IPL 2020: ବିଜୟ ସହ ଅଭିଯାନ ଶେଷ କଲା ସିଏସକେ, ୯ ଓ୍ଵିକେଟ୍‌ରେ ହାରି ଆଇପିଏଲରୁ ବିଦା ହେଲା କିଙ୍ଗ୍ସ ଏକାଦଶ ପଞ୍ଜାବ

Published By : Prameya-News7 Bureau | November 01, 2020 IST

ଆବୁଧାବି ୦୧।୧୧: ଚଳିତ ଆଇପିଏଲର ଦ୍ଵିତୀୟ ଦଳ ଭାବେ ପ୍ଲେଅଫ୍‌ରୁ ବାଦ୍ ପଡିଛି କିଙ୍ଗ୍ସ ଏକାଦଶ ପଞ୍ଜାବ।  ନିର୍ଣ୍ଣାୟକ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଚେନ୍ନାଇ ନିକଟରୁ ୯ ଓ୍ଵିକେଟ୍‌ରେ ପରାସ୍ତ ହୋଇ ଆଇପିଏଲରୁ ବିଦାୟ ନେଇଛି। ଅନ୍ୟପଟେ ୩ ଥରର ବିଜେତା ଚେନ୍ନାଇ ସୁପରକିଙ୍ଗ୍ସ ବିଜୟ ସହିତ ଆଇପିଏଲର ୧୩ତମ ସଂସ୍କରଣରେ ନିଜର ଅଭିଯାନ ଶେଷ କରିଛି। କ୍ରମାଗତ ୫ଟି ମ୍ୟାଚ୍‌  ଜିତି ପ୍ଲେଅଫ୍‌ ଦୌଡରେ ଥିବା ପଞ୍ଜାବ ଶେଷ ୨ଟି ମୁକାବିଲା ହାରିବା ଦଳ ପାଇଁ ବୁମେରାଂ  ପାଲଟିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦୀପକ ହୁଡ୍ଡାଙ୍କ ଅପରାଜିତ ୬୨ ରନ ବଳରେ ନିର୍ଦ୍ଧାରିତ ଓଭରରେ ୧୫୩ ରନ କରିଥିଲା। ଜବାବରେ ଋତୁରାଜ ଗାଏକୋଓ୍ଵାଡଙ୍କ ୬୨ ରନ ଏବଂ ଫାଫ ଡୁପ୍ଲେସିସ୍‌ଙ୍କ ୪୮ ରନ ସହାୟତାରେ ୧୮.୫ ଓଭରରେ ୧ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିଛି। ପଞ୍ଜାବ ୧୪ଟି ମ୍ୟାଚ୍‌ରୁ ୬ ବିଜୟ ଓ ୮ ପରାଜୟ ସହ ୧୨ ପଏଣ୍ଟ ହାସଲ କରିଛି।

୧୫୪ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଚେନ୍ନାଇର ଦୁଇ ଓପନର ଋତୁରାଜ ଗାଏକୋଓ୍ଵାଡ ଓ ଫାଫ ଡୁପ୍ଲେସିସ୍‌ ଦମଦାର ଆରମ୍ଭ ଦେଇଥିଲେ। ବିପକ୍ଷ ବୋଲରଙ୍କୁ କୌଣସି ସୁଯୋଗ ନଦେଇ ଦୁଇ ଓପନର ଦ୍ରୁତ ବ୍ୟାଟିଂ କରି ୯.୫ ଓଭରରେ ୮୨ ରନ ଯୋଡି ଦଳ ବିଜୟରେ  ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡୁପ୍ଲେସିସ୍‌ଙ୍କୁ ଆଉଟ୍ କରି  ଜୋର୍ଡାନ ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଡୁପ୍ଲେସିସ୍‌ ୩୪ ବଲରୁ ୪ ଚୌକା ଓ ୨ ଛକା ସହ ୪୮ ରନ କରିଥିଲେ। ଚମତ୍କାର ବ୍ୟାଟିଂ କରି ଋତୁରାଜ ତୃତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳକୁ ୯ ଓ୍ଵିକେଟ୍‌ରେ ବିଜୟୀ କରାଇଛନ୍ତି। ଋତୁରାଜ ୪୯ ବଲରୁ ୬ ଚୌକା ଓ ୧ ଛକା ସହ ୬୨ ରନ ଏବଂ ରାୟୁଡୁ ୩୦ ରନ କରି ଅପରାଜିତ ଥିଲେ।

