ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ଆଇପିଏଲ ୨୦୨୦ ! ଆସିଲାଣି ମ୍ୟାଚ୍‌ର ସମ୍ଭାବ୍ୟ ଭେନ୍ୟୁ ଓ ସମୟ

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨।୦୭: ଏସିଆ କପ୍ ଓ ଟି-୨୦ ବିଶ୍ଵ କପ୍‌ ୨୦୨୦ ସ୍ଥଗିତ ହେବା ପରେ ଆଇପିଏଲର ଆୟୋଜନ ପ୍ରାୟତଃ ନିଶ୍ଚିତ ଲାଗୁଛି। ବିଶ୍ଵର ଏହି ଧର୍ଣ୍ଣାଢ୍ୟ କ୍ରିକେଟ୍ ଲିଗ୍ କେବେ ଆରମ୍ଭ ହେବ ସେ ନେଇ ମଧ୍ୟ ତାରିଖ ସାମ୍ନାକୁ ଆସିଛି। ଆଇପିଏଲ ୨୦୨୦ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇପାରେ। ପ୍ରଥମେ କୁହାଯାଉଥିଲା ଯେ ଏହି  ଟୂର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୨୬ରୁ ଆରମ୍ଭ ହେବ, ମାତ୍ର ଏବେ ଏହି ଟୂର୍ଣ୍ଣାମେଣ୍ଟ ଗୋଟିଏ ସପ୍ତାହ ପୂର୍ବରୁ ଆରମ୍ଭ ହୋଇପାରେ।

ଟାଇମ୍ସ ଅଫ ଇଣ୍ଡିଆରେ ଛପିଥିବା ରିପୋର୍ଟ ଅନୁଯାୟୀ, ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୦ର ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ  ହୋଇପାରେ। ଭାରତରେ ମ୍ୟାଚ୍ ରାତି ୮ଟାରୁ ଆରମ୍ଭ ହେଉଥିଲା ଏବଂ ୭ଟା ୩୦ରେ ଟସ୍ ପଡୁଥିଲା। ମାତ୍ର ଏଥର ଆଇପିଏଲ ୟୁଏଇରେ ହେବାକୁ ଯାଉଛି। ଏହି କାରଣରୁ ମ୍ୟାଚ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅଧିକାଂଶ ମ୍ୟାଚ୍‌ ହେବ ବୋଲି କୁହାଯାଉଛି।

{"id":304117,"sizeSlug":"large"}

ୟୁଏଇରେ ହେବ ଆଇପିଏଲ

ଉଲ୍ଲେଖଯୋଗ୍ୟ, ଆଇପିଏଲ ଗଭର୍ଣ୍ଣିଂ କାଉନସିଲର ସଭାପତି ବୃଜେଶ ପଟେଲ ସୋମବାର ଏକ ସାକ୍ଷାତକାରରେ କହିଥିଲେ ଏଥର ଆଇପିଏଲ ଭାରତ ବାହାରେ ଆୟୋଜନ ହେବ। ଭାରତରେ ବଢୁଥିବା କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ବୃଜେଶ ପଟେଲ କହିଛନ୍ତି ଆସନ୍ତା ସପ୍ତାହରେ ଏହି ପ୍ରସଙ୍ଗରେ ଆଇପିଏଲର ଗଭର୍ଣ୍ଣିଂ କାଉନସିଲର ବୈଠକ ହେବାର ଅଛି ଏବଂ ଏଥିରେ ଟୂର୍ଣ୍ଣାମେଣ୍ଟର ତାରିଖ, କ୍ରୀଡାସୂଚୀ ଓ ଅନ୍ୟ ଜରୁରୀ ଦିଗ ଉପରେ ନିଷ୍ପତ୍ତି ନିଆଯାଇପାରେ। ସେ କହିଛନ୍ତି ଭାରତ ସରକାରଙ୍କ ମଞ୍ଜୁରୀ ପରେ ଆଇପିଏଲ ୨୦୨୦ର  କାର୍ଯ୍ୟସୂଚୀ ପ୍ରସ୍ତୁତ ହେବ।

ସୂଚନାଯୋଗ୍ୟ, ପୂର୍ବରୁ ୟୁଏଇରେ ଆଇପିଏଲ ଆୟୋଜନ ହୋଇପାରେ ବୋଲି କୁହାଯାଉଥିଲା। କ୍ରିକେଟ୍ ଆସୋସିଏସନକୁ ପ୍ରସ୍ତୁତି ଆରମ୍ଭ କରିବାକୁ କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ୯ ପିଚ୍‌ ପ୍ରସ୍ତୁତ କରାଯାଇଛି। ତେଣୁ ଏଠାରେ ପିଚ୍‌ ପ୍ରସ୍ତୁତି ନେଇ ବେଶି ପରିଶ୍ରମ କରିବାକୁ ପଡିବ ନାହିଁ। ୨୦୧୪ରେ ଆଇପିଏଲର ଅଧା ମ୍ୟାଚ୍‌ ୟୁଏଇରେ ହୋଇଥିଲା ଏଭଂ ଭାରତୀୟ ପ୍ରଶଂସକ ମଧ୍ୟ ଖୁବ୍ ଏହି ଲିଗ୍‌ର ଆନନ୍ଦ ଉଠାଇଥିଲେ। ଏହା ବ୍ୟତୀତ ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଆଇପିଏଲର ଆୟୋଜନ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.