଇଥିବା ଯୁବ ବୋଲର ତୁଷାର ଦେଶପାଣ୍ଡେଙ୍କ ଉପରେ ସମସ୍ତଙ୍କ ନଜର ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.