ପଞ୍ଜାବ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବର ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ ଦଳକୁ ଭଲ ଆରମ୍ଭ ଦେଇଥିଲେ। ଦୁଇ ଓପନର ଦ୍ରୁତ ବ୍ୟାଟିଂ କରି ୫.୨ ଓଭରରେ ୪୮ ରନ ଯୋଡିଥିଲେ। ଏହି ସ୍କୋରରେ ମୟଙ୍କ ଅଗ୍ରଓ୍ଵାଲ ୧୫ ବଲରୁ ୫ ଚୌକା ସହ ୨୬ ରନ କରି ଆଉଟ୍ ହୋଇଥିଲେ। ପରେ ଦଳ ତୁରନ୍ତ ଦୁଇଟି ଓ୍ଵିକେଟ୍ ହରାଇଥିଲା। ୬୨ ରନ ସ୍କୋରରେ କେଏଲ ରାହୁଲ ଆଉଟ୍ ହେବା ଦଳକୁ ବଡ ଝଟକା ଲାଗିଥିଲା। ରାହୁଲ ୨୭ ବଲରୁ ୩ ଚୌକା ଓ ୧ ଛକା ସହ ୨୯ ରନ କରି ବିଦାୟ ନେଇଥିଲେ। ୬୮ ରନ ସ୍କୋରରେ ନିକୋଲାସ ପୂରନ ୨ ରନ କରି ବିଦାୟ ନେଇଥିଲେ।

ହେଲେ ଦମଦାର ଫର୍ମରେ ଥିବା କ୍ରିସ୍ ଗେଲ୍‌ଙ୍କଠୁ ଦଳ ବଡ ପାଳି ଆଶା ରଖିଥିଲା। ଗେଲ୍ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ୧୨ ରନ କରି ଇମ୍ରାନଙ୍କ ଶିକାର ହୋଇଥିଲେ। ୭୨ ରନରେ ୪ ଓ୍ଵିକେଟ୍ ହରାଇବା ପରେ ମନଦୀପ ସିଂହ ଓ ଦୀପକ ହୁଡ୍ଡା ପଞ୍ଚମ ଓ୍ଵିକେଟ୍‌ରେ ୩୬ ରନ ଯୋଡି ଦଳର ସ୍କୋରକୁ ୧୦୮ରେ ପହଞ୍ଚାଇଥିଲେ। ମନଦୀପ ସିଂହ ୧୪  ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଦୀପକ ହୁଡ୍ଡା ଦଳର ବ୍ୟାଟିଂ ସମ୍ଭାଳିଥିଲେ। ସେ ୨୬ ବଲରୁ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ। ହୁଡା ୩୦ ବଲରୁ ୩ ଚୌକା ଓ ୪ ଛକା ସହ ୬୨ ରନର ଅପରାଜିତ ପାଳି ଖେଳିଛନ୍ତି। ତାଙ୍କର ଇନିଂସ ବଳରେ ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍  ହରାଇ ୧୫୩ ରନ କରିଛି।

ଚେନ୍ନାଇ ତରଫରୁ ଲୁଙ୍ଗି ଏନଗିଡି ୪ ସଫଳତା ପାଇଥିଲେ। ଶାର୍ଦ୍ଦୁଳ ଠାକୁର, ଇମ୍ରାନ ତାହିର ଓ ରବିନ୍ଦ୍ର ଜାଡେଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.